ମାଁ ବ୍ରାହ୍ମଣ ଦେବୀ ଯାତ୍ରା ପରିଚାଳନା ପାଇଁ ଥାନାଧିକାରୀ ଓ ନିର୍ବାହୀ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲା ରୋଟାରୀ କ୍ଲବ ।

0 441

ବେଲଗୁଣ୍ଠା ,୦୮/୦୬ (ପିପିଟି): ପରମ୍ପରା ସଂସ୍କୃତି ସମ୍ପନ୍ନ ବେଲଗୁଣ୍ଠା ସହରର ପ୍ରସିଦ୍ଧ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଏ ବର୍ଷ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ଶ୍ରଦ୍ଧାଳୁ ମାନେ ବହୁ ଆନନ୍ଦ ଓ ଉଲ୍ଲାସର ସହିତ ମହୋତ୍ସବ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆତସବାଜିରେ ଯାତ୍ରା ଉପଭୋଗ କରିଛନ୍ତି । ଶ୍ରଦ୍ଧାଳୁ ବା ଦର୍ଶକଙ୍କ ପାଇଁ ଯାତ୍ରା ଉପଭୋଗ୍ୟ ହେଲେ ମଧ୍ୟ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସମୟପୋଯୋଗୀ ଯୋଜନା,ସଂଯୋଜନା ଓ ପରିଚାଳନା ପାଇଁ ଏ ବର୍ଷ ଯାତ୍ରା ସରସ ଓ ସୁନ୍ଦର ହୋଇଛି ।ଏ ନେଇ ରୋଟାରୀ କ୍ଲବ ଭଞ୍ଜନଗର ତରଫରୁ ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ କୁମାର ସାହୁ ଓ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ରୋଟାରିଆନ୍ ମଧୁସୂଦନ ମହାପାତ୍ରଙ୍କ ସଭାପତିତ୍ବ ହୋଇଥିବା ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ବିଶିଷ୍ଟ ସାହିତ୍ୟିକ ତଥା ସମ୍ବାଦ ସାହିତ୍ୟ ଘର ସଭାପତି ମୋତିଲାଲ୍ ପତି ଐତିହାସିକ ଠାକୁରାଣୀ ଯାତ୍ରା ବିଷୟରେ ବିହଙ୍ଗାବଲୋକନ କରିଥିଲେ । ଯାତ୍ରାର ପରମ୍ପରା ବିଷୟରେ ଅବଗତ କରାଇଥିଲେ ।ବେଲଗୁଣ୍ଠା ଯାତ୍ରା ବେଳେ ବେଲଗୁଣ୍ଠା ସହର ଦୁଇ ଭାଗ ହୋଇଯାଏ ବେଳେ ବେଳେ ଏହା ଗୋଷ୍ଠୀ ସଂଘର୍ଷର ମଧ୍ୟ ରୂପ ନିୟେ ବୋଲି ଇତିହାସ କହେ । କିନ୍ତୁ ଶାନ୍ତି ପ୍ରିୟ ବେଲଗୁଣ୍ଠା ସହରରେ ବହୁ ବର୍ଷ ହେଲା ଏପରି ଘଟିଥିବା ନଜିର ନଥିଲା ବେଳେ ମହୋତ୍ସବ କମିଟି ତଥା ପ୍ରଶାସନିକ ସ୍ତରରେ ଆଗ୍ରହ ଯୋଗୁଁ ଏ ବର୍ଷ ଯାତ୍ରା ବହୁତ ଭଲ ହେଲା ବୋଲି ବୈଠକରେ ମତପ୍ରକାଶ ପାଇଥିଲା ।ତା ସହିତ ଯାତ୍ରା ଭିଡ ତଥା ଆତସବାଜି ପ୍ରଦର୍ଶନ ସମୟରେ ନିଜେ ଥାନାଧିକାରୀ ପ୍ରକାଶ କୁମାର ସାହୁ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ବ୍ୟବସ୍ଥା ତଦାରଖ କରିବା ନିଶ୍ଚିତ ଭାବେ ପ୍ରଶଂସା ଯୋଗ୍ୟ ବୋଲି ଡିଷ୍ଟ୍ରିକ୍ଟ ଆସିଷ୍ଟାଣ୍ଟ ଗଭର୍ଣ୍ଣର ଭି ଦେବୀ ପ୍ରସାଦ ପାତ୍ର ପ୍ରକାଶ କରିଥିଲେ । ତାଙ୍କର ଏହି ପ୍ରୟାସ ଯୋଗୁଁ କୌଣସି ପ୍ରକାର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇ ନଥିଲା । ସେହିପରି ଯାତ୍ରା ସରସ ସୁନ୍ଦର ହେବାରେ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ରଙ୍କ ପରିଚାଳନା ମଧ୍ୟ ପ୍ରଶଂସନୀୟ ବୋଲି ଅତିଥି ମାନେ ପ୍ରକାଶ କରିଛନ୍ତି । ବେଲଗୁଣ୍ଠାର ସର୍ବସାଧାରଣଙ୍କ ସହିତ ସମନ୍ୱୟ ରକ୍ଷା କରି ମହୋତ୍ସବର ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉତ୍ତମ ରୂପେ ସମ୍ପାଦନା କରିବାରେ ସେ ଉଦାହରଣ ସୃଷ୍ଟି କରିଛନ୍ତି । ଏ ନେଇ ଦୁଇ ଅଧିକାରୀଙ୍କୁ ଭଞ୍ଜନଗର ରୋଟାରୀ କ୍ଲବ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଦୁଇ ଅଧିକାରୀ ଭଞ୍ଜନଗର ରୋଟାରୀ କ୍ଲବକୁ ଏହି ସମ୍ମାନ ପାଇଁ କୃତଜ୍ଞତା ଜଣାଇବା ସହିତ ଯାତ୍ରାରେ ସହଯୋଗ କରିଥିବା ପରିଚାଳନା କମିଟି,ବେଲଗୁଣ୍ଠା ସହରବାସୀ, ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ପ୍ରଶାନ୍ତ କୁମାର ସାହୁ ମାନପତ୍ର ପାଠ କରିଥିବା ବେଳେ, ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ବଣିକ ସଂଘ ସଭାପତି ସନ୍ନତ କୁମାର ସୁବୁଦ୍ଧି ଓ ଅନ୍ୟ ରୋଟାରିଆନ୍ ମାନେ ଉପସ୍ଥିତ ଥିଲେ ।ଏହି ଅବସରରେ ଗତ ବର୍ଷ ଇହଧାମ ସମ୍ବରଣ କରିଥିବା ବିଶିଷ୍ଟ ନାଟ୍ୟକାର ସଂଗ୍ରାମ୍ ପତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅତିଥି ମାନଙ୍କ ଦ୍ଵାରା “ନଟସମ୍ରାଟ ସଂଗ୍ରାମ” ନାମରେ ଗୋଟିଏ ସ୍ମରଣୀକା ଉନ୍ମୋଚନ ହୋଇଥିଲା ।ପରିଶେଷରେ ବଳରାମ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

 

ରିପୋର୍ଟ-ସୁଶାନ୍ତ କୁମାର ବେହେରା

Leave A Reply

Your email address will not be published.