ମାର୍କାପଲ୍ଲୀ ଠାରେ ଜିଲ୍ଲା ପରଜା ସମାଜର ନାନ୍ଦି ପର୍ବ ପାଳିତ ।

0 303

ମାଲକାନଗିରି,ତା:୨୭/୦୨(ପିପିଟି); ମାଲକାନଗିରି ବ୍ଲକ ଅନ୍ତର୍ଗତ ମାର୍କାପଲ୍ଲୀ ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦ ଦ୍ବାରା ନାନ୍ଦୀ ପରବ ପାଳିତ ହୋଇ ଯାଇଛି । ଏହି ବାର୍ଷିକ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଅତ୍ରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,ମୁଖ୍ଯ ବକ୍ତା ଭାବେ ଉକ୍ତଳ ସାହିତ୍ଯ ସଂସଦ ସଭାପତି କେଶବ ଚନ୍ଦ୍ର ନାୟକ ,ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲାପରିଷଦ ଅଧ୍ଯକ୍ଷ ପଦ୍ମନୀ ମୁଦୁଲୀ,ଡ:ଉଦୟନାଥ ଖରା,ଡଟିବୁରାମ ଟାଙ୍ଗୁଲ,ହରି ଗୋଲରୀ,ନାରାୟଣ ଖରା,ଘସି ରାମ ମୁଦୁଲୀ,ମଙ୍ଗରାଜ କିଣ୍ଡାଲ,ପର୍ଶୁରାମ ଗୋଲରୀ,ଗୋପୀ ପାଙ୍ଗୀ, ବୀରଲକ୍ଷ୍ମଣପୁର ସରପଞ୍ଚ ସଂଯୁକ୍ତା ଖିଲ ପ୍ରମୁଖ ଯୋଗ ଦେଇଥିବା ବେଳେ ପରଜା ସମାଜର ସଭାପତି ଘେନୁ ମୁଦୁଲୀ ସଭାପତିତ୍ବ କରିଥିଲେ । ସଂଘର ସଂପାଦକ ଶ୍ରୀନିବାସ ମୁଦୁଲୀ ମଞ୍ଚ ପରିଚାଳନା କରିଥିଲେ ।
ସର୍ବ ପ୍ରଥମେ ସଂବିଧାନ ପ୍ରଣେତା ତଥା ଭାରତ ରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କ ତୈଳଚିତ୍ର ଉପରେ ନିମନ୍ତ୍ରିତ ଅତିଥିମାନେ ପୁଷ୍ପମାଲ୍ଯ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ପ୍ରକୃତିର ଉପାସକ ହେଲେ ଆଦିବାସୀ ସଂପ୍ରଦାୟ !ଜଙ୍ଗଲ ହେଉଛି ଜନନୀ । ଜଙ୍ଗଲକୁ ନେଇ ଜୀବୀକୀ ।ଜଙ୍ଗଲରୁ ଜାତ ଦ୍ରବ୍ଯ ହେଉଛି ଆଦିବାସୀମାନଙ୍କ ମୁଖ୍ଯ ଅର୍ଥ ଉପାର୍ଜ୍ଜନର ମାଧ୍ଯମ । ଆଦିବାସୀ ସମାଜ ସେଇ ପ୍ରକୃତି କୋଳରେ ଜନ୍ମ ନିଏ, କୈଶୋର, ଯୌବନରେ ଲୀଳାଖେଳା କରେ, ଶେଷରେ ବାର୍ଦ୍ଧକ୍ଯରେ ଉପନିତ ହୋଇ ପ୍ରକୃତି କୋଳରେ ଇହଧାମ ତ୍ଯାଗ କରେ । ପ୍ରକୃତି ବଦଳେ ଋତୁ ଚକ୍ରର ପରିବର୍ତ୍ତନରେ । ଆଦିବାସୀଙ୍କ ଜୀବନ ଚର୍ଯ୍ଯା,ରୀତି ନୀତି,ଚାଲି ଚଳନ,ବେଶ ପୋଷାକ,ପରମ୍ପରା,ପର୍ବ ପର୍ବାଣୀ, ନୃତ୍ଯ,ଗୀତ ବଦଳି ଯାଏ ପ୍ରକୃତିର ତାଳେ ତାଳେ । ଆଦିବାସୀ ସମାଜ ବିଭିନ୍ନ ଋତୁକୁ ନେଇ ପାଳନ କରେ ପର୍ବ ପର୍ବାଣୀ । କର୍ମ କ୍ଲାନ୍ତ ଜୀବନରେ ଶ୍ରମ ଲାଘବ ପାଇଁ ଆୟୋଜିତ ହୁଏ ପରବ । ପରବର ମୁଖ୍ଯ ଆଭିମୁଖ୍ଯ ହେଲା,ଜୀବନକୁ ସଂଗୀତମୟ କରିବା । ଆଦିବାସୀ ଜୀବନ ଚର୍ଯ୍ଯାର ଗବେଷକ ତଥା ସାହିତ୍ଯିକ କେଶବ ଚନ୍ଦ୍ର ନାୟକ ମୁଖ୍ଯ ବକ୍ତା ଭାବେ ଯୋଗ ଦେଇ କହଲେ ଯେ,ମାଲକାନଗିରି ପରଜା ଆଦିବାସୀମାନେ ଧୀରେ ଧୀରେ ନିଜର ଭାଷା ଭୁଲି ଗଲେଣି । ଚାଲି ଚଳଣିରେ ବିରାଟ ପରିବର୍ତ୍ତନ ଘଟିଲାଣି । ଭାଷା ହେଉଛି ଏକ ଜାତିର ପରିଚୟ । ଭାଷାର ବିଲୁପ୍ତ ହୋଇଗଲା ପରେ ଗୋଟେ ଜାତିର ଐତିହ୍ଯ ପରମ୍ପରା ନିଛିନ୍ନ ହୋଇଯାଏ । ଏଣୁ ପ୍ରଥମେ ଆମ ପରିଚୟକୁ ସମାଜରେ ବଜାୟ ରଖିବାକୁ ହେଲେ ଆମ ଭାଷାକୁ ଗୁରୁତ୍ବ ଦେବାକୁ ପଡିବ । ଆମେ ଯେତେ ଭାଷାକୁ ଅକ୍ତିୟାର କଲେ ମଧ୍ଯ ପରଜା ଭାଷାକୁ ଭୁଲିବାକୁ ହେବ ନାହିଁ । ଆମର ଦେବାଦେବୀ,ପୂଜା ପଦ୍ଧତି, ବେଶଭୂଷା, ଅଳଙ୍କାର,ବାଦ୍ଯ ଯନ୍ତ୍ର,ଗୀତ ,ନାଚ,ପର୍ବ ପର୍ବାଣିକୁ ପାଳନ କରିବାକୁ ହେବ । ପରଜା ସମାଜର ବୟୋଜ୍ଯେଷ୍ଠ ବ୍ଯକ୍ତି ବିଶେଷ ପରମ୍ପରର ରୀତି ନୀତିକୁ ଭବିଷ୍ଯତ ଉତ୍ତର ପିଡିଙ୍କ ପାଇଁ ଏକ ପ୍ରଶିକ୍ଷଣର ମାହୋଲ ସୃଷ୍ଟିକରିବା ଆବଶ୍ଯକ ବୋଲିଶ୍ରୀନାୟକ କହିଥିଲେ । ମୁଖ୍ଯ ଅତିଥି ଅତିରିକ୍ତ ଜିଲ୍ଲାପାଳ ବୀରେସନ ପ୍ରଧାନ କହିଲେ ଯେ,ପରଜା ସମାଜର ଭାଷା , ସଂସ୍କୃତି, ଐତିହ୍ୟ କ୍ରମଶଃ ଲୋପ ପାଇବାକୁ ବସିଲାଣି । ଏଣୁ ଏହାକୁ ସଂରକ୍ଷିତ ରଖିବା ପାଇଁ ଏକ ମେଗାଜିନ ବା ଏକ ପୁସ୍ତକ ମାଧ୍ଯମରେ ଲେଖି ରଖିବା ଆବଶ୍ଯକ । ଏଥି ପାଇଁ ଆଦିବାସୀ ସମାଜର ଗବେଷକ,ସୁସାହିତ୍ଯିକ କବି କେଶବ ଚନ୍ଦ୍ର ନାୟକଙ୍କୁ ଅନୁରୋଧ କରିଥିଲେ । ସରକାରଙ୍କ ଦ୍ବାରା ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ ଆଦିବାସୀମାନେ ଠିକ ସମୟରେ ପାଇବାକୁ ବଞ୍ଚିତ ହେଉଥିବା ସେ ତାଙ୍କ ବକ୍ତବ୍ଯରେ ଉଲ୍ଲେଖ କରିଥିଲେ । ଆମ ଜିଲ୍ଲାରେ ସରକାରୀ ଯୋଜନା ବହୁତ କାର୍ଯ୍ଯକାରୀ ହେଉଥିଲେ ମଧ୍ଯ ଆଦିବାସୀମାନେ ପଡୋଶୀ ରାଜ୍ଯକୁ ଦାଦନ ଖଟି ଶୋଷଣର ଶିକାର ହେଉଥିବା ସେ ମତବ୍ଯକ୍ତ କରିଥିଲେ । ତେଣୁ ମାଲକାନଗିରି ଜିଲ୍ଲାର ଆଦିବାସୀମାନେ ନିଜ ସ୍ଥାନରେ ରହି ସମସ୍ତ ଜନମଙ୍ଗଳ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଡଃ ଉଦୟନୀଥ ଖରା କହିଲେ ଯେ,ସଂବିଧାନ ପ୍ରଣେତା ଡଃ ଆମ୍ବେଦକର ଆମକୁ ସବୁ କିଛି ଦେଇଛନ୍ତି । ଆଜି ଆଦିବାସୀ ସମାଜର ଶିକ୍ଷା, ସରକାରୀ ବିଭାଗରେ କର୍ମ ନିଯୁକ୍ତି, ରାଜନୈତିକ ସଂରକ୍ଷଣ ଏ ସବୁ ଡଃ ବାବାସାହେବ ଆମ୍ବେଦକରଙ୍କ ମହାନ ଅବଦାନ । ସେ ଯଦି ଜନ୍ମ ହୋଇନଥାନ୍ତେ ଆଦିବାସୀ ସମାଜର ପ୍ରଗତି ଅସମ୍ଭବ ହୋଇଥାନ୍ତା ।ମହାପୁରୁଷଙ୍କୁ ଆମେ ଜାଣିବା ଉଚିତ ବୋଲି ସେ ମୁକ୍ତ କଣ୍ଠରେ ଉଦ୍ଘୋଷଣା କରିଥିଲେ । କେତେକ କୁଚକ୍ରୀ ଗୋଷ୍ଠୀ ସଂରକ୍ଷଣକୁ ବିରୋଧ କରୁଛନ୍ତି । ସଂରକ୍ଷଣକୁ ଉଛେଦ ପାଇଁ ଷଢଯନ୍ତ୍ର ରଚନା କରୁଛନ୍ତି,କିନ୍ତୁ ଆଦିବାସୀ ସମାଜ ଏଥି ପ୍ରତି ସଚେଚନ ଏବଂ ଜାଗ୍ରତ ହେବାକୁ ସେ ଆହ୍ବାନ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ପରଜା ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା ।ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ଜିଲ୍ଲ ପରଜା ସମାଜ ବିକାଶ ତରଫରୁ ମାନପତ୍ର ସହ ଉପଢୌକଣ ପ୍ରଦାନ କରାଯାଇଥିଲା ।ଶେଷରେ ପରଜା ସମାଜର ସଂପାଦକ ଶ୍ରୀନିବାସ ମୁଦୁଲୀ ଧନ୍ଯବାଦ ଅର୍ପଣ କରିଥିଲେ ।
(ରିରୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.