ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସକାଶେ ସଭା ଗୃହ ନିର୍ମାଣ ପାଇଁ ଦାବି ।

0 631

ପୋଲସରା,୨୬/୧୦(ପିପିଟି): ପୋଲସରା ପଞ୍ଚାୟତ ସମିତି ଅନ୍ତର୍ଗତ କଳମ୍ବ ଗ୍ରାମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସକାଶେ ସଭା ଗୃହ ନିର୍ମାଣ କରିବା ପାଇଁ ଆଜି ଶତାଧିକ ସ୍ୱୟଂ ସହାୟକ ସଭ୍ୟା ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି। ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ସମୂହର ସଭାପତି ଓ ସମ୍ପାଦିକା ଜଣାଇଛନ୍ତି ଯେ କଳମ୍ବ ପଞ୍ଚାୟତରେ ଏକ ଶହ ରୁ ଉର୍ଦ୍ଧ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି ଏବଂ ଏହି ଗୋଷ୍ଠୀ ଗୁଡିକ ରେ ଏକ ହଜାରର ଅଧିକ ସଭ୍ୟା ରହିଛନ୍ତି ଏବଂ ନିୟମିତ ଭାବେ ଗୋଷ୍ଠୀ ଗୁଡିକର ବୈଠକ ଅନୁଷ୍ଠିତ ହେଉଛି। ତେବେ ବୈଠକ କରିବା ପାଇଁ ଗୃହ ଟିଏ ନଥିବାରୁ ମହିଳା ଗୋଷ୍ଠୀ ମାନେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ସଭା ଗୃହଟିଏ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି। ଅପରପକ୍ଷରେ ଗତ ତିନି ବର୍ଷ ପୂର୍ବେ କଳମ୍ବ ଗ୍ରାମରେ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟ ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଜଣା ଯାଇଛି। ତେବେ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ଉକ୍ତ ଗୃହକୁ ବର୍ତ୍ତମାନ ସୁଦ୍ଧା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ହସ୍ତାନ୍ତର କରାଯାଇନାହିଁ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସକାଶେ ନିର୍ମିତ ଉକ୍ତ ଗୃହ ରେ ଘରୋଇ ଉଦ୍ୟମରେ ପରିଚାଳିତ ଗୋଟିଏ ବାଳିକା ବିଦ୍ୟାଳୟ ଚାଲିଛି। ଏଣୁ ଏ ସମ୍ପର୍କରେ ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଏବଂ ବିଶେଷ କରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବଗତ ଅଛନ୍ତି କି ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନେ ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଦାବି ପତ୍ର ଦେବା ବେଳେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦାବି ପୂରଣ ନହେଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ସ୍ୱୟଂ ସହାୟକ ଗୋଷ୍ଠୀ ସମୂହର ସଭାନେତ୍ରୀ ମହାଲକ୍ଷ୍ମୀ ପ୍ରଧାନ,ସମ୍ପାଦିକା ସାବିତ୍ରୀ କୁମାରୀ ସାହୁ ଏବଂ କୋଷାଧ୍ୟକ୍ଷା ସୁନିତା କୁମାରୀ ସାହୁଙ୍କ ସମେତ ଅନ୍ୟ ସଭ୍ୟା ମାନେ ଚେତାବନୀ ଦେଇଛନ୍ତି।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.