ବେଲଗୁଣ୍ଠା,୧୭/୧୧(ପିପିଟି); ଦୀର୍ଘ ଦିନ ପରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ ପୂରଣ ହୋଇଛି । ଗତ ବର୍ଷ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୃନ୍ଦାବନ ପାଢୀଙ୍କ ଅବସର ପରେ ଏଠାରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ନଥିବାରୁ ଭଞ୍ଜନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ୍. ଧନଞ୍ଜୟ ଏହାର ଦାୟିତ୍ୱ ନେଇଥିଲେ । ଗତ ୧୬ ନଭେମ୍ୱରରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗର ପତ୍ର ନମ୍ବର୍ ୧୬୬୫୫ ଅନୁସାରେ ବେଲଗୁଣ୍ଠା ବ୍ଲକ୍ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ପଦୋନ୍ନତି ମିଳିଛି । ଶ୍ରୀ ବେହେରା ଦୀର୍ଘ ବର୍ଷ ଧରି ଏହି ବ୍ଳକ୍ ର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଦାୟିତ୍ୱରେ ରହି ବ୍ଲକ୍ ର ପ୍ରତ୍ଯେକ ବିଦ୍ୟାଳୟ ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣି ଥିବାରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ନିଜ ଦାୟିତ୍ୱ ସୂଚାରୁ ରୂପେ ସମ୍ପାଦନ କରି ପାରିବେ ବୋଲି ମତ ପ୍ରକାଶ ପାଇଛି । ବ୍ଲକ୍ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀ ବେହେରାଙ୍କ ପଦୋନ୍ନତି ପାଇଁ ଶୁଭେଚ୍ଛା ଜଣାଇବା ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ସ୍ୱାଗତ କରିଛନ୍ତି । ସୂଚନା ଥାଉକି ଶ୍ରୀ ବେହେରା ଜଣେ କର୍ତ୍ତବ୍ୟ ନିଷ୍ଠ ଅଧିକାରୀ ଏବଂ ଶିକ୍ଷକ ବନ୍ଧୁ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଆଜି ବେଲଗୁଣ୍ଠା ଗୋଷ୍ଟୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବ୍ଲକ୍ ର ସମସ୍ତ ସିଆରସିସି ଏବଂ ବହୁ ଶିକ୍ଷକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବେହେରାଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି I
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )