ମାଲକାନଗିରି ,୨୬/୦୬(ପିପିଟି): ମାଲକାନଗିରି ଜିଲ୍ଲାରେ ଆନ୍ତର୍ଜାତିକ ନିଶ୍ଚେତକ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଏହାର ଚୋରାଚାଲାଣ ବିରୁଦ୍ଧ ଦିବସ ପାଳନ କରାଯାଇଅଛି। ଏହି ଦିବସ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ଅବକାରୀ ବିଭାଗ ର ମିଳିତ ଆନୁକୂଲ୍ୟରେ ଜିଲ୍ଲା ସଦରମହକୁମା ଠାରେ ଏକ ଶୋଭଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ଏଥି ସହ, ଦଣ୍ଡକାରଣ୍ୟ ଖେଳପଡ଼ିଆ ଠାରେ ଏକ ଶପଥ ଗ୍ରହଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଯୋଗ ଦେଇ ଶପଥ ପାଠ କରାଇଥିଲେ । ଯୁବପିଢି ରାଷ୍ଟ୍ରର ଶକ୍ତି ଏବଂ ସମାଜ ଓ ଦେଶର ବିକାଶରେ ଯୁବଶକ୍ତିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ତେଣୁ ନିଶାମୁକ୍ତ ଭାରତ ଅଭିଯାନରେ ଅଧିକରୁ ଅଧିକ ଯୁବକଯୁବତୀ ସାମିଲ ହେବା ଅତ୍ୟନ୍ତ ଜରୁରୀ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଏହି ଅବସରରେ କହିଥିଲେ ।
ସୂଚନା ଥାଉ କି, ଆନ୍ତର୍ଜାତିକ ନିଶ୍ଚେତକ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଏହାର ଚୋରାଚାଲାଣ ବିରୁଦ୍ଧ ଦିବସ ପ୍ରତିବର୍ଷ ୨୬ ଜୁନ୍ ରେ ନିଶା ମୁକ୍ତ ବିଶ୍ବ ଗଠନ ନିମନ୍ତେ ପାଳନ କରାଯାଇଥାଏ। ଚଳିତ ବର୍ଷର ଅଭିଯାନର ଉଦ୍ଦେଶ୍ୟ ହେଉଛି ମାଦକ ଦ୍ରବ୍ୟ ବ୍ୟବହାର କରୁଥିବା ବ୍ୟକ୍ତି ପ୍ରତି ସମ୍ମାନ ଭାବ ଏବଂ ସହନଶୀଳ ମନୋଭାବ ରଖିବାର ଗୁରୁତ୍ଵ ବିଷୟରେ ସଚେତନତା ସୃଷ୍ଟି କରିବା, ସମସ୍ତଙ୍କ ପାଇଁ ପ୍ରମାଣ ଆଧାରିତ ସ୍ଵେଚ୍ଛାକୃତ ସେବା ଯୋଗାଇବା, ଦଣ୍ଡର ବିକଳ୍ପ ପ୍ରଦାନ, ନିଶା ନିବାରଣ ପ୍ରତିରୋଧକୁ ପ୍ରାଥମିକତା ଦେବା ଏବଂ ଦୟାଭାବ ସହ ଆଗେଇବା ।
ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶ୍ରୀମତୀ ସସ୍ମିତା ସ୍ବାଇଁ, ସାମାଜିକ ସୁରକ୍ଷା ଅଧିକାରୀ ଓ ବିମ୍ବଧର ପଣ୍ଡା, ଅବକାରୀ ଅଧିକାରୀ ପରିଚାଳିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ ଭୁଜବଳ, ପୌର ପରିଷଦ ନିର୍ବାହୀ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ , ଜିଲ୍ଲା ସଦର ମହକୁମାର ସମସ୍ତ ଉଚ୍ଚ ବିଦ୍ୟାଳୟ ,ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ, ବିଭିନ୍ନ ଏନ୍.ଜି.ଓ ର କର୍ମକର୍ତ୍ତା, ଟ୍ରାନ୍ସଜେଣ୍ଡର, ସମର ଶିକ୍ଷାର୍ଥୀ ବାହିନୀ, ଜିଲ୍ଲାସ୍ତରୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)