ଭଞ୍ଜନଗର,୨୦/୦୫(ପିପିଟି): ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ସାଧାରଣ ପରିଷଦ ବୈଠକ ଏନଏସି ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଏନଏସିର ନବ ନିର୍ବାଚିତ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଉପାଧ୍ୟକ୍ଷା ଶୁଭଶ୍ରୀ ଦାସ ଓ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ମଞ୍ଚରେ ଉପସ୍ଥିତ ଥିଲେ।କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ କର ଏହି ପ୍ରଥମ ବୈଠକକୁ ମନ୍ତ୍ରୀ, ଅଧ୍ୟକ୍ଷ, ଅଧ୍ୟକ୍ଷା ଓ ସମସ୍ତ କାଉନସିଲର ମାନଙ୍କୁ ସ୍ୱାଗତ ଜଣାଇଥିଲେ।ସହରର ମୁଖ୍ୟ ୩ଟି ସମସ୍ୟା ମଧ୍ୟରେ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଅଲୋକୀକରଣ ଓ ସ୍ୱଚ୍ଛ ପାନୀୟ ଜଳଯୋଗାଣ ଉପରେ ଗୁରୁତ୍ୱ ଦେବା ସହ ପ୍ରତ୍ୟେକ ୱାର୍ଡର ଉନ୍ନତି ସାଧନ ପାଇଁ ଚେଷ୍ଟା କରିବା।ଏଥିସହ ସ୍ୱାସ୍ଥ୍ୟ, ଶିକ୍ଷା,ବଜାର ଓ ସର୍ବ ନିମ୍ନ ମୌଳିକ ସୁବିଧା ଯୋଗାଇ ଦିଆଯିବ।ସହର ତଳି ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ପୁରୁଣା ବଜାର ସାହି ରେ ଥିବା ମହମ୍ମଡ଼ାନ ସ୍କୁଲ ଠାରେ ଏକ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବା ସହ ହାତିବନ୍ଧ ନିକଟରେ ପାର୍କ ନିର୍ମାଣ ପାଇଁ ସ୍ଥିର ହୋଇଛି। ସରକାରୀ ସ୍ତରରେ ଭଞ୍ଜନଗର ସହରର ଉନ୍ନତି ପାଇଁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ଓ ଏଥିପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ। ନୂତନ କାଉନସିଲର ମାନେ ନିଜ ନିଜ ୱାର୍ଡରେ ରହିଥିବା ବିଭିନ୍ନ ସମସ୍ୟାକୁ ଅଧ୍ୟକ୍ଷଙ୍କ ଦୃଷ୍ଟିକୁ ଆଣି ତାହାକୁ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ସମସ୍ତେ ଚେଷ୍ଟା କରିବାକୁ ଅଧ୍ୟକ୍ଷ ଶ୍ରୀ ମହାପାତ୍ର କହିଥିଲେ।ବର୍ତ୍ତମାନ ଚାଲିଥିବା ଏନଏସିର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଏବଂ କେଉଁ ବିଭାଗରେ କେତେ ଅର୍ଥ ରହିଛି ଓ ତାହାକୁ କେଉଁ କେଉଁ କାର୍ଯ୍ୟରେ ବିନିଯୋଗ କରାଯାଇ ପାରିବ ସେବିଷୟରେ ଆଲୋଚନା ହୋଇଥିଲା।ଆଗାମୀ ଦିନରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନର ଉନ୍ନତିକରଣ,ସ୍ମଶାନର ପୁନରୁଦ୍ଧାର, ସୁରକ୍ଷିତ ଅସ୍ଥି ଗୃହ ନିର୍ମାଣ, ଜନଗହଳିପୂର୍ଣ୍ଣ ଛକରେ ପାନୀୟ ଜଳଯୋଗାଣ ଓ ପରିସ୍ରାଗାର ନିର୍ମାଣ,ନୂତନ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ, ମୁଖ୍ୟ ରାସ୍ତା କଡରୁ ଉଠା ଦୋକାନ ସ୍ଥାନାନ୍ତର,ଜିମ, ଅଲୋକୀକରଣ କାର୍ଯ୍ୟ, ନୂତନ ଗୋଷ୍ଠିକେନ୍ଦ୍ର ନିର୍ମାଣ କରିବା ପାଇଁ ମତ ପ୍ରକାଶ ପାଇଥିଲା।ଏସମସ୍ତ କାର୍ଯ୍ୟ ଉପଯୁକ୍ତ ସ୍ଥାନ ଚିହ୍ନଟ ପରେ କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥିର ହୋଇଛି। ଶେଷରେ ଉପାଧ୍ୟକ୍ଷା ଶ୍ରୀମତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୫ଟି ୱାର୍ଡର କାଉନସିଲର ଓ ଏନ୍ଏସି କର୍ମଚାରୀ ମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )
Next Post