ମାଟି ଅତଡା ଖସି ୨ ଜଣ ଶ୍ରମିକ ମୃତ ଏବଂ ୩ ଜଣ ଆହତ ।

0 2,426

ବ୍ରହ୍ମପୁର,୨୭/୦୬(ପିପିଟି); ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଫାସିଗୁଡ଼ା ଗ୍ରାମରେ ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି । ଫାସିଗୁଡ଼ା ଗ୍ରାମର ନୂଆଁସାହିରେ ଏକ ନିର୍ମାଣାଧିନ କଲଭର୍ଟରେ ମାଟି ଅତଡ଼ା ୨୫ ଫୁଟ ତଳକୁ ଖସିଯିବାରୁ ଏହାତଳେ କାମ କରୁଥିବା ଦୁଇ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇ ଚିକିତ୍ସାଧିନ ଅଛନ୍ତି । ମୃତକ ମହିଳାମାନେ ହେଲେ ଜମୁନା ନାୟକ (୨୦), ବର୍ଷା ନାୟକ (୧୬) । ଆହତ ମନେ ହେଲେ ସୂର୍ଯ୍ୟ ବିଷୋୟୀ (୩୫), ସତ୍ୟ ନାୟକ (୩୦), ଆନ୍ଦିଲି ନାୟକ (୧୭) ରହିଛନ୍ତି । ଘଟଣାରୁ ପ୍ରକାଶ ଯେ ଆଜି ଫାସିଗୁଡ଼ା ଗ୍ରାମ ନୂଆଁସାହିରେ ବ୍ରହ୍ମପୁର ଡ଼୍ରେନେଜ ବିଭାଗ ପକ୍ଷରୁ ନିର୍ମାଣାଧିନ କଲଭର୍ଟର କାମ ଚାଲିଥିଲା । ଏହି ସମୟରେ ଉପର ମାଟି ଦବିଯିବାରୁ ତଳେ କାମ କରୁଥିବା ଶ୍ରମିକମାନେ ମାଟି ତଳେ ଚାପି ହୋଇ ରହିଯାଇଥିଲେ । ଖବରପାଇ ସଙ୍ଗେ ସଙ୍ଗେ ଦିଗପହଣ୍ଡି ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଜେସିବି ମାଧ୍ୟମରେ ମାଟି ଖୋଳି ମହିଳାମାନଙ୍କୁ ଉଦ୍ଧାର କରିଥିବାବେଳେ ଦୁଇଜଣଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ ହୋଇଥିଲା । ଅନ୍ୟ ତିନିଜଣଙ୍କୁ ଦିଗପହଣ୍ଡି ମେଡ଼ିକାଲ୍‌କୁ ନିଆଯାଇଥିବାବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳୁଛି । ଘଟଣାସ୍ଥଳରେ ବ୍ରହ୍ମପୁର ଉପଜିଲ୍ଲାପାଳ ୱ.କୀର୍ତ୍ତି ୱାସନ,ଦିଗପହଣ୍ଡି ବିଡ଼ିଓ ହଳଧର ଶବର ,ଦିଗପହଣ୍ଡି ତହସିଲ୍‌ଦାର ଅଦ୍ଵୈତ କୁମାର ସ୍ୱାଇଁ , ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ, ଫାସିଗୁଡା ସମିତି ସଭ୍ୟ ଶିବରାମ ପ୍ରଧାନ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ମୃତବ୍ୟକ୍ତିଙ୍କୁ ତୁରନ୍ତ କ୍ଷତିପୂରଣ ପାଇଁ ଦାବି କରାଯାଇଥିଲା । ତେବେ ନିର୍ମାଣାଧିନ କଲଭର୍ଟ କାମ ଅତି ନିମ୍ନମାନର ହୋଇଥିବାରୁ ଏଭଳି କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେଉଣୁ ମାଟି ଅତଡ଼ା ଖସିଯାଇଥିଲା । ଏହାସହ କଲଭର୍ଟ ନିର୍ମାଣ ବେଳେ ସୁରକ୍ଷା ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇ କମ ବୟସର ନାବାଳିକା ଝିଅମାନଙ୍କୁ କାମରେ ଲଗାଯାଉଥିବା ନଜରକୁ ଆସିଛି । ଏହି ଦୁର୍ଘଟଣାରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ସହ ମୃତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସାଧାରଣ ଦାବି ହୋଇଛି ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.