ଭାଦ୍ରବରେ ବର୍ଷାର ଲୁଚକାଳି ଖେଳ, ଜଳପାଇଁ ଚିନ୍ତାରେ ଚାଷୀ କୁଳ, ବେଲଗୁଣ୍ଠାରେ ମରୁଡିର ପଦ ଧ୍ୱନି ।

0 316

ବେଲଗୁଣ୍ଠା,୨୬/୦୮(ପିପିଟି);ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ର ଚାଷୀଙ୍କ ପାଇଁ ଚଳିତ ଖରିଫଋତୁ ବର୍ଷା ବଦଳରେ ଲୁହ ଆଣି ଦେଇଛି । ଚାଷୀଙ୍କ ଜମିରେ ଧାନ ତଳି ପଡିଛି ହେଲେ ରୁଆ ହୋଇ ପାରୁନି । ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷୀ ମୁଣ୍ଡରେ ପଡିଛି ଚଡକ । ବର୍ଷା ଅଭାବରୁ ଅଧିକାଂଶ ସ୍ଥାନରେ ଧାନ ରୁଆ ହୋଇ ନଥିବାବେଳେ ତଳି ବଞ୍ଚାଇବାକୁ ମଧ୍ୟ ପାଣିର ଅଭାବ ଦେଖା ଦେଇଥିବା ଯୋଗୁଁ ଧାନ ରୋଇ ସାରିଥିବା ଚାଷୀ ପାଣି ପାଇଁ ମୁଣ୍ଡରେ ହାତ ଦେଇ ବସିଛି । ମେଘ ଆସୁଛି ହେଲେ ବର୍ଷା ନାହିଁ । ବିଶେଷ କରି ଏହି ବ୍ଳକ୍ ରେ ଜଳସେଚନର ଆଦୌ ସୁବିଧା ନଥିବାବେଳେ ଚାଷୀ ବର୍ଷା ଉପରେ ଭରସା କରି ଧାନ ଚାଷ କରିଥାଏ । ପାଣି ଅଭାବରୁ ଧାନ ରୁଆ ସରିଥିବା ଅଧିକାଂଶ ଜମି ଏବେ ଫାଟି ଆଁ କରିଥିବାବେଳେ ଧାନଗଛ ମଧ୍ୟ ଶୁଖି ମରିବା ଆରମ୍ଭ ହେଲାଣି । ଚଳିତବର୍ଷ ଖରିଫ ୠତୁରେ ଭଲ ଅମଳ କରିବାକୁ ଚାଷୀ ଆଶା ରଖିଥିବାବେଳେ ଜଳ ଅଭାବ ଯୋଗୁଁ ଏବେ ହତାଶ ହୋଇପଡିଛି । ଚାଷ କରିବା ତ ଦୂରର କଥା ବୁଣିଥିବା ତଳିକୁ ବଞ୍ଚାଇବା ମଧ୍ଯ ଚାଷୀ ପାଇଁ କାଠିକର ପାଠ ହୋଇଛି । ବ୍ଳକ୍ ର କିଛି ତଳିଆ ଜମିରେ ରୁଆ ଚାଲିଥିବାବେଳେ ଅନ୍ୟ ଜମି ଗୁଡିକ ପଡିଆ ପଡିଛି । ଖରିଫରେ ଧାନ ଚାଷ କରିବାକୁ ଲକ୍ଷ୍ୟ ରଖିଥିବା ଚାଷୀ ମୁଁହରୁ ହସ ଲିଭିଯାଇଛି । ବର୍ଷାକୁ ଚାତକ ପରି ଚାହିଁ ରହିଛି ଚାଷୀ । ତଳି ବଞ୍ଚାଇବାକୁ ପୋଖରୀରୁ ପାଣି ଆଣି ପକାଉଛି । ଜଳସେଚନର ସୁବିଧା ନଥିବା କାରଣରୁ ଚାଷୀ ଏଭଳି ଦଶା ଭୋଗୁଛି । ବେଲଗୁଣ୍ଠା ଅଞ୍ଚଳର ଚାଷୀ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି । ମୌସୁମୀ ଆସିଲେ ଧାନ ବୁଣିବା ସହ ବର୍ଷା ହେଲେ ପାଗ ଦେଖି ଧାନ ରୋଇଥାନ୍ତି ।ଅଗଷ୍ଟ ମାସ ଶେଷ ଯାଏଁ ଧାନ ରୁଆ ଚାଲିଥାଏ ।ତେବେ ବର୍ତ୍ତମାନ ସୁଦ୍ଧା ଅଧା ଜମିରେ ଧାନ ରୁଆ ହୋଇନଥିବା ଚିନ୍ତାର ବିଷୟ ପାଲଟିଛି । ଯାହାବି ହୋଇଛି ସେଗୁଡିକୁ  ବଞ୍ଚାଇବାକୁ ଯାଇ ଚାଷୀ ଅତ୍ୟଧିକ ଖର୍ଚ୍ଚ।ନ୍ତ ହେଉଛି । ଏଦିଗରେ ପ୍ରଶାସନ ମଧ୍ୟ ହାତ ଟେକି ଦେଇଥିବା ବେଳେ ଅଞ୍ଚଳକୁ ମରୁଡ଼ି ଅଞ୍ଚଳ ଭାବେ ଘୋଷଣା କରି ସହାୟତା ଯୋଗାଇଦେବା ପାଇଁ କୃଷକ ମାନେ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା ।)

Leave A Reply

Your email address will not be published.