ବେଲଗୁଣ୍ଠା,୧୧/୧୧(ପିପିଟି):ବେଲଗୁଣ୍ଠା ସହର ଓ ଥାନା ଅଧୀନରେ ଥିବା ବିଭିନ୍ନ ଅଞ୍ଚଳର ବ୍ୟାଙ୍କର ସୁରକ୍ଷା ଯାଞ୍ଚ କରିଛନ୍ତି ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ କୁମାର ସାହୁ । ଗୋଟିଏ ବ୍ୟାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଙ୍କରେ ସୁରକ୍ଷା ବ୍ୟବସ୍ଥା ଢିଲା ଦେଖି ଶ୍ରୀ ସାହୁ ଅସନ୍ତୋଷ ବ୍ୟକ୍ତ କରିବା ସହିତ ସୁରକ୍ଷା ବ୍ୟବସ୍ଥାର ଉତ୍ତମ ପରିଚାଳନା କରିବା ପାଇଁ ଉକ୍ତ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ,ଆଜି ଥାନାଧିକାରୀ ଶ୍ରୀ ସାହୁ ଓ ପୋଲିସ ଟିମ୍ ବେଲଗୁଣ୍ଠା ସହରର ଭାରତୀୟ ଷ୍ଟେଟ ବ୍ୟାଙ୍କ,ୟୁନିଅନ୍ ବ୍ୟାଙ୍କ, ଇଣ୍ଡିଆନ ଓଭର୍ ସିଜ୍ ବ୍ୟାଙ୍କ, ତନରଡା ଓ ଜି. ନୁଆଗାଁ ସ୍ଥିତ କାନାରା ବ୍ୟାଙ୍କକୁ ନିଜ ଟିମ୍ ସହିତ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ବ୍ୟାଙ୍କର ଉପଯୁକ୍ତ ସ୍ଥାନରେ ସିସିଟିଭି ଲାଗିବା, ଠିକ୍ ସମୟରେ ସାଇରନ୍ ବାଜିବା, ସିସିଟିଭି ହାର୍ଡଡିସ୍କ ରହିବା ବ୍ୟବସ୍ଥା ପରଖିବା ସହିତ ବ୍ୟାଙ୍କ ପରିଚାଳକ ଓ କର୍ମଚାରୀଙ୍କ ସହିତ ଆଲୋଚନା କରିଥିଲେ । ଏଥିରେ କିଛି ବ୍ୟାଙ୍କରେ ସୁରକ୍ଷା ବ୍ୟବସ୍ଥାର ବ୍ୟତିକ୍ରମ ହେଉଥିବା ସେ ଲକ୍ଷ୍ୟ କରିଥିଲେ । ତେଣୁ ସେ ଅସନ୍ତୋଷ ବ୍ୟକ୍ତ କରି ତୁରନ୍ତ ସୁରକ୍ଷା ବ୍ୟବସ୍ଥା ସଜାଡ଼ିବା ପାଇଁ ବ୍ୟାଙ୍କର ଶାଖା ପରିଚାଳକ ମାନଙ୍କୁ ପରାମର୍ଶ ଦେଇଥିଲେ । ଏଥି ସହିତ କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ବ୍ୟାଙ୍କ ପରିସରରେ ଦେଖିଲେ ତୁରନ୍ତ ଥାନାକୁ ଖବର ଦେବା ପାଇଁ କହିଥିଲେ । ଏଥିରେ ଥାନାଧିକାରୀଙ୍କ ସହିତ ବେଲଗୁଣ୍ଠା ଥାନାର ଏସ ଆଇ ନାରାୟଣ ନାୟକ,ଏଏସଆଇ ବିଶ୍ଵନାଥ ମଲିକ,କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ପୀତବାସ ଗୌଡ଼ ଓ ଦୁର୍ଯ୍ୟଧାନ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )
Prev Post