ଭାରତ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାରେ ୫ ଜଣଙ୍କୁ ଗିରଫ କଲା ଗାଙ୍ଗପୁର ପୁଲିସ ।

0 326

ବେଲଗୁଣ୍ଠା,୨୬/୧୦(ପିପିଟି):ଫାଇନାନ୍ସ କମ୍ପାନୀ କର୍ମଚାରୀ ମାନେ ଗ୍ରାମାଂଚଳକୁ ଯାଇ ମହିଳା ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରୁଥିବା ବେଳେ ବହୁ ସମୟରେ ସେମାନେ ଲୁଟ୍ ର ଶିକାର ହେଉଥିବା ଖବର ନଜରକୁ ଆସୁଛି । ଏହିପରି ଏକ ଘଟଣାରେ ଭାରତ ଫାଇନାନ୍ସ କମ୍ପାନୀର ଜନୈକ କର୍ମଚାରୀଙ୍କ ଠାରୁ ଲୁଟ୍ ଘଟଣାରେ ଆଜି ଗାଙ୍ଗପୁର ପୋଲିସ୍ ପାଞ୍ଚ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ ୨୩,୭୦୦ ଟଙ୍କା, OD07AA 4630 ନମ୍ଵର୍ ବିଶିଷ୍ଟ ନାଲି ଏବଂ ଧଳା ରଙ୍ଗ ମିଶ୍ରିତ ଆପାଚି ମୋଟରସାଇକେଲ୍, ଗୋଟିଏ ଛୁରୀ,ପାଞ୍ଚୋଟି ମୋବାଇଲ୍, ଏଟିଏମ୍ କାର୍ଡ୍, ଭୋଟର୍ ପରିଚୟ ପତ୍ର ଏବଂ ରସିଦ୍ ବହି ଜବତ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ଡି.ସିଙ୍ଗିପୁର ଗ୍ରାମର ଦିଲ୍ଲୀପ ସେଠୀ (୨୪),ମଙ୍ଗୁଳୁ ସେଠୀ (୨୫) ଏବଂ ହିଞ୍ଜିଳି ଥାନା ଅନ୍ତର୍ଗତ ଖରିଡ଼ା ଗ୍ରାମର ପିଣ୍ଟୁ ଓରଫ ମଙ୍ଗୁଳୁ ପ୍ରଧାନ (୨୩),ମଙ୍ଗୁଳୁ ସ୍ଵାଇଁ (୨୬) ଓ ନିଲୁ ବିଷୋୟୀ (୨୪) I ସୂଚନା ପ୍ରକାରେ ନୟାଗଡ଼ ଜିଲ୍ଳା ନୁଜୟପୁର ଗ୍ରାମର ଟୁଟୁ ବେହେରା (୨୩) ଭାରତ ଫାଇନାନ୍ସ ଲିମିଟେଡ୍ ର ସୋରଡ଼ା ଶାଖାରେ ଆସିଷ୍ଟାଣ୍ଟ ମ୍ୟାନେଜର୍ ଭାବେ କାମ କରନ୍ତି । ଗତ ୨୨ ତାରିଖ ସନ୍ଧ୍ୟା ଛଅ ଘଣ୍ଟା ଦଶ ମିନିଟ୍ ସମୟରେ ୠଣ କିସ୍ତି ସଂଗ୍ରହ କରି ସୋରଡ଼ା ଫେରୁଥିବା ବେଳେ ପାଟପୂର ଏବଂ ଡି.ସିଙ୍ଗିପୁର ନିକଟ ରାସ୍ତାରେ ଖରିଡ଼ା ଗ୍ରାମର ପିଣ୍ଟୁ ଓରଫ ମଙ୍ଗୁଳୁ ପ୍ରଧାନ ,ମଙ୍ଗୁଳୁ ସ୍ଵାଇଁ ଓ ନିଲୁ ବିଷୋୟୀ ଏକ ଧଳା ଏବଂ ନାଲି ମିଶ୍ରିତ ଆପାଚି ମୋଟରସାଇକେଲ୍ ରେ ଆସି ଟୁଟୁଙ୍କୁ ଠେଲି ଦେବାରୁ ଟୁଟୁ ରାସ୍ତା ପାର୍ଶ୍ୱରେ ପଡ଼ିଯାଇଥିଲେ । ଟୁଟୁ ତିନି ଦୁର୍ବୃତ୍ତଙ୍କୁ ଦେଖି ଡି.ସିଙ୍ଗିପୁର ଅଭିମୁଖେ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ତିନି ଦୁର୍ବୃତ୍ତ ଟୁଟୁଙ୍କୁ ପିଛା କରିବା ସହିତ ତାଙ୍କୁ ଛୁରୀରେ ଭୁସି ମାରିଦେବାର ଭୟ ଦେଖାଇ ତାଙ୍କଠାରୁ ନଗଦ ୪୮,୨୦୦ ଟଙ୍କା, ଇଲୋକ୍ଟ୍ରୋନିକ୍ ଟାବଲେଟ୍ ଏବଂ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଥିବା ବ୍ୟାଗ୍ ଟିକୁ ନେଇଯାଇଥିଲେ । ପୁଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଡି.ସିଙ୍ଗିପୁର ଗ୍ରାମର ଦିଲ୍ଲୀପ ସେଠୀ ଏବଂ ମଙ୍ଗୁଳୁ ସେଠୀ ଟୁଟୁଙ୍କ ଋଣ ଟଙ୍କା ସଂଗ୍ରହ ଉପରେ ନଜର ରଖିଥିଲେ । ଏନେଇ ସେମାନେ ଖରିଡ଼ା ଗ୍ରାମର ମଙ୍ଗୁଳୁ ପ୍ରଧାନକୁ ଜଣାଇବା ପରେ ମଙ୍ଗୁଳୁ ତାର ଦୁଇ ସାଙ୍ଗ ମଙ୍ଗୁଳୁ ସ୍ଵାଇଁ ଏବଂ ନିଲୁ ବିଷୋୟୀ ସହିତ ଯୋଗାଯୋଗ କରିଥିଲା । ଲୁଟ୍ ଘଟଣାର ଦୁଇ ଦିନ ପୂର୍ବରୁ ପାଞ୍ଚ ଜଣ ଯାକ ଦୁର୍ବୃତ୍ତ ଜାହାଡା ନିକଟସ୍ଥ ଏକ ନିର୍ଜନ ସ୍ଥାନରେ ଲୁଟ୍ ପାଇଁ ବ୍ଳୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ । ଲୁଟ୍ ଘଟଣା ଦିନ ଦିଲ୍ଲୀପ ସେଠୀ ଏବଂ ମଙ୍ଗୁଳୁ ସେଠୀ ଟୁଟୁଙ୍କ ଗତିବିଧି ଉପରେ ନଜର ରଖିଥିବା ବେଳେ ଅନ୍ୟ ତିନିଜଣ ପୂର୍ବ ପ୍ରସ୍ତୁତି ମୁତାବକ ଟୁଟୁଙ୍କ ଠାରୁ ଲୁଟ୍ କରିଥିଲେ । ଲୁଟ୍ ପରେ ପାଞ୍ଚଜଣଯାକ ଦୁର୍ବୃତ୍ତ କଳାସୂତା ଗ୍ରାମର ଏକ ନିର୍ଜନ ସ୍ଥାନରେ ଏକାଠି ହୋଇ ଲୁଟ୍ ଟଙ୍କାକୁ ଭାଗ ବାଣ୍ଟି ନେବା ସହିତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ବ୍ୟାଗ୍ ଟିକୁ ଏକ ବୁଦା ଭିତରକୁ ଫୋପାଡ଼ି ଦେଇଥିଲେ । ଅଭିଯୁକ୍ତ ମଙ୍ଗୁଳୁ ପ୍ରଧାନ ଟୁଟୁଙ୍କର ମୋବାଇଲ୍ ଏବଂ ଇଲୋକ୍ଟ୍ରୋନିକ୍ ଟାବଲେଟ୍ କୁ ସାଙ୍ଗରେ ନେଇଯାଇଥିଲେ ମଧ୍ୟ ଟ୍ରାକିଂ ଭୟରେ ସେଗୁଡିକୁ କେନାଲକୁ ଫୋପାଡ଼ି ଦେଇଥିବା ସୂଚନା ମିଳିଛି । ଘଟଣା ନେଇ ଟୁଟୁଙ୍କ ଏତାଲା ପ୍ରକାରେ ଗାଙ୍ଗପୁର ଥାନାରେ ପୁଲିସ କେଶ୍ ନମ୍ବର୍ ୪୭୨/୨୧ ରେ ଏକ ମାମଲା ରୁଜୁ କରିବା ସହିତ ଘଟଣାର ଅନୁସନ୍ଧାନ କରି ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାଶ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.