ଭଞ୍ଜନଗର,୦୩/୦୭(ପିପିଟି); ଭଞ୍ଜନଗର ଲଣ୍ଡେଇ ସାହି ୟୁନିଟ-୩ରେ ଭଡ଼ାଘରେ ରହୁଥିବା ଆର.ଡ଼ି ମହିଳା କନିଷ୍ଠ ଯନ୍ତ୍ରୀ ଜେ.ଅନିତା କୌଣସି କାରଣରୁ ଗତମାସ ୨୧ ତାରିଖରେ ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏହା ପରେ ପୋଲିସ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ୨୪ତାରିଖରେ ଘରର କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଥିଲା। ପ୍ରଥମେ ଏହାକୁ ସମସ୍ତେ ଆତ୍ମହତ୍ୟା ବୋଲି ଗ୍ରହଣ କରିଥିଲେ ମଧ୍ୟ ଆତ୍ମହତ୍ୟାର ପ୍ରକୃତ କାରଣ ଉପରୁ ପର୍ଦ୍ଦାଫାଶ କରିଛି ପୋଲିସ। ମୃତ ଯନ୍ତ୍ରୀଙ୍କ ସହକର୍ମୀ ଅନ୍ୟ ଜଣେ ପୁରୁଷ ଯନ୍ତ୍ରୀଙ୍କ ନାମରେ ଅନିତାଙ୍କ ସାନ ଭଉଣୀ ଜେ. ଆରତୀ ଏସମ୍ପର୍କରେ ଭଞ୍ଜନଗର ଥାନାରେ ଗତ ୨୮ତାରିଖରେ ଅଭିଯୋଗ କରିଥିଲେ। ମୃତଦେହ ନିକଟରୁ ପୋଲିସ ଏକ ସୁଇସାଇଡ଼ ନୋଟ ଓ ମୋବାଇଲ ଫୋନ ଜବତ କରିଥିଲା।ମୃତ୍ୟୁ ପୂର୍ବରୁ ମହିଳା ଯନ୍ତ୍ରୀ ନିଜ ଆତ୍ମହତ୍ୟାର କାରଣ ନିଜ ସହକର୍ମୀ ପୁରୁଷ ଯନ୍ତ୍ରୀ ବୋଲି ଏକ ଭିଡ଼ିଓ କରି କହିଥିବା ସୂଚନା ମିଳିଛି। ଏଥିସହ ସେ ଅନିତାଙ୍କୁ ବିଭିନ୍ନ ଧମକ ଚମକ ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲେ ଏବଂ ଅଶ୍ଳୀଳ ମେସେଜ କରୁଥିବା ଜଣାପଡିଛି। ସମସ୍ତ ଅଭିଯୋଗକୁ ଭିତ୍ତି କରି ପୋଲିସ ମୃତ ଅନିତାର ସହକର୍ମୀଙ୍କ ନିଜ ଘର ବାଲେଶ୍ୱର ଜିଲ୍ଲା ରାଜବ୍ରହ୍ମପୁର ଥାନା ତଳ ଶୋକାକୁଳ ଗ୍ରାମର ସ୍ବର୍ଗତ ରୂପ ମାଢ଼େଇଙ୍କ ପୁଅ ସହଦେବ ମାଢ଼େଇ ବୋଲି ଜଣାପଡ଼ିଛି। ସେ ଏଠାରେ ଗ୍ରାମ ଉନ୍ନୟନ ବିଭାଗରେ କାର୍ଯ୍ୟ କରୁଥିଲେ। ଉକ୍ତ ଯନ୍ତ୍ରୀଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବା ପରେ ପ୍ରମାଣ ଭିତ୍ତିରେ ଗିରଫ କରିବା ସହ ୨୬୭/୨୧ଏକ ମାମଲା ରୁଜୁ କରି ଶନିବାର କୋର୍ଟ ଚାଲାଣ କରି ଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି।ସୂଚନା ମୁତାବକ ମୃତ ମହିଳା କନିଷ୍ଠ ଯନ୍ତ୍ରୀ ଅନିତା ଓ ସହକର୍ମୀ ଯନ୍ତ୍ରୀ ସହଦେବ ଗୋଟିଏ କାର୍ଯ୍ୟାଳୟରେ କାମ କରୁଥିବାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। କିଛି ଦିନ ପରେ ସହଦେବ ଅନିତାକୁ ଧୋକ୍କା ଦେଇ ଅନ୍ୟତ୍ର ବିବାହ କରିଥିଲେ। ଏହି ଘଟଣାକୁ ସହଜରେ ଗ୍ରହଣ କରି ପାରି ନଥିଲେ ଅନିତା।ଯାହାକୁ ନେଇ ଦୁହିଁଙ୍କ ଭିତରେ ଅଶାନ୍ତି ଲାଗି ରହିଥିଲା। କିଛି ଦିନ ମାନସିକ ଚାପରେ ରହିବା ପରେ ଅନିତା ଶେଷରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )