ମହିଳାମହାସଂଘ ଏମ.ବି.କେ ଏବଂ ବ୍ୟାଙ୍କମିତ୍ର ପଦବୀ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଲେ ମହିଳା ଗୋଷ୍ଠି ।

0 3,502

ସାନଖେମୁଣ୍ଡି,୧୦/୦୭(ପିପିଟି);ଗ୍ରାମାଞ୍ଚଳରେ ଗଠିତ ହୋଇଥିବା ମହିଳାଗୋଷ୍ଠିଙ୍କ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବା ସହ ଅଧିକରୁ ଅଧିକମାତ୍ରାରେ ମହିଳାଗୋଷ୍ଠିଙ୍କ ସାମାଜିକ ଅର୍ଥନୈତିକ ବିକାଶପାଇଁ ସରକାରୀ ସ୍ତରରେ ବହୁତ୍ ଗୁରୁତ୍ୱ ଦିଆଯାଉଛି । ଗ୍ରାମାଞ୍ଚଳର ମହିଳା ଗୋଷ୍ଠିଙ୍କୁ ପଞ୍ଚାୟତ ସ୍ତରରେ ଏକତ୍ରିତକରି ମହିଳା ମହାସଂଘ ଗଠନ କରିବା ସହ ମହାସଂଘକୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରିବାପାଇଁ ଉଦ୍ୟମ ଜାରି ରହିଛି । ପଞ୍ଚାୟତ ସ୍ତରରେ ମହିଳା ମହାସଂଘ ଗଠନସହ ସଂଘର ସୁପରିଚାଳନା ଓ ସରକାରୀ ଯୋଜନାର ହିସାବ ନିକାଶ ଆର୍ଥିକ କାରବାର ଆୟ ବ୍ୟୟ ତଦାରଖ ସମେତ ବିଭିନ୍ନ କାର୍ଯ୍ୟ ପରିଚାଳନା ପାଇଁ ନୂତନ ପଞ୍ଚାୟତ ସ୍ତରରେ ଦକ୍ଷ ନଥିପତ୍ର ପରିଚାଳିକା ଏମ.ବି.କେ ଓ ବ୍ୟାଙ୍କମିତ୍ର ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ନିର୍ଦ୍ଧିଷ୍ଟ ଯୋଗ୍ୟତା ମେଧା ଅଭିଜ୍ଞତା ଭିତ୍ତିରେ ବ୍ଲକସ୍ତରରେ ଏହି ପଦବୀ ପାଇଁ ପ୍ରାର୍ଥୀନୀ ମାନଙ୍କ ଠାରୁ ଆବେଦନ ଆହ୍ୱାନ କରାଯିବା ସହ ଲିଖିତ ଓ ମୌଖିକ ପରୀକ୍ଷାର ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ସାନଖେମୁଣ୍ଡି ବ୍ଲକ ପରିସରରେ ଗତ ୭ ତାରିଖରେ ଅନୁଷ୍ଠିତ ହୋଇଥିବା ଏମ.ବି.କେ ଓ ବ୍ୟାଙ୍କମିତ୍ର ପାଇଁ ଲିଖିତ ମୌଖିକ ପରୀକ୍ଷାରେ ଘୋର ଚଞ୍ଚକତା ସହ ଅନିୟମିତତା ହୋଇଥିବା ନେଇ ଆବେଦନ କାରି ପରୀକ୍ଷା ଦେଇଥିବା ପ୍ରାର୍ଥୀନୀ ଓ ମହିଳା ମହାସଂଘର କର୍ମକର୍ତ୍ତା ଓ ସଭ୍ୟା ମାନେ ଆପତ୍ତି ଅଭିଯୋଗ କରିଛନ୍ତି । ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ମହିଳା ମହାସଂଘର ଶତାଧିକ ମହିଳା ଆଜି ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓ ଗାୟତ୍ରୀଦତ୍ତ ନାୟକଙ୍କୁ ପରୀକ୍ଷା ଓ ଚୟନପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସମ୍ପର୍କରେ ଅଭିଯୋଗ କରିବା ସହ ସଠିକ ତଦନ୍ତକରି ପଦକ୍ଷେପ ନେବାପାଇଁ ଦାବୀ କରିଛନ୍ତି । ମହାସଂଘର ଦକ୍ଷ ନଥିପତ୍ର ପରିଚାଳିକା ପାଇଁ ଲିଖିତ ଓ ମୌଖିକ ପରୀକ୍ଷାରେ କମ୍ପ୍ୟୁଟର ଜ୍ଞାନକୌଶଳ ଓ ଡିଗ୍ରୀ ଡିପ୍ଲୋମା ଗ୍ରାଜୁଏଟ ଅଭିଜ୍ଞତାସମ୍ପନ୍ନ ପ୍ରାର୍ଥୀନୀଙ୍କୁ ଉପେକ୍ଷା କରାଯିବା ସହ ମହାସଂଘର ସମ୍ପାଦିକାଙ୍କୁ ଶିକ୍ଷା ଓ ଯୋଗ୍ୟତାର କୌଣସି ମାନଦଣ୍ଡ ନଥାଇ ମନୋନୀତ କରାଯାଇଥିବା ଅଭିଯୋଗ ଆଣିଛନ୍ତି ମହିଳା ମାନେ । ଆଦୌ ଇଁରାଜୀ ଜଣାନଥିବା ଦେଖିଲେଖା ଶୃତଲିଖନ ଜାଣିନଥିବା ଜଣେ ମହିଳାଙ୍କୁ ଚୟନମଣ୍ଡଳି ଓ ବ୍ଲକ କାର୍ଯ୍ୟକ୍ରମ ପରିଚାଳକ କିଭଳି ପରୀକ୍ଷାରେ ଉତ୍ତୀର୍ଣ୍ଣ କରି ମନୋନୀତ କଲେ ତାହା ପଞ୍ଚାୟତର ସମସ୍ତ ମହିଳାଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଦୁଇଟି ପଦବୀପାଇଁ ଦୁଇଟି ପୃଥକ ପରୀକ୍ଷା ବ୍ୟବସ୍ଥା ଥିବାବେଳେ ଗୋଟିଏ ପଦବୀପାଇଁ ପରୀକ୍ଷା ଦେଇଥିବା ପ୍ରାର୍ଥୀନୀଙ୍କ ମାର୍କକୁ ଦୁଇ ଭାଗରେ ବିଭକ୍ତ ବେଆଇନଭାବେ କରାଯାଇଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମହିଳା ଗୋଷ୍ଟି । ମେଧାବୀ ଯୋଗ୍ୟତାସମ୍ପନ୍ନ ପ୍ରାର୍ଥୀନୀ ପଦବୀରୁ ବଞ୍ଚିତ ହୋଇଥିବାବେଳେ ମହାସଂଘର ନିଷ୍ପତ୍ତି ଓ ସୁପାରିଶରେ ମନୋନୀତ କରାଯାଇଥିବାନେଇ ବିପିଏମ କହୁଥିବା ନେଇ ବିଡ଼ିଓଙ୍କୁ ମହିଳାମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ବେଆଇନଭାବେ ଅନିୟମିତତା କରି ହୋଇଥିବା ପଞ୍ଚାୟତମହିଳା ମହାସଂଘର ଏମ.ବି.କେ ପଦବୀ ଚୟନକୁ ରଦ୍ଦ କରିବା ସହ ମହାସଂଘ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପଞ୍ଚାୟତ କାର୍ଯ୍ୟାଳୟରେ ପୁନଃ ପରୀକ୍ଷା କରି ପୁନଃପଦବୀ ଚୟନପାଇଁ ମହିଳା ଗୋଷ୍ଠି ଦାବୀ କରିବା ସହ ୭ ଦିନ ମଧ୍ୟରେ ପଦକ୍ଷେପ ନହେଲେ ସଂଘ ତରଫରୁ ମହିଳାମାନେ ସମୁହ ଇସ୍ତଫା ଦେଇ ଆନ୍ଦୋଳନ କରିବେ ବୋଲି ମହାସଂଘର ସଭାପତି ସୁଦଷ୍ନା ପାତ୍ର କିଶ୍ୱରୀ ପ୍ରଧାନ , ସଜନି ବିଷୋୟୀ , ଶର୍ମିଷ୍ଠା ନାୟକ , ପାର୍ବତୀ ଗୌଡ଼ , ଲିଲି ନାୟକ , ଭାଗ୍ୟ ବିଶୋଇ , ମେଳା ନାୟକ,ଚନ୍ଦ୍ରମା ନାୟକ, ରୀନା ଦଳେଇ,ବାସିନୀ ବିଶୋଇ, ସେବତୀନାୟକ,ଅତୁସିପାତ୍ର କବିତା ପରିଛା,ପୁଷ୍ପାଞ୍ଜଳି ନାୟକ, ଭାଗ୍ୟଲତା ପ୍ରଧାନଙ୍କ ସମେତ ଶତାଧିକ ମହିଳା ଚେତାବନୀ ଦେଇଛନ୍ତି । ବିଭାଗୀୟ ଜିଲ୍ଲା ଅଧିକାରୀଙ୍କ ସହ ଯୋଗାଯୋଗକରି ପଦକ୍ଷେପ ନିଆଯିବ ବୋଲି ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ମହିଳା ଗୋଷ୍ଠିଙ୍କୁ ପ୍ରତିଶୃତି ଦେଇଛନ୍ତି ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.