ବେଲଗୁଣ୍ଠା,୨୯/୦୮(ପିପିଟି); ସଡ଼କ ଏବଂ ପରିବହନ କ୍ଷେତ୍ରରେ ସରକାର ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ତୃଣମୂଳ ସ୍ତରରେ ଏହା କେତେ ଦୂର କାର୍ଯ୍ୟ କରୁଛି ତାହାର ହିସାବ କାହା ପାଖରେ ରହୁନି । ସରକାର ଗାଆଁକୁ ରାସ୍ତା ଏବଂ ମାଆକୁ ସମ୍ମାନର ନାରା ଦେଉଥିଲେ ମଧ୍ୟ ଗାଆଁକୁ ଦୂରରକଥା ବେଲଗୁଣ୍ଠା, ବୁଗୁଡ଼ା ଭଳି ସହର ଗୁଡ଼ିକୁ ଯୋଗ କରୁଥିବା ରାଜପଥ ଗୁଡ଼ିକର ଅବସ୍ଥା ମଧ୍ୟ ଯେ କେତେ ଶୋଚନୀୟ ତାହା ବେଲଗୁଣ୍ଠା ନିକଟସ୍ଥ ନିର୍ମାଣାଧୀନ ବୋଡ଼ା ନଦୀ ସେତୁରୁ ସ୍ପଷ୍ଟ ବାରି ହୋଇପଡୁଛି । ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ନିକଟ ବୋଡ଼ା ନଦୀ ଉପରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି । ଏହି ଜାତୀୟ ରାଜପଥଟି ଆସ୍କା ଠାରୁ ଭାୟା ବାଲିପଦର ହୋଇ ବେଲଗୁଣ୍ଠାକୁ ସଂଯୋଗ କରୁଛି। ଦୈନନ୍ଦିନ ହଜାର ହଜାର ସଂଖ୍ୟାରେ ଗାଡି ମଟର ଏହି ରାସ୍ତାରେ ଯାତାୟାତ କରିଥାଏ। କିନ୍ତୁ ବିଡମ୍ବନାର ବିଷୟ ଯେ ଦୀର୍ଘଦିନ ହେବ ମନ୍ଥର ଗତିରେ ଚାଲିଛି ଏହି ସେତୁର ନିର୍ମାଣ କାର୍ଯ୍ୟ।ଧାର୍ଯ୍ୟ ସମୟ ଠାରୁ ଏକ ବର୍ଷ ଅଧିକ ହୋଇ ଯାଇଥିଲେ ବି କାମ ସରିବା ନା ନେଉନି।ଅସ୍ଥାୟୀ ପୋଲ ଉପରେ ବିପଦ ସଂକୁଳ ଭାବେ ଯାତ୍ରା କରୁଛନ୍ତି ଲୋକେ।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ବଢ଼ିବା ସହିତ ଖୁବଶୀଘ୍ର କାମ ସାରିବାକୁ ଦାବି ହୋଇଛି। ଏହି ନିର୍ମାଣାଧୀନ ସେତୁ ନିକଟସ୍ଥ ଅସ୍ଥାୟୀ ପୋଲ ରାସ୍ତାରେ ଖାଲ ଖମା ହୋଇ ପାଣି ଜମି ରହିଛି। ଏହାରି ଉପରେ ପ୍ରତିଦିନ ଦିନ ହଜାର ହଜାର ଭାରିଯାନ ବେଲଗୁଣ୍ଠାରୁ ବୁଗୁଡ଼ା, ବାଲିପଦର ଏବଂ ଆସ୍କା ଭଳି ସହରକୁ ଚଳାଚଳ କରୁଛି। ତେଣୁ ଏହି ଅସ୍ଥାୟୀ ପୋଲ ରାସ୍ତାଟି କେତେବେଳେ ଭୁଶୁଡି ପଡିବ ତାହା କହିହେବ ନାହିଁ। ଚାରି ବର୍ଷ ହେଲା ସେତୁ ନିର୍ମାଣ କାର୍ଯ୍ୟ ଚାଲିଥିଲେ ମଧ୍ୟ କେବେ ସରିବ ତାହାର ଉତ୍ତର କାହା ପାଖରେ ନାହିଁ। ପ୍ରକାଶ ଥାଉକି ପୂର୍ବରୁ ବ୍ରିଟିଶ ଅମଳରୁ ଥିବା ପୋଲଟି ଭାଙ୍ଗି ଯିବା ପରେ ୨୦୧୮ ମସିହାରେ ପୂର୍ତ୍ତ ବିଭାଗ ପକ୍ଷରୁ ୧୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।ଦେଢ଼ ବର୍ଷ ଭିତରେ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ରହିଥିଲା। କିନ୍ତୁ ଠିକାଦାର ଓ ଵିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ନିର୍ମାଣ କାର୍ଯ୍ୟ ବିଳମ୍ବ ହେବାରେ ଲାଗିଛି। ଆମ୍ବପୁଆ, ମଙ୍ଗଳପୁର,ବଙ୍କା ଭଳି ଆଠଟି ପଞ୍ଚାୟତର ଲୋକେ ବୋଡା ନଦୀ ଉପରେ ଥିବା ଅସ୍ଥାୟୀ ପୋଲ ପାରକରି ବେଲଗୁଣ୍ଠା ଆସିଥାନ୍ତି। ହେଲେ ବର୍ଷା ଦିନେ ନଦୀରେ ଜଳସ୍ତର ବଢିବାପରେ ଅସ୍ଥାୟୀ ପୋଲ ଧୋଇ ହୋଇଯାଏ। ଫଳରେ ସେମାନଙ୍କୁ ୨୦ କିଲୋମିଟର ରାସ୍ତା ବୁଲି ଆସିବାକୁ ପଡିଥାଏ। ଏହି ଅଣଓସାରିଆ ଅସ୍ଥାୟୀ ପୋଲ ଉପରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ଜୀବନ ଗଲାଣି।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢୁଛି। ଏହା ସହିତ ସେତୁ ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଉଥିବା ମଧ୍ୟ ଅଂଚଳ ବାସୀ ଅଭିଯୋଗ ଆଣିଛନ୍ତି । କାର୍ଯ୍ୟ ଚାଲିଥିବା ବେଳେ କୌଣସି ଅଧିକାରୀ ରହୁନଥିବା ବେଳେ ଖୁବ ନିମ୍ନମାନର ଢଳାଇ କାର୍ଯ୍ୟ ହେଉଥିବା କାରଣରୁ ସେତୁର ସ୍ଥାୟିତ୍ୱ କୁ ନେଇ ପ୍ରଶ୍ନ ଉଠିଛି । ପ୍ରତିକ୍ରିୟା ପାଇଁ ପୂର୍ତ୍ତବିଭାଗ ସହ ବାରମ୍ବାର ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅନୁପସ୍ଥିତ କାରଣରୁ ପ୍ରତିକ୍ରିୟା ମିଳିପାରିନାହିଁ । ଅହେତୁକ ବିଳମ୍ବ କାରଣରୁ ଅଞ୍ଚଳବାସୀ ସେତୁ କାର୍ଯ୍ୟକୁ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଦିନରେ ଏହାକୁ ନେଇ ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )