ମାଲକାନଗିରି,୧୭/୧୧(ପିପିଟି): ମାଲକାନଗିରି ଜିଲ୍ଲା ଆମ ଆଦମୀ ପାର୍ଟି ତରଫରୁ ମଦ ଦୋକାନ ବନ୍ଦ କରିବା ପାଇଁ ଜିଲ୍ଲାପାଳ ବିଶାଳ ସିଂଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ୱାଇ ବିଜୟ ପୌରାଞ୍ଚଳ ର ୱାର୍ଡ ନଂ-୫ ଏବଂ ୱାର୍ଡ ନଂ-୧୩ ଠାରେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ମଦ ମାଲିକକୁ ବେନିୟମ ତଥା ଅବୈଧ ଭାବେ ଲାଇସେନ୍ସ ଦେଇଥିଲା ବେଳେ ଏହାକୁ ଜନସ୍ବାର୍ଥ ଦୃଷ୍ଟିରୁ ବନ୍ଦ କରିବା ପାଇଁ ଦାବି ହୋଇଛି। ସୂଚନା ରୁ ପ୍ରକାଶ ଯେ, ୱାର୍ଡ ନଂ-୫ରେ ଥିବା ମଦ ଦୋକାନ ଟି ଜାତୀୟ ରାଜପଥ ଠାରୁ ୫୦୦ ମିଟର ଦୂରରେ ଅବସ୍ଥିତ। ଏହି ମଦ ଦୋକାନ ସମ୍ମୁଖରେ ଏକ କେନାଲ ପ୍ରାହିତ ହେଉଛି। ଏହାର ଅତି ନିକଟରେ ସତ୍ଯ ନାରାୟଣ ମହିଳା ନର୍ସିଂ କଲେଜ, ଅନ୍ତେବାସୀ ଛାତ୍ରୀ, ଏଏନଏମ ପ୍ରଶିକ୍ଷଣ କେନ୍ଦ୍ର ରହିବା ବେଳେ ଏହାର ପଛ ପଟେ ଦୁର୍ଗାଗୁଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ଅବସ୍ଥିତ। ଚିରସ୍ରୋତା କେନାଲରେ ସ୍ଥାନୀୟ ମହିଳା, ଝିଅ, ବୋହୁମାନେ ସ୍ନାନ ପ୍ରତିଦିନ କରୁଥିବା ବେଳେ କିଛି ମଦ୍ଯପମାନେ ମୋବାଇଲରେ ଅଶ୍ଲୀଳ ଫଟୋ ଉଠାଇବା, ଅଶ୍ଲୀଳ ଇଙ୍ଗିତ କରିବା ଏବଂ କମେଣ୍ଟ ମାରିଥାନ୍ତି। ଏହା ବ୍ଯତୀତ କେନାଲ କୁ ଲାଗି ଚାଷ ଜମି ରହୁଥିବାରୁ ମଦ୍ଯପାନ କରି ମଦ୍ଯପମାନେ ବୋତଲକୁ ଭାଙ୍ଗି ଫୋପାଡି ଦେଇଥାନ୍ତି ଫଳରେ ଚାଷ କଲା ବେଳେ ଚାଷୀଙ୍କ ପାଦରେ କାଚ ଖଣ୍ଡ ପଶି ସ୍ବାସ୍ଥ୍ଯ ସମସ୍ଯା ସୃଷ୍ଟି ହୋଇଥାଏ । ସେହି ପରି ୱାର୍ଡ ନଂ-୧୩ ରେ ଖୋଲା ଯାଇଥିବା ବିଦେଶୀ ମଦ ଦୋକାନ ଅବକାରୀ ନିୟମକୁ ଖୋଲାେଖାଲି ଉଲଙ୍ଘନ କରୁଛି। ଏହି ମଦ ଦୋକାନ ନିକଟରେ ୫୦୦ ଶଯ୍ୟା ବିଶିଷ୍ଟ ଅନୁସୂଚିତ ଛାତ୍ରାବାସ ରହିଛି। ଏହି ହଷ୍ଟେଲ କାନ୍ଥକୁ ଲାଗି ମଦ ଦୋକାନ ରହିଛି ଏବଂ ଅବାଧରେ ମଦ ବିକ୍ରି ଚାଲିଛି। ଏଠାରେ ମଦ୍ଯପାନ କରୁଥିବା ମଦ୍ଯପଙ୍କ ଦୃଶ୍ଯ ସିଧାସଳଖ କୋମଳ ମତି ଛାତ୍ରଙ୍କ ଉପରେ କୁପ୍ରଭାବ ପଡୁଛି। ଏହା ଛଡା ୮/୯ ଟି ଜୁଡିସିଆଲ କ୍ବାର୍ଟର ରହିଛି। ସେଠାରେ ବିଚାରପତିମାନେ ନିବାସ କରୁଛନ୍ତି, ଏଣୁ ମଦ୍ଯପାନ କରି ମଦ୍ଯପ୍ଯ ମାନଙ୍କ ଉନ୍ମତ୍ତ କାଣ୍ଡ ଦେଖବାକୁ ମିଳୁଛି। ଏହାର ନିକଟରେ ମାଲକାନଗିରି ମହାବିଦ୍ୟାଳୟର ଏଏସି/ଏସଟି ଛାତ୍ରାବାସ ରହିଥିବା ବେଳେ ଅନତି ଦୂରରେ +୨ ମହିଳା କନିଷ୍ଠ ମହାବିଦ୍ୟାଳୟ ରହିଛି। ଏଠାରେ ଦିନ ମଜୁରିଆ ବସ୍ତିଥିବାରୁ ମଦ୍ଯପାନ କରି ପରିବାର ପ୍ରତିପୋଷଣ ନକରିବା ସହ ଆର୍ଥିକ ଦୁରବସ୍ଥାରେ କାଳାତିପାତ କରୁଥିବା ଜଣାପଡୁଛି। ସେହିପରି ପଡିଆର କମାରଗୁଡା ଠାରେ ବିଦେଶୀ ମଦ ଦୋକାନ ଖୋଲା ଯାଇଥିବା ବେଳେ ଏହି ବାଟ ଦେଇ ଦୈନିକ ବହୁ ଶିକ୍ଷକ ଶିକ୍ଷୟତ୍ରୀ ,ଛାତ୍ରଛାତ୍ରୀ ଏବଂ ଠାକୁରାଣୀଙ୍କ ମନ୍ଦିରକୁ ଭକ୍ତମାନେ ଯାଇଥାନ୍ତି । ଏଠାରେ ବସି ମଦ୍ଯପାନ କରିବାରୁ ଏହାର କୁପ୍ରଭାବ ପକାଉଛି। ବିଭିନ୍ନ ସମୟରେ ଅସାଜିକ ଲୋକଙ୍କ ଦ୍ବାରା ଚୋରୀ ଡକାୟତ,ଗଣ୍ଡଗୋଳ ଦୃଷ୍ଟି ଗୋଚର ହେଉଛି। ହଜାର ହଜାର ବୋତଲ ସାବେରୀ ନଦୀ ଭାସି ଜଳ ପ୍ରଦ୍ଯୁଷଣ କରୁଛି। ଏଣୁ ଏସବୁ ସ୍ଥାନରୁ ମଦ ଦୋକାନ ତୁରନ୍ତ ଉଛେଦ କରିବା ପାଇଁ ଆମ ଆଦମୀ ପାର୍ଟି ତରଫରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି କେ ଦେଶୀରାଜୁ ଆଚାରୀ, ଆଇନଜୀବୀ ରବିନ୍ଦ୍ରନାଥ ମାଢ଼ି, ବିଜୁଳି ସରକାର, ଗଣେଶ କଚିମ, ପ୍ରଶଞ୍ଜିତ ବିଶ୍ବାସ ଏବଂ ଅନ୍ଯାନ୍ଯ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post