ବେଲଗୁଣ୍ଠା ପଞ୍ଚାୟତ ସମିତିର ଅଷ୍ଟମ ଅଧିବେଶନ ;ବଡ ନଦୀରେ ସେତୁ ନିର୍ମାଣ ପାଇଁ ସମିତି ସଭ୍ୟଙ୍କ ଦାବି ।

0 496

ବେଲଗୁଣ୍ଠା,୨୦/୦୧(ପିପିଟି), ଆଜି ବେଲଗୁଣ୍ଠା ପଞ୍ଚାୟତ ସମିତିର ଅଷ୍ଟମ ଅଧିବେଶନର ଆୟୋଜନ କରାଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଆଗାମୀ ଦିନରେ ବ୍ଳକ୍ ରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ପର୍ଯ୍ୟଟନ ସ୍ଥଳୀର ଊନ୍ନତି ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖୁବ୍ ଶୀଘ୍ର ବେଲଗୁଣ୍ଠା ବ୍ଳକ୍ ଜନ ସାଧାରଣଙ୍କ ବହୁ ଦିନର ଦାବି ଏବଂ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ପ୍ରଚେଷ୍ଟା କ୍ରମେ ମନ୍ଦାର ଠାରେ ବଡ଼ ନଦୀ ଉପରେ ଏକ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସବୁଜ ସଙ୍କେତ ମିଳିସାରିଥିବା ପ୍ରକାଶ କରିଥିଲେ । ବେଣୀପୋଲି ସମିତି ସଭ୍ୟ ଦୁର୍ଗାମାଧବ ନାୟକଙ୍କ ଦାବି ପରେ ବିଧାୟକ ଶ୍ରୀ ସ୍ୱାଇଁ ପ୍ରତିଶୃତି ଦେଇଥିଲେ ।ଏହା ସହିତ ବ୍ଳକ୍ ର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତଥା ପର୍ବତ ଉପରେ ଥିବା ମାଆ କୁମାରଶୁଣିଙ୍କ ପୀଠକୁ ମନେରଗା ଏବଂ ଜଙ୍ଗଲ ବିଭାଗର ମିଳିତ ଉଦ୍ୟମରେ ଏକ ରାସ୍ତା ନିର୍ମାଣ ହେବ ଯାହା ଦ୍ୱାରା କୁମାରଶୁଣି ପୀଠର ବିକାଶ ହୋଇପାରିବ ବୋଲି ବିଧାୟକ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ଏତଦ୍ ବ୍ୟତୀତ ବ୍ଳକ୍ ରେ ଥିବା ସମସ୍ତ ବିଦ୍ୟାଳୟରେ ଡ଼ିଜିଟାଲ ଶ୍ରେଣୀ ଗୃହ ଏବଂ ମନେରଗା ଯୋଜନାରେ କାର୍ଯ୍ୟ ଗୁଡ଼ିକୁ ଗୋଷ୍ଠୀ ଭିତ୍ତିକ ଅପେକ୍ଷା ବ୍ୟକ୍ତି ଭିତ୍ତିକ କରାଯିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆନୁମାନିକ ୧୦ କୋଟି ଟଙ୍କାର ବ୍ୟୟ ବରାଦ କରାଯିବା ସହ ପ୍ରତ୍ୟେକ କାର୍ଯ୍ୟରେ ଅଞ୍ଚଳ ବାସୀଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ସାଂସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ, ସମିତି ଅଧ୍ୟକ୍ଷା ଆରତୀ ସେଠୀ, ଉପାଧ୍ୟକ୍ଷା ପିଙ୍କି ପରିଡ଼ା, ତହସିଲଦାର ସରୋଜ କୁମାର ବେହେରା ମଞ୍ଚାସୀନ ଥିବା ବେଳେ ସମସ୍ତ ସରପଞ୍ଚ,ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେରେ ବିଡ଼ିଓ ଶଶି ଭୂଷଣ ମହାପାତ୍ର ଅତିଥି ସ୍ୱାଗତ କରିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଢୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.