ବୃକ୍ଷରେ ଖଞ୍ଜା ଯାଇଥିବା ବିସ୍ଫୋରକୁ ନିଷ୍କ୍ରୀୟ କଲେ ଯବାନ ।

0 247

ମାଲକାନାଗିରି,୨୦/୧୧(ପିପିଟି):ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ନିଜର ପତିଆରା ଜାହିର କରିବାକୁ ଚେଷ୍ଟା କରିଥିଲେ ମାଓବାଦୀ, ମାଓବାଦୀଙ୍କ ଏହି ଯୋଜନାକୁ ପଣ୍ଡ କଲେ ବିଏସଏଫ ଯବାନ । ଆଜି ଏପରି ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଢି ପଞ୍ଚାୟତର ବାଲିମେଳା ଛକ ଡାଈକ ୩ ମୁଖ୍ୟ ରାସ୍ତାର ଖଡିକାଝୋଡି ପୋଲ ନିକଟରେ ଥିବା ଏକ ବୃକ୍ଷରେ ବିସ୍ଫୋରକ ଆଇଡି ଖଞ୍ଜା ଯାଇଥିବା ଦେଖିବାକୁ ମିଳିଛି । ଉକ୍ତ ବିସ୍ଫୋରକ ଆଇଡିରୁ ଏକ ବିଦ୍ୟୁତ ତାର କିଛି ଦୂରରେ ଥିବା ଏକ ବ୍ୟାଟେରୀକୁ ସଂଯୋଗ କରାଯିବା ସହ ତାରଟି ଘଞ୍ଚ ଜଙ୍ଗଲ ମଧ୍ୟକୁ ଲମ୍ବିଥିବା ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୧୦ ଘଟିକ ସମୟରେ ଚିତାପାରି-୩ ଗ୍ରାମରେ ମୁତୟନ ଥିବା ୧୪୪ ବିଏସଏଫ ବାଟାଲିୟନର ଯବାନମାନେ କୁମ୍ବିଂରେ ଯାଇଥିବା ବେଳେ ମେଟାଲ ଡ଼ିଟେକ୍ଟର ସାହାଯ୍ଯରେ ଏହି ଆଇଡି ଖଞ୍ଜା ଯାଇଥିବା ଦେଖିଥିଲେ । ପରେ ଏହି ଅଞ୍ଚଳକୁ ନାକାବନ୍ଦୀ କରିବା ସହ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ମୁଖ୍ୟ ରାସ୍ତା ଦେଇ ଯାତାୟାତ କରୁଥିବା ଲୋକମାନଙ୍କୁ ଅଟକାଇ ଦିଆଯାଇଥିଲା ଏବଂ ବୃକ୍ଷରେ ଲାଗିଥିବା ଆଇଡିଟିକୁ ନିଷ୍କ୍ରୀୟ କରିବା ନିମନ୍ତେ ମାଲକାନଗିରିରୁ ବିଏସଏଫର ଏକ ସ୍ୱତନ୍ତ୍ର ବମ୍ବ ସ୍କ୍ୱାର୍ଡ ଦଳକୁ ଡକାଇ ବ୍ୟାଟେରୀ ଓ ବିଦ୍ୟୁତ ତାରକୁ ଜବତ କରାଯିବା ସହ ଉକ୍ତ ଆଇଡି ନିଷ୍କ୍ରୀୟ କରିବାରେ ସକ୍ଷମ ହୋଇଥିଲେ । ପରେ ଏହି ଘଟଣାକୁ ଦୃଷ୍ଟିରେ ରଖି ବିଏସଏଫ୍ ଯବାନମାନଙ୍କ ପକ୍ଷରୁ ଉକ୍ତ ଅଞ୍ଚଳରେ କୁମ୍ବିଂଙ୍କୁ ଜୋରଦାର କରାଯାଇଥିବା ବିଏସଏଫ୍ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ଖଡ଼ିକାଝୋଡି ଅଞ୍ଚଳଟି ବାଲିମେଳା ଏନଏସି କୁ ଲାଗି ରହିଥିବା ସହ ଏହି ଅଞ୍ଚଳରେ ଏକ ଜଳପ୍ରପାତ ଥିବା ହେତୁ ବର୍ଷ ତମାମ ଏଠି ବଣ ଭୋଜିର ଆସର ଜମି ଥାଏ । ତେବେ ବର୍ତ୍ତମାନ ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
(ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.