ଉଲୁଣ୍ଡା,୧୫/୦୨(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ନେଇ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ସାମ୍ପ୍ରତିକ ସମାଜ କଳୁଷିତ ହୋଇପଡିଥିବାବେଳେ ଏହାର ପ୍ରଭାବ ମହିଳାମାନଙ୍କ ଠାରେ ମଧ୍ୟ ପରିଲକ୍ଷିତ ହେଉଛି । ରାସ୍ତାଘାଟ, ସର୍ବସାଧାରଣ ସ୍ଥାନ, ଶିକ୍ଷନୁଷ୍ଠାନ ତଥା କାର୍ଯ୍ୟାଳୟ ଠାରେ ମହିଳାମାନଙ୍କ ପ୍ରତି ହିଂସା ପ୍ରତିଦିନ ଘଟୁଛି । ଏଭଳି ସଙ୍କଟ ସମୟରେ ସେମାନେ ନିଜ ସୁରକ୍ଷା ପାଇଁ ପ୍ରତିଜ୍ଞାବଦ୍ଧ ହେବାର ପ୍ରକୃଷ୍ଟ ସମୟ ଆସିଛି । କଲେଜରେ ଛାତ୍ରୀମାନେ ଆତ୍ମାସୁରକ୍ଷା ପ୍ରଶିକ୍ଷଣ ନେଲେ ସେମାନଙ୍କ ମନୋବଳ ବୃଦ୍ଧିପାଇବ ବୋଲି ବୀରାମହାରାଜପୁର ମହାବିଦ୍ୟାଳୟ ଠାରେ ଯୁକ୍ତ ଦୁଇ ଛାତ୍ରୀମାନଙ୍କ ଆତ୍ମାସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ନିମନ୍ତ୍ରିତ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏହି ଉଦଯାପନୀ ଉତ୍ସବ ପାଳନ ଅବସରରେ ଆୟୋଜିତ ସଭାରେ ଅଧ୍ୟକ୍ଷ ସୁଦାମ ଚରଣ ସାହୁ ସଭାପତିତ୍ୱ କରିଥିବାବେଳେ ଇଂରାଜୀ ବିଭାଗ ମୁଖ୍ୟ ଗୀତାଞ୍ଜଳି ପୂଜାରୀ ଓ ଇତିହାସ ବିଭାଗ ମୁଖ୍ୟ ଡ଼କ୍ଟର ହିମାଂଶୁ ଶେଖର ପାଢ଼ୀ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଅଧିକାରୀ ଯାମିନୀ ଦାଶ ସଭା ସଂଯୋଜନା ସହିତ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ହରପ୍ରିୟା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଶିକ୍ଷଣ ସମାପ୍ତ କରିଥିବା ୧୨୩ ଜଣ ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )