କୋଦଳା,୨୭/୦୧(ପିପିଟି):କୋଦଳା ଓ ବେଗୁନିଆପଡା ଅଞ୍ଚଳର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସମେତ ବିଭିନ୍ନ ସ୍ଥାନ ରେ ପବିତ୍ର ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । କିନ୍ତୁ ସବୁଠାରୁ ନିଆରା ଏବଂ ପ୍ରଥମ ଥର ପାଇଁ କୋଦଳା ଥାନା ତଥା ଥାନା ଅଧିକାରୀ ଉମା କାନ୍ତ ସାହୁଙ୍କ ଦ୍ୱାରା ଆୟୋଜିତ ସାଧାରଣତନ୍ତ୍ର ଦିବସ ମହା ଆଡମ୍ବର ସହିତ ପାଳିତ ହୋଇଯାଇଛି । ଏକ ବିରାଟ ସୁସଜ୍ଜିତ ମଞ୍ଚରେ ୨୩ ପଞ୍ଚାୟତ ଓ କୋଦଳା ଏନ୍ଏସି ର ସମସ୍ତ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ଦେଶାତ୍ମବୋଧ ପରିବେଶ ସୃଷ୍ଟି ହୋଇଥିଲା ।ଏଥିରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ,ତହସିଲଦାର ସସ୍ମିତା ଶତପଥୀ,ଏସଡିପିଓ ରଜନୀ କାନ୍ତ ସାମଲ ପ୍ରମୁଖ ଯୋଗଦେଇଥିଲେ ।ଏକ ବିରାଟ ପଟୁଆର ରେ ସ୍ବର୍ଣ୍ଣମୟୀ ହାଇସ୍କୁଲର ଏନସିସି ଛାତ୍ର ପେରେଡ ମାଧ୍ୟମରେ ଅତିଥିଙ୍କୁ ଥାନା ନିକଟକୁ ପାଛୋଟି ଆଣିଥିଲେ । ଥାନା ସମ୍ମୁଖରେ ନିର୍ମିତ ଓଡିଶା ସରକାରଙ୍କ ୨୪ ଘଣ୍ଟିଆ ସ୍ୱଚ୍ଛ ପିଇବା ପାଣି “ସୁଜଳ “ଯୋଜନାର ଶୁଭାରମ୍ଭ କରିବା ସହିତ ବୁଦ୍ଧ ମୂର୍ତ୍ତି ଏବଂ ମହିଳା ଓ ଶିଶୁ ମାନଙ୍କ ସୁବିଧା ଦୃଷ୍ଟି ରୁ ନିର୍ମାଣଧୀନ ବିଭିନ୍ନ ଦୋଳିକୁ ମଧ୍ୟ ଉଦଘାଟନ କରିଥିଲେ ବିଧାୟିକା ।ପରେ ପରେ ମଞ୍ଚ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ କୁନି କୁନି ଛାତ୍ର ଛାତ୍ରୀଙ୍କ ଦେଶାତ୍ମବୋଧ ଗୀତ ଓ ସଚେତନ ମୂଳକ ନୃତ୍ୟରେ ଝୁମି ଉଠିଲେ ଦର୍ଶକ । ଥାନା ଏ ଏସ ଆଇ ଅମୁଲ୍ୟ ବୀର ମଧ୍ୟ ଦେଶାତ୍ମବୋଧ ଗୀତ ଗାଇ ଲୋକଙ୍କୁ ମନ୍ତ୍ରମୁଗ୍ଧ କରାଇଥିଲେ ।ପ୍ରଥମ ଥର ପାଇଁ ଏପରି କାର୍ଯ୍ୟକ୍ରମ ଆୟୋଜିତ କରାଇ ଥିବାରୁ ଥାନା ଅଧିକାରୀଙ୍କୁ ପ୍ରସଂଶା କରିଥିଲେ ବିଧାୟିକା । ମଞ୍ଚ ପରିଚାଳନା ଓ ଉପସ୍ଥାପନା କରିଥିଲେ ଶିକ୍ଷୟତ୍ରୀ ଇପ୍ସିତା ପ୍ରିୟଦର୍ଶିନୀ ଓ ଶିକ୍ଷକ ତୁଳସୀ ରାମ ମେହେର । ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ। )