ରାୟଗଡା,୨୬/୦୯(ପିପିଟି); ରାୟଗଡାଜିଲ୍ଲା ରାମନାଗୁଡା ବ୍ଲକ କୁଜେନ୍ଦ୍ରି ପଞ୍ଚାୟତ ଅଧିନ ନାରାୟଣଗୁଡାର ୫ ଗୋଟି ମହିଳାସଂଘର କର୍ମକର୍ତ୍ତା ଗାଁରେ ବେଆଇନଭାବେ ବିକ୍ରି ହେଉଥିବା ଦେଶୀ ଓ ବିଦେଶୀମଦ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଏହି ଗ୍ରାମର ଶିରିଡି ସାଇ,ମା ମଙ୍ଗଳା, ଗ୍ରାମଦେବୀ, ଧନଲକ୍ଷ୍ମୀ ଓ ମହାଲକ୍ଷ୍ମୀ ମହିଳା ସଂଘର ସମସ୍ତ ସଦସ୍ୟା ଏକଜୁଟ ହୋଇ ମଦବିକ୍ରି ବନ୍ଦ କରିବା ସହିତ ମଦ ଜବତ କରିଛନ୍ତି ।୭ ବର୍ଷ ତଳେ ଏମାନେ ଏହିପରି ମଦବିକ୍ରି ବନ୍ଦ କରି ଏହି ଅଞ୍ଚଳରେ ଉଦାହରଣ ସୃଷ୍ଟି କରିଥିଲେ ।ଦୀର୍ଘଦିନ ମଦ ବନ୍ଦପରେ ପୁଣି ବେପାରୀ ସକ୍ରିୟ ହୋଇଥିବାରୁ ମହିଳା ମାନେ ତାଗିଦ କରିଥିଲେ ।ତାଗିଦ ସତ୍ୱେ ମଦ ବନ୍ଦ ନହେବାରୁ ଆଜି ସନ୍ଧ୍ୟାରେ ଏକଜୁଟ ହୋଇ ମଦ ବନ୍ଦ କରିଥିଲେ।ସେମାନେ କହିଛନ୍ତି ଯେ,ଏହାପରେ ପୁଣି ମଦ ବିକ୍ରିହେଲେ,ତେବେ ଅବକାରୀ ବିଭାଗ ଓ ପୋଲିସକୁ ଜଣାଇ ଆଇନକୁ ହାତକୁ ନେବା ସହିତ ରାଜରାସ୍ତା ଅବରୋଧ କରିବୁ । ଏହି ଗ୍ରାମରେ ନିୟମିତ ବ୍ୟବଧାନରେ ଗୋମାଂସ କଟାହୋଇ ବିକ୍ରିହେଉଛି ।ଏହାକୁ ମଧ୍ୟ ବିରୋଧ କରି ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି ।ଆଜିର ଏହି ମଦବନ୍ଦ ଅଭିଯାନରେ ସୌଦାମିନି ଶବର, ସବିତା ଗମାଙ୍ଗ, ପ୍ରମିଳା ଗମାଙ୍ଗ, ଜାନକୀ ଗମାଙ୍ଗ, ମଲ୍ଲିକା ଗମାଙ୍ଗ,କାଂଚନ ଶବର, ମାୟା ଗମାଙ୍ଗ, ଦମୟନ୍ତୀ କଣ୍ଡଗୋରୀ,କମଳୀ ଗମାଙ୍ଗ ଓ ନାଏବ ସରପଂଚ ଗୀତାଞ୍ଜଳୀ ଗମାଙ୍ଗ ନେତୃତ୍ୱ ନେଇଥିଲେ। (ରିପୋର୍ଟ – ନବୀନ ନାୟକ ବେହେରା ।)