ଭଞ୍ଜନଗର,୧୯/୦୬(ପିପିଟି); ଆଜିକାଲି ଦୁନିଆରେ ଅସଲି ଜିନିଷ ଖୋଜି ବାହାର କରିବା କଷ୍ଟସାଧ୍ୟ ହୋଇପଡିଛି। କମ ଖର୍ଚ୍ଚରେ ଅଧିକ ଲାଭ ପାଇବା ଆଶାରେ ସବୁଠି ଖାଲି ନକଲି ସାମଗ୍ରୀ ଦେଖିବାକୁ ମିଳୁଛି। ଏହାକୁ ବ୍ୟବହାର କରି ମଣିଷ ବହୁ ମାରାତ୍ମକ ରୋଗରେ ପଡ଼ି ଖର୍ଚ୍ଚାନ୍ତ ହୋଇ ଶେଷରେ ମୃତ୍ୟୁବରଣ କରୁଥିବା ବେଳେ କିନ୍ତୁ ବ୍ୟବସାୟୀ ମାଲାମାଲ।ଔଷଧ ଠାରୁ ଆରମ୍ଭ କରି ଖାଇବା ତେଲ, ଘିଅ, ମସଲା ଗୁଣ୍ଡ, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଓ ବିଭିନ୍ନ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ କରି ପ୍ରସ୍ତୁତ ହେଉଛି ଏସବୁ ନକଲି ଖାଦ୍ୟ ସାମଗ୍ରୀ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଲଣ୍ଡେଇ ସାହି ଠାରେ ଗତ କିଛି ଦିନ ତଳେ ଏକ ନକଲି ଘିଅ ଓ ତେଲ କାରଖାନା ଠାବ ହୋଇଥିବା ବେଳେ ଶୁକ୍ରବାର ପୁଣି ଠାବ ହୋଇଛି ଆଉ ଏକ ନକଲି ହଳଦୀଗୁଣ୍ଡ କାରଖାନା।ସୂଚନା ମୁତାବକ କାଲି ସନ୍ଧ୍ୟାରେ ଭଞ୍ଜନଗର ଥାନା ଏସ.ଆଇ ମନଶ୍ୱିନୀ ମହାନ୍ତି ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ପେଟ୍ରୋଲିଂ ରେ ଯାଉଥିବା ବେଳେ ଏନ୍ଏସି ଗଳି ଗୋପବନ୍ଧୁ ମାର୍ଗରେ ଏକ ନକଲି ହଲଦୀଗୁଣ୍ଡ କାରଖାନା ଦୀର୍ଘଦିନ ଧରି ଚାଲିଥିବା ଖବର ପାଇ ସେଠାରେ ଅଚାନକ ଚଢ଼ାଉ କରିଥିଲେ। ସେଠାରେ କିଛି ଶ୍ରମିକ ଓ ମାଲିକ ବାବୁରାମ ପଣ୍ଡା (୪୭)କୁ ଅଟକ ରଖିବା ସହ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଓ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ଉପସ୍ଥିତିରେ ୧୫୦କେଜି ହଲଦୀଗୁଣ୍ଡ, ୧୧୩ କେଜି ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ ୨୫୦ଗ୍ରାମ ଓଜନର ୨୨୩ଟି ପ୍ୟାକେଟ, ୨୫କେଜି ଚାଉଳ ଗୁଣ୍ଡ ୩ବସ୍ତା, ଗୋଟା ହଳଦୀ ୩୫କେଜି, ୨୫କେଜି ଚାଉଳ ୨ବସ୍ତା, ଗୋଟିଏ ମେସିନ ଓ ଗୋଟିଏ ଓଜନ ଯନ୍ତ୍ର ଜବତ କରାଯାଇଛି। ଚାଉଳ ଗୁଣ୍ଡକୁ ଏଠାରେ ଅପମିଶ୍ରଣ କରି ନକଲି ହଲଦୀଗୁଣ୍ଡ ପ୍ରସ୍ତୁତ ହେଉଥିବା ଜଣାପଡିଛି। ଏହି ଘଟଣାରେ କାରଖାନା ମାଲିକ ବାବୁରାମକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଥାନାରେ ୨୫୨/୨୧ରେ ଏକ ମାମଲା ରୁଜୁ ହୋଇଥିବା ତଦନ୍ତକାରୀ ଅଫିସର ସମୀର କୁମାର ବେହେରା କହିଛନ୍ତି।
(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )