ରାୟଗଡା,୦୯/୦୬(ପିପିଟି); ରାୟଗଡା ଜିଲ୍ଲା ଗୁଣୁପୁର,ଗୁଡାରୀ, ପଦ୍ମପୁର ବ୍ଲକର ବିଭିନ୍ନ ସ୍ଥାନରେ ସହୀଦ ବିର୍ସା ମୁଣ୍ଡାଙ୍କ ୧୨୧ତମ ତିରୋଧାନ ଦିବସ ପାଳିତ ହୋଇଛି।୧୫ ନଭେମ୍ବର ୧୮୭୫ ମସିହାରେ ଝାଡଖଣ୍ଡର ଖୁଣ୍ଟି ଜିଲ୍ଲାର ଉଲିହାଟୁ ଗ୍ରାମରେ ବିର୍ସା ମୁଣ୍ଡା ଜନ୍ମଗ୍ରହଣ କରିଥିଲେ। ବଂଶୀ ବଜାଇବା ଏକ ନିଶା ସହିତ ଆଦିବାସୀଙ୍କ ଅଧିକାର ପାଇଁ ଇଂରେଜମାନଙ୍କ ବିରୋଧରେ ବାରମ୍ବାର ଲଢ଼େଇ କରୁଥିଲେ। ଜଳ,ଜମିଏବଂ ଜଙ୍ଗଲକୁ ସୁରକ୍ଷା ଦେବାସହ ଆଦିବାସୀମାନଙ୍କ ପରମ୍ପରାକୁ ବିଶେଷ ଗୁରୁତ୍ୱ ଦେଉଥିଲେ। ବ୍ରିଟିଶ୍ ଶାସନ ବ୍ୟବସ୍ଥା ଆଦିବାସୀମାନଙ୍କ ଉପରେ ଦମନ, ଅତ୍ୟାଚାର, ଶୋଷଣ ବଢିବା ହେତୁ ବିର୍ସାମୁଣ୍ଡା ଇଂରେଜ ଶାସନ ବିରୁଦ୍ଧରେ ଲଢେଇ କରିଥିଲେ। ୧୮୯୫ ମସିହାରେ ବିର୍ସାମୁଣ୍ଡାଙ୍କୁ ଗିରଫ କରାଯାଇ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇ ଥିଲା। ଏହା ପରେ ୨୮ ଜାନୁୟାରୀ ୧୮୯୮ ମସିହାରେ ଜେଲରୁ ମୁକୁଳିବା ପରେ ବ୍ରିଟିଶମାନଙ୍କ ଦଖଲରେ ଥିବା ଜଳ,ଜମି ଏବଂ ଜଙ୍ଗଲକୁ ବାହାର କରିବା ପାଇଁ କାଗଜପତ୍ର ବାହାର କରିଥିଲେ। ୧୮୯୯ ମସିହାରେ ୭୦୦୦ ମହିଳା ଓ ପୁରୁଷ ମାନଙ୍କୁ ନେଇ ଡିସେମ୍ବର ୨୫ତାରିଖରେ ଏକତ୍ରୀତ ହୋଇ (ଉଲଗୁଲାନ) ବିପ୍ଳବ ବିଷୟରେ ଲୋକଙ୍କୁ ଜଣାଇଥିଲେ। ଏହାପରେ ଆନ୍ଦୋଳନ ତେଜୀୟାନ୍ ହେବା ଫଳରେ ଆନ୍ଦୋଳନକୁ ଦମନ କରିବା ପାଇଁ ବ୍ରିଟିଶ ପ୍ରଶାସନ ବିର୍ସାଙ୍କ ଉପରେ ୫୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲେ।ଶେଷରେ ଇଂରେଜ ସରକାର ବିର୍ସାମୁଣ୍ଡାଙ୍କୁ ଖାଦ୍ୟରେ ବିଷାକ୍ତ ମେଡ଼ିସନ୍ ଦେଇ ସ୍ଵାସ୍ଥ୍ୟକୁ ନଷ୍ଟକରି ମାରିଦେଲେ। ଜୁନ ୯ ତାରିଖ ୧୯୦୦ ମସିହାରେ ସେ ମୃତ୍ୟୁବରଣ କରିଥିଲେ l ତାଙ୍କର ଅମର ଆତ୍ମାକୁ ସମ୍ମାନ ଦେଇ ବିର୍ସାମୁଣ୍ଡାଙ୍କର ୧୨୧ ତମ ଶ୍ରଦ୍ଧାଞ୍ଜଳୀ ଦିବସରେ ସଂକଳ୍ପ ନିଆଗଲା ଯେ କେନ୍ଦ୍ର ସରକାର ସମଗ୍ର ଦେଶରେ ଆଦିବାସୀ ମାନଙ୍କ ଅଧିକାରରେ ରହିଥିବା ଜଳ, ଜମି ଏବଂ ଜଙ୍ଗଲକୁ ଲୁଟ କରିବାପାଇଁ ଯେଉଁ ଷଡଯନ୍ତ୍ର କରୁଛି, ତାହାକୁ ତୀବ୍ର ନିନ୍ଦା କରିବା ସହ ସମସ୍ତ ଆଦିବାସୀ ମାନଙ୍କୁ ଜଙ୍ଗଲ ଅଧିକାର ପଟା ପ୍ରଦାନ କରିବା ସହ କେନ୍ଦ୍ରର ସରକାର ଆଣିଥିବା ତିନୋଟି କୃଷି ବିଲ୍ ବାତିଲ କରିବା ପାଇଁ ଦାବି କରାଯାଇଥିଲା। ଆଦିବାସୀ ଅଧିକାର ବିକାଶମଞ୍ଚର ଆହ୍ୱାନକ୍ରମେ ଗୁଣୁପୁରରେ ତ୍ରିପତି ଗମାଙ୍ଗ, ଅନାସୀମ ଶବର,ରାଇନା ଶବର ଓ ଗୁଡାରୀ ବ୍ଲକରେ ବୃନ୍ଦାବନ ବିଡିକା, ସମ୍ବରା ଶବର ଓ ସୁବାଷ କିମ୍ବକା ନେତୃତ୍ୱ ନେଇଥିଲେ।
(ରିପୋର୍ଟ- ନବୀନ ନାୟକ ବେହେରା। )