ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ,୩ ଗୁରୁତର;ଓଭରଟେକ ବେଳେ ଦୁର୍ଘଟଣା ଘଟିଥିବା ଆଶଙ୍କା ।

0 943

ଭଞ୍ଜନଗର,୨୮/୦୧(ପିପିଟି):ଭଞ୍ଜନଗର ଠାରୁ ଦଶପଲ୍ଲା ୩୭ ନମ୍ବର ଜାତୀୟ ରାଜପଥର ସାହାଣପଲ୍ଲି  କିଳାପଟା ବନ୍ଧ ଛକ ନିକଟରେ ଆଜି ସନ୍ଧ୍ୟାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୨ ଜଣ ଯୁବକ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ତିନି ଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଆଜି ସନ୍ଧ୍ୟା ସାଢେ ୭ ଟା ସମୟରେ ଭଞ୍ଜନଗର ବାଉଁଶଲୁଣ୍ଡି ଗ୍ରାମର ଅବିନାଶ ପ୍ରଧାନ,ନେତ୍ରାନନ୍ଦ ସାହୁ,ଚିତ୍ତରଞ୍ଜନ ନାୟକ ଏକ ବାଇକରେ ତିନେହେଁ କୌଣସି କାମରେ କୁଲାଡ଼ ଗ୍ରାମକୁ ଯାଇ ଫେରୁଥିବା ସମୟରେ ଉକ୍ତ ସ୍ଥାନରେ ବିପରୀତ ଦିଗରୁ ଗୋଲାପଡା ଗ୍ରାମର ସ୍ବର୍ଗତ  ତ୍ରିଲୋଚନ ପ୍ରଧାନଙ୍କ ଏକ ମାତ୍ର  ପୁଅ ନରେନ୍ଦ୍ର ପ୍ରଧାନ(ଭୋଳା,୨୪) ଏବଂ କଣ୍ଟାଡୋର ଗ୍ରାମର ତ୍ରିନାଥ ସ୍ୱାଇଁଙ୍କ ପୁଅ ଲୋକନାଥ ସ୍ୱାଇଁ (୩୩) ଅନ୍ୟ ଏକ ବାଇକ ଯୋଗେ ଆସୁଥିବା ବେଳେ ଏକ ଅଜଣା ଗାଡିକୁ ଓଭରଟେକ କରିବା ସମୟରେ ଦୁଇ ବାଇକ ମୁଁହାମୁଁହି ଧକ୍କା ହେବା  ଫଳରେ ନରେନ୍ଦ୍ର ଏବଂ ଲୋକନାଥ ଉକ୍ତ ଅଜଣା ଗାଡି ଚକ ତଳେ ଚାପି ହୋଇ କିଛି ବାଟ ଘୋଷାଡ଼ି ହୋଇ  ରାସ୍ତା ଉପରେ ପଡି ପ୍ରବଳ ରକ୍ତସ୍ରାବ ହେବା କାରଣରୁ ଉଭୟଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି ।ଦୁର୍ଘଟଣାରେ ଅନ୍ୟ ବାଇକରେ ଥିବା ତିନି ଜଣ ଯୁବକ ରାସ୍ତାକଡ଼ରେ ଛିଟିକି ପଡି ଗୁରୁତର ହୋଇଥିଲେ ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବର ପାଇଁ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁଇ ମୃତ ଦେହକୁ ଜବତ କରି ଭଞ୍ଜନଗର ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି । ହେଲେ ଏଠାରେ ଗୁରୁତର ଥିବା ଯୁବକ ମାନେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି | ଦୁର୍ଘଟଣା ପରେ ଉକ୍ତ ରାସ୍ତାରେ ଏକ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା ଯାହାଫଳରେ ଉଭୟ ପାର୍ଶ୍ୱରେ ଯାନବାହାନ ଅଟକି ରହିଥିଲା  ଏବଂ ଦୁର୍ଘଟଣା ଘଟାଇଥିବା ଅଜଣା ଗାଡିଟି ଉକ୍ତ ସ୍ଥାନରୁ ଫେରାର ହୋଇଯାଇଥିବାବେଳେ ପୋଲିସ ତାକୁ ଧରିବା ପାଇଁ ଅନୁସନ୍ଧାନ ଜାରି ରଖିଛି।
(ରିପୋର୍ଟ- ଜେକେ ପଟ୍ଟନାୟକ। )

Leave A Reply

Your email address will not be published.