ବେଲଗୁଣ୍ଠା,୨୭/୧୦(ପିପିଟି):ମୃତ୍ୟୁ କାହା ପାଇଁ କେତେବେଳେ କେମିତି ଆସେ ତାହା ସମସ୍ତଙ୍କୁ ଅଜଣା । ଆଜି ଏହିଭଳି ଏକ ଦୁର୍ଘଟଣାରେ ଅକାଳ ମୃତ୍ୟୁ ବରଣ କରିଛନ୍ତି ବେଲଗୁଣ୍ଠା ଥାନା ଅନ୍ତର୍ଗତ ଲୁଣିଝୋଳା ଗ୍ରାମର ଲକ୍ଷ୍ମୀ ନାରାୟଣ ଗୌଡ଼ (୫୦) । ସୂଚନା ପ୍ରକାରେ ଆଜି ଲକ୍ଷ୍ମୀ ନାରାୟଣ ନିଜ ଘର ଆଗରେ ଛିଡ଼ା ହୋଇଥିବା ସମୟରେ ବେଲଗୁଣ୍ଠାରୁ ଭୁବନେଶ୍ୱର ଦିଗରେ ଯାଉଥିବା OD02AV6387 ନମ୍ଵର୍ ବିଶିଷ୍ଟ ଏକ ମହିନ୍ଦ୍ରା ପିକ୍ଅପ୍ ଗାଡ଼ି ଲକ୍ଷ୍ମୀ ନାରାୟଣଙ୍କୁ ଧକ୍କା ଦେଇ ଜଗନ୍ନାଥପ୍ରସାଦ ଅଭିମୁଖେ ଚାଲିଯାଇଥିଲା । ଘଟଣା ସ୍ଥଳରେ ହିଁ ଲକ୍ଷ୍ମୀ ନାରାୟଣଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ସ୍ଥାନୀୟ ଲୋକ ଦୁର୍ଘଟଣା ଘଟାଇଥିବା ଗାଡିକୁ ପିଛା କରି ଜଗନ୍ନାଥପ୍ରସାଦ ଥାନା ଅଧିକାରୀଙ୍କୁ ଖବର ଦେଇଥିଲେ । ଜଗନ୍ନାଥପ୍ରସାଦ ପୁଲିସ ରାସ୍ତାରେ ଗାଡ଼ିଟିକୁ ଜବତ କରିବା ସହିତ ବେଲଗୁଣ୍ଠା ପୁଲିସ ଲୁଣିଝୋଳାରେ ପହଞ୍ଚି ଲକ୍ଷ୍ମୀଙ୍କର ଶବକୁ ଭଞ୍ଜନଗର ମେଡିକାଲ୍ କୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ସାହୁ ସୂଚନା ଦେଇଛନ୍ତି । ଘଟଣା ନେଇ ବେଲଗୁଣ୍ଠା ଥାନାରେ କେଶ୍ ନମ୍ବର୍ ୨୭୪/୨୧ ରେ ଏକ ମାମଲା ରୁଜୁ ହୋଇଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )