ବ୍ରହ୍ମପୁର,୦୬/୦୨(ପିପିଟି); ଗଞ୍ଜାମ ଜିଲ୍ଲାରେ ଜାଲି ସାର୍ଟିଫିକେଟ୍ ରେ ନିଯୁକ୍ତି ସଂପର୍କରେ ବିଭିନ୍ନ ସମୟରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଅଭିଯୋଗ କରିଥିଲେ ମଧ୍ୟ ସଂପୂର୍ଣ୍ଣ ତଦନ୍ତ ହୋଇ ପାରି ନାହିଁ । ବର୍ତ୍ତମାନ ଅଉ ଗୋଟିଏ ସୂଚନା ତଥ୍ୟରୁ ଜଣା ପଡିଛି ଜନୈକ ଶିକ୍ଷକ ଦୁଇଟି ବିଦ୍ୟାଳୟ ଚାକିରୀ କରି ଦୁଇଟି ଦରମା ପାଇଛନ୍ତି କିନ୍ତୁ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ପାଖରେ ତଥ୍ୟ ନାହିଁ । ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ପକ୍ଷରୁ ଚିଠି ନଂ 16/AIFB/GM/2020, ତା-୦୩/୦୨/୨୦୨୦ରେ ଜାଲ୍ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସଂପର୍କରେ ତଦନ୍ତ ପାଇଁ ଦିଆଯାଇଥିବା ତାଲିକାରେ କାଳି ଚରଣ ଶତପଥୀ,କବିସୂର୍ଯ୍ଯ ବିଦ୍ଯାପୀଠ,କବିସୂର୍ଯ୍ଯ ନଗର, ନାମ ଉଲ୍ଲେଖ କରାଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କର ଶିକ୍ଷାଗତ ପ୍ରମାଣ ପତ୍ର ଯାଞ୍ଚ ହୋଇପାରିଲା ନାହିଁ । ସୂଚନା ତଥ୍ୟରୁ ଜଣା ପଡିଲା କାଳି ଚରଣ ଶତପଥୀ ଦୀର୍ଘ ଦିନ ଧରି ଦୁଇଟି ବିଦ୍ୟାଳୟରେ ଚାକିରୀ କରି ଦରମା ଉଠାଇ ନେଇଥିଲେ ମଧ୍ୟ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ଜାଣି ପାରିଲେ ନାହିଁ । କାଳି ଚରଣ ଶତପଥୀ ତା- ୨୬/୦୭/୨୦୦୨ ଠାରୁ କବିସୂର୍ଯ୍ଯ ବିଦ୍ଯାପୀଠରେ ଚାକିରୀ ପାଇ ଶିକ୍ଷକତା କରୁଛନ୍ତି । ସେହିଭଳି କାଳି ଚରଣ ଶତପଥୀ ପିୟୁପିଏସ ଚନ୍ଦନପୁର,ବେଗୁନିଆପଡା ବ୍ଲକ୍ ରେ ଶିକ୍ଷକ ଭାବରେ ତା- ୧୩/୧୨/୨୦୦୬ ଠାରୁ ତା- ୩୦/୦୪/୨୦୧୧ ପର୍ଯ୍ୟନ୍ତ ଚାକିରୀ କରି ଦରମା ଉଠାଇଛନ୍ତି । ଦୁଇଟି ବ୍ଲକରେ ଏକା ସମୟରେ ଶିକ୍ଷାଦାନ କରିବା ସମ୍ଭବ ନୁହେଁ ବୋଲି ଏଆଇଏଫବି ଜିଲ୍ଲା ସାଧାରଣ ସମ୍ପାଦକ ସମରଜିତ୍ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନର ସହଯୋଗ ଓ ଆର୍ଶୀବାଦ ବିନା ଜଣେ ଦୀର୍ଘ ଦିନ ଧରି ଦୁଇଟି ବିଦ୍ୟାଳୟରେ ଚାକିରୀ କରି ଦରମା ଉଠାଇବା ସମ୍ଭବ ନୁହେଁ । ଏହି ଘଟଣା ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଶ୍ରୀ ମହାନ୍ତି ଗଞ୍ଜାମ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ,ମୁଖ ଶାସନ ସଚିବ,ପ୍ରମୁଖ ସଚିବ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ,ରାଜ୍ୟ ପ୍ରକଳ୍ପ ସଂଯୋଜକ,ଓପେପା,5T ସଚିବ ଓ କ୍ରାଇମବ୍ରାଞ୍ଚଙ୍କୁ ଲିଖିତ ଅଭିଯୋଗ ପଠାଇଥିବା ଜଣାପଡିଛି ।