ମାଲକାନଗିରିରେ କେନ୍ଦୁପତ୍ର ବ୍ଯବସାୟ ଚାଲିଛି;ଶୋଷଣର ଶିକାର ହେଉଛନ୍ତି କେନ୍ଦୁପତ୍ର ତୋଳାଳୀ ।

0 436

ମାଲକାନଗିରି,୨୦/୦୪(ପିପିଟି): ପୂର୍ବରୁ କେନ୍ଦୁପତ୍ର କେବଳ ଓଡିଶା ଜଙ୍ଗଲ ଓ ପରିବେଶ ବିଭାଗ ଦ୍ବାରା ନିଯୁକ୍ତ ସରକାରୀ କେନ୍ଦୁପତ୍ର ରେଞ୍ଜରମାନେ ସିଧାସଳଖ କେନ୍ଦୁପତ୍ର ତୋଳାଳୀମାନଙ୍କ ଠାରୁ କ୍ରୟ କରିବାର ବ୍ଯବସ୍ଥା ରହିଥିଲା । କିଛି ବର୍ଷ ହେଲା ଘରୋଇ ସଂସ୍ଥା ବା ବେସରକାରୀ ବ୍ଯବସାୟୀାନେ ପଞ୍ଚାୟତରୁ କେନ୍ଦୁପତ୍ର କ୍ରୟ ଲାଗି ଲାଇସେନ୍ସ ପାଇ କେନ୍ଦୁପତ୍ର ତୋଳାଳୀ ଠାରୁ କ୍ରୟ କରୁଥିବା ବେଳେ କେନ୍ଦୁପତ୍ର ତୋଳାଳୀମାନେ ବେସରକାରୀ ସଂସ୍ଥା ବା ଏଜେଣ୍ଟମାନଙ୍କ ଠାରୁ ଠକାମୀର ଶିକାର ହୋଇଥାନ୍ତି । ବେସରକାରୀ ସଂସ୍ଥାକୁ କୌଣସି ଜିଲ୍ଲା ପ୍ରଶାସନର କଟକଣା ନଥିବା ଯୋଗୁଁ ମାଲକାନଗିରି ଜିଲ୍ଲାରେ କେନ୍ଦୁପତ୍ର ତୋଳାଳୀଙ୍କ ସମସ୍ଯା ଦିନକୁ ଦିନ ସଂଗୀନ ହେବାରେ ଲାଗିଛି ।ମାଲକାନଗିରି ଜିଲ୍ଲାରେ ସରକାରଙ୍କ ଦ୍ବାରା କେନ୍ଦୁପତ୍ର ରେଞ୍ଜ ୬ ଗୋଟି ରହିଛି । ସେଗୁଡିକ ହେଲା ମାଲକାନଗିରି,କାଲିମେଳା, ବାଲିମେଳା,ଏମଭି-୭୯,କତାମେଟା ଓ ମାଥିଲି । ସରକାରୀ ଭାବେ କେନ୍ଦୁପତ୍ର ୨୦୨୨ ଚଳିତ ଶଷ୍ଯ ବର୍ଷରେ କେରୀ(୪୦ ପତ୍ର) ପିଛା ୨ଟଙ୍କା ୮୦ ପଇସାରେ କ୍ରୟ କରୁଥିବା ବେଳେ ୨୦୨୧ ଶସ୍ଯ ବର୍ଷରେ କେନ୍ଦୁପତ୍ର ତୋଳାଳୀଙ୍କୁ ସରକାର କେରୀ ପିଛା ଶତକଡା ୫୦ ଭାଗ ଅର୍ଥାତ ୧ ଟଙ୍କା ୨୦ ପଇସା ବୋନସ ଦେବା ପାଇଁ ଘୋଷଣା କରିଛି । ଏହା ବ୍ଯତୀତ ଟୋପି କ୍ରୟ ଲାଗି ୧୦୦ ଟଙ୍କା,କନା ବସ୍ତା କ୍ରୟ ଲାଗି ୨୦୦ ଟଙ୍କା ପ୍ରଦାନ କରାଯାଏ । ଏହା ଛଡା ଋତୁ କାଳିନ କର୍ମଚାରୀଙ୍କୁ ଶତକଡା ୧୦ ଭାଗ ଭତ୍ତା ପ୍ରଦାନ କରିବାର ବ୍ଯବସ୍ଥା ରହିଛି । ୨୦୨୨ ଶସ୍ଯ ବର୍ଷରେ ଯେଉଁ କେନ୍ଦୁପତ୍ର ତୋଳାଳୀ ୫୦୦ କେରୀରୁ ଅଧିକା କେନ୍ଦୁପତ୍ର ଦେଇଥିବେ ଏବଂ ୨୦୨୩ରେ କେନ୍ଦୁ ପତ୍ର ତେଳାଳୀ ହୋଇଥିବେ,ତୋଳାଳୀ ଓ ବନ୍ଧେଇ କଲ୍ଯାଣ ପାଣ୍ଠିରେ ୧୦ ଟଙ୍କା ଦେଇ ମେମ୍ବର ହୋଇଥିବେ,ଯଦି କେନ୍ଦୁପତ୍ର ତୋଳାଳୀଙ୍କ ମୃତ୍ୟୁ ଘଟେ ଉକ୍ତ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ମୃତ୍ୟୁ କାଳିନ ସହାୟତା ଅର୍ଥ ପ୍ରାପ୍ତ ହୋଇଥାଏ । କିନ୍ତୁ ବେସରକାରୀ ସଂସ୍ଥାମାନେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ଆଦିବାସୀ ମାନଙ୍କ ଠାରୁ କେନ୍ଦୁପତ୍ର କ୍ରୟ କରୁଥିଲେ ମଧ୍ଯ ଉପଯୁକ୍ତ ଅର୍ଥ ମିଳୁନଥିବା ଅଭିଯୋଗ ହେଉଛି ।ବେସରକାରୀ ସଂସ୍ଥାମାନେ କେନ୍ଦୁପତ୍ର ତେୀଳାଳୀ ମାନଙ୍କୁ ବୋନସ ଦେଉନଥିବା ବେଳେ,ମୃତ୍ୟୁ କାଳିନ ସହାୟତା ରାଶି ଦେବାର ନଜିର ନାହିଁ । ଟୋପି ଏବଂ କନା ବସ୍ତା ବାବଦକୁ କୌଣସି ଆର୍ଥିକ ସହାୟତା ଦେଉନଥିବା ବେଳେ କେତେ ଜଣ ବ୍ଯକ୍ତି କେଉଁ ପଞ୍ଚାୟତଗୁଡିକରୁ କେନ୍ଦୁପତ୍ର ଲାଇସେନ୍ସ ପାଇ କ୍ରୟ କରୁଛନ୍ତି ଜିଲ୍ଲା ପ୍ରଶାସନ ନିକଟରେ ସୂଚନା ନଥିବା ଜଣା ପଡିଛି । କେନ୍ଦୁପତ୍ର ହେଉଛି ସବୁଜ ହୀରା । ଏହାକୁ ବ୍ଯବସାୟ କରି ଦଲାଲମାନେ ସ୍ବଳ୍ପ ସମୟ ମଧ୍ଯରେ କୋଟିପତି ହେଉଥିବା ବେଳେ ସ୍ଥାନୀୟ ଆଦିବାସୀ କେନ୍ଦୁପତ୍ର ତୋଳି ଉଚିତ ମୂଲ୍ଯ ପାଉନଥିବା ଅଭିଯୋଗ ହୋଇଛି । କିଛି କେନ୍ଦୁପତ୍ର ତୋଳାଳୀ ଏବଂ ସ୍ଥାନୀୟ ସଚେତନଶୀଳ ନାଗରିକ ଏହାକୁ ପ୍ରତିବାଦ ସ୍ବରୁପ ସ୍ବରୋତ୍ତଳନ କରିଥିବା ବେଳେ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ଆଗାମୀ ଦିନରେ ଗ୍ରହଣ କରିବ ଦେଖିବାକୁ ବାକି ରହିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.