ଭଞ୍ଜନଗର,୨୦/୦୧(ପିପିଟି); ଦୁର୍ଘଟଣା ଜନିତ ମୃତ୍ୟରେ ଭାରତ ଅନ୍ୟ ଦେଶ ଠାରୁ ଆଗରେ ଥିବା ବେଳେ ଏହି ସଂଖ୍ୟାକୁ ହ୍ରାସ କରିବା ପାଇଁ ସରକାରଙ୍କ ତରଫରୁ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ୩୨ତମ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ସେହିପରି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା ଏଠାରେ ମଧ୍ୟ ୩୨ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଗତ ୧୮ତାରିଖ ଠାରୁ ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ଭଞ୍ଜନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ଜନ ସଚେତନତା କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ଏହି ଅବସରରେ ଆଜି ଭଞ୍ଜନଗର ଠାରେ ଏକ ରାଲି କରାଯାଇଥିଲା। ଏଥିରେ ଦାସକାଠିଆ, ଘୋଡ଼ା ନାଚ, ସଚେତନତା ରଥ ସହ ବହୁ ଲୋକ ହାତରେ ପ୍ଲା କାର୍ଡ ଓ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଏହାକୁ ଉପ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ବାହାରି ଷ୍ଟେଟ ବ୍ୟାଙ୍କ ଛକ ରୁ ଖାଲାସାହି, ମେନ ରୋଡ଼ ଦେଇ ପୁଣି ଫେରିଥିଲା। ଏଥି ନିମନ୍ତେ ଆୟୋଜିତ ଏକ ସାଧାରଣ ସଭାରେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରାୟ ସମସ୍ତ ବାଇକ ଚାଳକ ଓ ପଛରେ ବସିଥିବା ଲୋକଙ୍କ ପାଇଁ ହେଲମେଟ ବାଧ୍ୟତାମୂଳକ, ମଦ୍ୟପାନ କରି ଗାଡି ନ ଚଲେଇବା, ସିଟ ବେଲ୍ଟ ବ୍ୟବହାର, ଲାଇସେନ୍ସ ଓ ଅନ୍ୟାନ୍ୟ ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ଏବଂ ନୂତନ ଟ୍ରାଫିକ ନିୟମ ସମ୍ପର୍କରେ ପରାମର୍ଶ ଦେଇଥିଲେ। ସେହିପରି ପୂର୍ବତନ କଲେଜ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, କୃତ୍ତିବାସ ବିଶ୍ୱାଳ,ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଉପସ୍ଥିତ ରହି ସଡକ ସୁରକ୍ଷା ଉପରେ ମତାମତ ଦେଇଥିଲେ । ଏଥିରେ ଶୂଳପାଣି ଶତପଥି ସଂଯୋଜନା କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ,ସ୍କାଉଟ ମାଷ୍ଟର ଶଙ୍କର ପ୍ରସାଦ ପଟ୍ଟନାୟକ, ବିଚିତ୍ର ପାଣିଗ୍ରାହୀଙ୍କ ସମେତ ପୋଲିସ କର୍ମଚାରୀ ଓ ଅନ୍ୟମାନେ ସହଯୋଗ କରିଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )