ଭିଜି ଗ୍ରାନାଇଟ୍ କମ୍ପାନୀର ବେଆଇନ ଜମି ଦଖଲକୁ ବିରୋଧ ।

0 273

ମାଲକାନଗିରି,୨୮/୦୫(ପିପିଟି): ପୁଣି ଥରେ ବିବାଦ ଘେରକୁ ଟାଣି ହୋଇ ଆସିଛି ଭିଜି ଗ୍ରାନାଇଟ କଂପାନୀ କାଲିମେଳା ବ୍ଲକ ଅନ୍ତର୍ଗତ ପେଟା ଗ୍ରାମରେ ଦୀର୍ଘ ବର୍ଷ ହେଲା ନିଜର ଗ୍ରାନାଇଟ ଖଣି ଉତୋଳନ କରି ଆସୁଥିବା ଏହି ଆନ୍ଧ୍ର କଂପାନୀ କିପରି ବେଆଇ ଭାବରେ ସରକାରୀ ଜମିକୁ କବଜା କରି ନେଇଛି ସେ ଉପରେ ପ୍ରଶାସନ ଉପରେ ବର୍ଷିଛି କାଲିମେଳା ସୁରକ୍ଷା ମଂଚ ନାମକ ଏକ ସଂଗଠନ । ସଂଗଠନର ଆବାହକ ତଥା କାଲିମେଳା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ମାଲା ମାଢ଼ି ଆଜି ଏକ ସମ୍ବାଦିକ ସମ୍ମିଳନୀ ଡାକି ଏପରି ଅଭିଯୋଗ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଆନ୍ଧ୍ରର ଭିଜି ଗ୍ରାନାଇଟ କଂପାନୀର ମାଲିକ ସିଏଚ ବେଣୁ ଗୋପାଳ ମୋଟୁ ତହସିଲ ଅନ୍ତର୍ଗତ ପୁଶୁଗୁଡ଼ା ମୌଜାର ଖାତା ନଂ ୯୮,୧୦୦ ଓ ୧୦୧ ରେ ପ୍ରାୟ ୧୦ ଏକର ଗ୍ରାମ୍ୟ ଜଙ୍ଗଲ, ଫସଲ ଜମି, ଗୋଚର, ପତିତ ପଥର ବଣି କିସମକୁ ବେଆଇନ ଭାବରେ ନିଜ ଅକ୍ତିଆରରେ ରଖି ସେଥିରେ ବଡ଼ ବଡ଼ କୋଠା ଘର ନିର୍ମାଣ କରିବା ସହିତ ନିଜର ପ୍ରୋସେସିଂ ୟୁନିଟ ସହ ପାଚେରୀ ନିର୍ମାଣ କରିଛନ୍ତି। ସୂଚନା ଯୋଗ୍ୟ ଯେ ଭିଜି ଗ୍ରାନାଇଟ କମ୍ପାନୀକୁ ସରକାର ମୋଟୁ ତହସିଲ ଅନ୍ତର୍ଗତ ପେଟା ମୌଜାରେ ନିଜର ଖଣି ଖନନ ପାଇଁ ସରକାରଙ୍କ ଠାରୁ ଯେତିକି ଲିଜ ନେଇଛନ୍ତି, ତା ଠାରୁ ଅଧିକ ଅଞ୍ଚଳକୁ ସେ ବେଆଇନ ଭାବରେ ମାଡ଼ି ବସିଥିବାର ଅଭିଯୋଗ କରିଛି ମଞ୍ଚ । ଏଥି ସହିତ ଉକ୍ତ କମ୍ପାନୀ କୋଟି କୋଟି ଟଙ୍କାର ଗ୍ରନାଇଟ ପଥର ବାହାର ଦେଶକୁ ରପ୍ତାନୀ କରି ଲାଭ ପାଉଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳର ବିକାଶ ପ୍ରତି ଆଖି ବୁଜି ଦେଇଛି । ପାରିପାର୍ଶ୍ବକ ଉନ୍ନୟନ ପାଣ୍ଠି ଜରିଆରେ ରାସ୍ତାଘାଟ ନିର୍ମାଣ, ପାନୀୟ ଜଳ ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ସେବା ପାଇଁ ମେଡ଼ିକାଲ ନିର୍ମାଣ ଆଦି କରିବାର ନିୟମ ରହିଥିଲେ ମଧ୍ୟ ତାହା କମ୍ପାନୀ ଆଜି ପର୍ଯ୍ୟନ୍ତ କରିନାହିଁ । ପୂର୍ବରୁ କଂଗ୍ରେସ ନେତା ପ୍ରଦୀପ ମାଝୀ ଭିଜି ଗ୍ରାନାଇଟର ବେଆଇନ କାର୍ଯ୍ୟକଳାପ ନେଇ ଜିଲ୍ଲା ପ୍ରଶାସନକୁ ଘେରି ଥିଲେ ମଧ୍ୟ ସେ ଦଳରୁ ଇସ୍ତଫା ଦେବାପରେ ଆଉ କୌଣସି ନେତା ଭିଜି ଗ୍ରାନାଇଟକୁ ବିରୋଧ କରିନଥିଲେ। ତେବେ ଆଗାମୀ ୨୦ ଦିନ ମଧ୍ୟରେ ଭିଜି ଗ୍ରାନାଇଟ ଉପରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସଂଗଠନ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଚେତାବନୀ ଦେଇଛି । ଏ ସଂପର୍କରେ ସଂଗଠନ ପକ୍ଷରୁ ଜିଲ୍ଲାପାଳ, ଏସପି, ଡ଼ିଏଫଓଙ୍କୁ ଲିଖିତ ଅଭିଯୋଗ କରିଥିବାର ଜଣାପଡ଼ିଛି । ଆଜିର ସମ୍ବାଦିକ ସମ୍ମିଳନୀରେ ତେଲରାଇ ସରପଞ୍ଚ ତଥା କାଲିମେଳା ସରପଞ୍ଚ ସଂଘ ସଭାପତି ମୁତା ସୋଡ଼ି, କାଲିମେଳା ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀଧର ମାଡ଼କାମୀ, ବଡ଼ିଗେଟା ପଞ୍ଚାୟତର ସମିତିସଭ୍ୟ ସୋମନାଥ ପଡ଼ିଆମୀ, ଇର୍ମା କବାସୀ, ବଡ଼ିଗେଟା ସରପଞ୍ଚ ଲିଲି ସୋଡ଼ି , ବିକାଶ ମଲିକ, ନୀଳକଣ୍ଠ ପଟ୍ଟନାୟକ, ଜ୍ୟୋତିଶ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ ।
(ରପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.