ଭଞ୍ଜନଗର, ୧୯/୦୨(ପିପିଟି); ଆଗାମୀ ଦିନରେ କଂଗ୍ରେସ ଦଳକୁ ଅଧିକ ମଜବୁତ କରିବା ପାଇଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ଲକରେ ନୂତନ ସଭାପତିଙ୍କୁ ଜିଲ୍ଲା କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ଅନୁମୋଦନ କ୍ରମେ ଓଡିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି।ସେଥି ମଧ୍ୟରେ ଭଞ୍ଜନଗର ଏନ୍ଏସି ସଭାପତି ଭାବେ ପୂର୍ବତନ ୯ନଂ ୱାର୍ଡ କାଉନସିଲର ସୁକାନ୍ତ କୁମାର ଦିଗାଲ ଓ ବ୍ଲକ ସଭାପତି ଭାବେ ବରିଷ୍ଠ କଂଗ୍ରେସ ନେତା କୃଷ୍ଣ ବିଷୋୟୀ ମନୋନୀତ ହୋଇଛନ୍ତି। ଉଭୟ ନେତା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ସଙ୍ଗଠନ କୁ ଦୃଢ଼ କରିବା ପାଇଁ ନିଷ୍ଠାର ସହ କାର୍ଯ୍ୟ କରି ତୃଣ ମୂଳ ସ୍ତରରେ ପୂର୍ବତନ ଓ ନୂତନ କଂଗ୍ରେସ କର୍ମୀଙ୍କୁ ଏକାଠି କରି ଆଗାମୀ ନିର୍ବାଚନରେ କଂଗ୍ରେସ ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି। ଏଥିସହ ଦଳ ପକ୍ଷରୁ ସେମାନଙ୍କୁ ଭରସା କରି ଯେଉଁ ଗୁରୁ ଦାୟୀତ୍ୱ ଦିଆଯାଇଛି ସେଥିପାଇଁ ଉଭୟେ ଜିଲ୍ଲା ଓ ରାଜ୍ୟ କଂଗ୍ରେସ ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ଦଳ ଭିତରେ କୌଣସି ଅନ୍ତର୍ଦ୍ୱନ୍ଦ ନରଖି ସମସ୍ତେ ଦଳୀୟ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇ କାର୍ଯ୍ୟ ଏକାଠି କରିବାକୁ ଆହ୍ୱାନ ଦେଇଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )