ବେଲଗୁଣ୍ଠା,୨୩/୧୦(ପିପିଟି):ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବୁରପଲ୍ଲୀ ଗାଁ ରେ ଦେଖିବାକୁ ମିଳିଛି ଏକ ବିଚିତ୍ର ଘଟଣା । ପାଇଖାନା ପାଇଁ ନିର୍ମିତ ହୋଇଥିବା ନୂତନ ନନ୍ଦ ଟାଙ୍କି ଟି ହଠାତ ମାଟି ଠାରୁ ଚାରିଫୁଟ ଉପରକୁ ଉଠିଯାଇଛି । ଯାହାକି ଅନେକଙ୍କୁ ବିସ୍ମିତ କରିଛି । ଘଟଣା ପ୍ରଘଟ ହେବା ପରେ ଏହା ଦେଖିବାକୁ ନିକଟ ଗ୍ରାମଗୁଡିକରୁ ଲୋକଙ୍କ ସୁଅ ଛୁଟିଛି । ଏହା ଠାକୁରଙ୍କ କୋପରୁ ହୋଇଥିବା କୁହାଯାଇଛି । ଗାଁ ର ଦୁଇ ମହିଳାଙ୍କ ଦେହରେ ଠାକୁରାଣୀ ଆସି ଏହା କହିଛନ୍ତି କି ଠାକୁର ଙ୍କ ଆସ୍ଥାନରେ ଏହି ଶୌଚାଳୟ ଟାଙ୍କି ହୋଇଥିବାରୁ ଏଭଳି ଘଟିଛି । ସେହିପରି ପରିବାର ଲୋକ ଜ୍ୟୋତିଷ ଙ୍କ ନିକଟକୁ ଯାଇ ଏହାର କାରଣ ସମ୍ପର୍କରେ ବୁଝିବାରୁ ବାସ୍ତୁ ଦୋଷ କାରଣରୁ ଏହା ଘଟିଥିବା ଜଣାଇଛନ୍ତି । ଏହାର ସ୍ଥାନ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବୁରପଲ୍ଲୀ ଗାଁ ର ବସନ୍ତ ସେଠି ନିଜ ଘର ପଛ ପଟେ ଶୌଚାଳୟ ପାଇଁ ଏକ ନନ୍ଦଟାଙ୍କି ଗତ ଛଅ ମାସ ହେବ କରିଥିଲେ । ଏହାକୁ ବ୍ୟବହାର ପାଇଁ ମନସ୍ତ କରି କୁମାରପୁର୍ଣିମା ଦିନ ଏହାର ପାଇପ ସଂଯୋଗ କରାଯାଇଥିଲା । ୧୦ ଟି ନନ୍ଦରେ ନିର୍ମିତ ଏହି ଟାଙ୍କି ମାଟିସହିତ ସମାନ ହୋଇ ରହିଥିଲା ପାଇପ ମିସ୍ତ୍ରୀ ଏହାକୁ ସଂଯୋଗ କରି କଂକ୍ରିଟ କରିଥିଲେ ହେଲେ ରାତିରେ ନନ୍ଦ ନିର୍ମିତ ଟାଙ୍କିଟି ଚାରିଫୁଟ ଉପରକୁ ଅର୍ଥାତ ଚାରିଟି ନନ୍ଦ ମାଟିତଳୁ ଆଶ୍ଚର୍ଯ୍ୟ ଜନକ ଭାବେ ଉପରକୁ ଉଠିଯାଇଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାଦେଖିବାକୁ ଲୋକ ମାନଙ୍କ ଭିଡ଼ ଜମିଛି । ଅନ୍ଧବିଶ୍ୱାସ ଭାବେ ଠାକୁରଙ୍କ କୋପ କାରଣରୁ ଏହା ହୋଇଥିବା ବିଶ୍ୱାସ କରିଛନ୍ତି । ଧାନ ଜମିରେ ପାଣି ଜମିରହିଥିବା ଓ ସେଠାରେ ଥିବାରୁ ମାଟି ହାଲୁକା ହୋଇଯିବ ଫଳରେ ଏଭଳି ଉଠିଥାଇ ପାରେ ବୋଲି ଅନୁମାନ କରିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )