କୋଦଳା,୧୫/୦୬(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେରୁଆବାଡି ଗ୍ରାମ ରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି। ବିବାହ କାର୍ଯ୍ୟ ପାଇଁ ଘରେ ବିସ୍ଫୋରକ ସାମଗ୍ରୀ ଗଛିତ ଥିବା ବେଳେ ହଠାତ୍ ବିସ୍ଫୋରଣ ଘଟି ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ କୋଦଳା ଓ ପରେ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣ ର ପ୍ରଭାବ ରେ ତିନୋଟି ଘର ମଧ୍ଯ ଭାଙ୍ଗି ଯାଇଥିବା ଜଣାପଡିଛି।ଅଳ୍ପକେ ଗୋଟିଏ ୨୮ ଦିନର ନବଜନ୍ମିତ ଶିଶୁଟି ବଞ୍ଚିଯାଇଛି ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦମକଳ କର୍ମଚାରୀ ମଧ୍ୟ ସେଠାରେ ଉପସ୍ଥିତ ରହିଛି ।ସୂଚନା ପ୍ରକାରେ ବୁଧବାର ସକାଳ ୧୦ ଘଣ୍ଟ ସମୟ ରେ ବେରୁଆଁ ବାଡ଼ି ଗ୍ରାମର ଶିଅଳ ସାହି ଠାରେ ହଠାତ ବିସ୍ପୋରଣ ଶବ୍ଦ ଶୁଭିବାରୁ ସାହି ବାସିନ୍ଦା ଦାଣ୍ଡକୁ ଆସି ଦେଖିବା ବେଳେ ଦଣ୍ଡପାଣି ବେହେରାଙ୍କ ଘର ମଧ୍ୟରୁ ପ୍ରବଳ ଧୂଆଁ ବାହାରିବା ସହିତ ଘର ର ଭଙ୍ଗା ଆଜବେଷ୍ଟସ ଓ ଆସବାବ ପାତ୍ର ଏଣେତେଣେ ପଡିଥିବା ଦେଖି କିଛି ଅଘଟଣ ହୋଇଛି ଜାଣି , ସଙ୍ଗେ ସଙ୍ଗେ ଗ୍ରାମବାସୀ ରୁଣ୍ଡହୋଇ ସେହି ଘର ମଧ୍ୟରେ ପସି ଅର୍ଦ୍ଧଦଗ୍ଧ ଅବସ୍ଥାରେ ୫ ଜଣଙ୍କୁ ଓ ପଡୋଶୀ କୈଳାଶ ବେହେରା ଏବଂ ତାଙ୍କ ପୁତ୍ରକୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ପହଞ୍ଚାଇଥିଲେ । ୭ ଜଣଙ୍କ ମଧ୍ୟରୁ ଗୋଟିଏ ପରିବାରର ଚାରିଭାଇ ବିଷ୍ଣୁ ବେହେରା (୨୮), ତ୍ରିପୁରା ବେହେରା (୨୨), ଶ୍ରୀହରି ବେହେରା (୨୬), ବଳରାମ ବେହେରା (୩୧)ଜଣେ ସମ୍ପର୍କୀୟ ମିଥୁନ ବେହେରା (୨୨)ବିସ୍ପୋରଣ ରେ ପୋଡିହୋଇ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ବ୍ରହ୍ମପୁର ପଠାଇ ଦିଆଯାଇଛି । ତତ୍ ସହିତ ବିସ୍ପୋରଣ ରେ ପଡୋଶୀ କାନ୍ଥ ଭୁଶୁଡି ପଡିବା ଫଳରେ କୈଳାଶ ବେହେରା (୫୩) ଓ ତାଙ୍କ ପୁଅ କାହ୍ନା ବେହେରା ମଧ୍ୟ ଗୁରୁତର ଆହାତ ହୋଇଛନ୍ତି । କେମିତି ବିସ୍ପୋରଣ ଘଟିଲା କେହି ସଠିକ କଥା କହିପାରୁନଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଓ କୋଦଳା ପୋଲିସ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି ।ସାହିବାସିନ୍ଦାଙ୍କ କହିବା ଅନୁଯାଇ ଚଳିତ ମାସ ୨୬ ତାରିଖରେ ଦୁଇଭାଇ ବିଷ୍ଣୁ ଓ ଶ୍ରୀଧରଙ୍କ ବିବାହ ହେବାର ଥିଲା । ଏଣୁ ବିବାହ କାର୍ଯ୍ୟ ନିମନ୍ତେ ବାଣ ତିଆରି କରୁଥିବା ସମୟରେ ଏହି ବିସ୍ପୋରଣ ଘଟିଥିବା ନେଇ ପୋଲିସ ସନ୍ଦେହ କରିଛି । ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ଦୁଇଟି ଘରର ଆଜବେଷ୍ଟସ ଉଡିଯାଇଥିବା ସହିତ ଗୋଟିଏ କାନ୍ଥ ମଧ୍ୟ ଭୁଶୁଡି ପଡିଛି ତୃତୀୟ ଘର ର ମଧ୍ୟ ଆଜବେଷ୍ଟସ ଭାଙ୍ଗି ତଳେ ପଡିଛି । କିନ୍ତୁ ଆଶ୍ଚର୍ଯ୍ୟ ର କଥା ସେହି ଘରେ ଗୋଟିଏ ୨୮ ଦିନର ଶିଶୁ ସନ୍ତାନ ଶୋଇଥିବା ବେଳେ ସାମାନ୍ୟ ତମ କ୍ଷତ ସୃଷ୍ଟିହୋଇନଥିବା ଜଣାପଡ଼ିଛି ।ରିପୋର୍ଟ ଲେଖାହେବା ସୁଦ୍ଧା ପୋଲିସ ସେଠାରେ ଉପସ୍ଥିତ ଅଛନ୍ତି । ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟ ମଣି ପ୍ରଧାନ ଘଟଣା ସ୍ଥଳ ପରିଦର୍ଶନ କରି ଫେରିଥିବା ଜଣାପଡ଼ିଛି ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )