ମାଲକାନଗିରି,ତା:୨୬/୦୯(ପିପିଟି):ପଡିଆ ବ୍ଲକର ମାଟେରୁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାର୍କାଗୁଡା ଗ୍ରାମରେ ଦୀର୍ଘ ୨୫ ଦିନ ହେଲା ବିଦ୍ଯୁତ ବିଛିନ୍ନ ହୋଇ ଯାଇଥିବା ବେଳେ ମରାମତି ନହେବା ଯୋଗୁଁ ଗ୍ରାମବାସୀମାନେ ଅନ୍ଧାରରେ ଜୀବନ ବିତାଉଥିବା ଜଣା ପଡିଛି । ଟାଟା କଂପାନି ବିଦ୍ଯୁତ ଉପଭୋକ୍ତା ମାନଙ୍କୁ ଯେତିକି ଶୋଷଣ କରୁଛି,ସେତିକି ସେବା ଯୋଗାଉ ନଥିବା ଏକୁ ନଗ୍ନ ଉଦାହରଣ ହେଲା ଆଦିବାସୀ ଅଧ୍ଯୁସିତ ଗ୍ରାମ ମାର୍କାଗୁଡା । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ ବିଗତ ସାତ ବର୍ଷ ତଳେ ଗ୍ରାମକୁ ବିଦ୍ୟୁତ ସଂଯୋଗ ହୋଇଥିଲା । ଗ୍ରାମରେ ପ୍ରାୟ ୨୨ ପରିବାର ରହିଥିବା ବେଳେ ଜନ ସଂଖ୍ୟା ପ୍ରାୟ ୧୫୦ ହେବେ । ମାର୍କାଗୁଡା ଗ୍ରାମରେ ଝଡ଼ ତୋଫାନ ହେବା ଯୋଗୁଁ ବିଦ୍ଯୁତ ଟ୍ରାନ୍ସଫର୍ମର ଖମ୍ବ ଉପରେ ଗଛ ପଡି ଭାଙ୍ଗିଯାଇଥିଲା । ଫଳରେ ୨୫ ଦିନ ହେଲା ବିଦ୍ୟୁତ ଯୋଗାଣ ଉକ୍ତ ଗ୍ରାମକୁ ସଂପୂର୍ଣ୍ଣ ବନ୍ଦ ରହିଛି । ଏ ସଂପର୍କରେ ଗ୍ରାମବାସୀମାନେ ପଡିଆରେ ରହୁଥିବା ଜୈନେକ ବିଦ୍ୟୁତ କର୍ମଚାରୀଙ୍କୁ ଅବଗତ କରାଥିଲେ । ଅଭିଯୋଗର ଦୁଇ ଦିନ ପରେ ବିଦ୍ୟୁତ ବିଭାଗ ତରଫରୁ ବିଦ୍ୟୁତ ଦେୟ ସଂଗ୍ରହ କରିବାକୁ କର୍ମଚାରୀଙ୍କୁ ଗ୍ରାମର ଭାଙ୍ଗି ଯାଇଥିବା ଟ୍ରାନ୍ସଫର୍ମର ବିଷୟରେ ଜଣାଇଥିଲେ ମଧ୍ୟ କର୍ମଚାରୀ ଜଣଙ୍କ ନିଜର ଅକ୍ଷମତା ପ୍ରକାଶ କରିବା ସହ କାଲିମେଳା ରେ ଥିବା ଯନ୍ତ୍ରୀଙ୍କୁ ନିକଟରେ ଏକ ଦରଖାସ୍ତ ମାଧ୍ୟମରେ ଆବେଦନ କରିବାକୁ କହିଥଲେ । ମାର୍କାଗୁଡା ଗ୍ରାମ ଠାରୁ କାଲିମେଳା ୪୦ କିମି ଦୂରରେ ବିଦ୍ୟୁତ ଅଫିସ ରହିଥିବା ବେଳେ ବିଦ୍ଯୁତ କର୍ମଚାରୀମାନେ ଆସି ନିର୍ମାଣ କରିବାରେ ଆନ୍ତରିକତା ଦେଖାଉ ନଥିବା ଜଣାପଡିଛି । ଗ୍ରାମବାସୀ କହିବା ଅନୁଯାଇ ସେମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟୁତ ବିଲ ପୈଠ କରି ଆସୁଥିଲେ ମଧ୍ଯ ବର୍ତ୍ତମାନ ବିଦ୍ୟୁତ (ଟାଟା କମ୍ପାନି)ସେବା ଯୋଗାଇବା ବିଫଳ ବୋଲି ଅଭିଯୋଗ ହୋଇଛି । ତେବେ ଟାଟା କମ୍ପାନୀ ଅଧିନରେ କର୍ମରତ ବିଦ୍ଯୁତ କର୍ମଚାରୀମାନେ କେବେ ଉକ୍ତ ଆଦିବାସୀ ଗ୍ରାମକୁ ଯାଇ ବିଦ୍ଯୁତ ସଂଯୋଗ କରି ଲୋକମାନଙ୍କୁ ସେବା ଯୋଗାଇବ କେବେ ଦେଖିବାକୁ ବାକି ରହିଲା ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)