ଭଞ୍ଜନଗର,୨୦/୦୭(ପିପିଟି); ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଜନ ହିତକର ପ୍ରକଳ୍ପକୁ ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଙ୍ଗଳବାର ଉଦଘାଟନ କରିଛନ୍ତି।ସେଥି ମଧ୍ୟରେ ଢୁଢୁଆ ଠାରେ ଏକ କଲ୍ୟାଣ ମଣ୍ଡପ,ମୁଦୁଲି ପଲ୍ଲି ଠାରେ ପଞ୍ଚାୟତ କାର୍ଯ୍ୟାଳୟର ନୂତନ କୋଠା, ଭଞ୍ଜନଗର ବସ ଷ୍ଟାଣ୍ଡ ଠାରେ ଘରୋଇ ବସ ମାଲିକ ସଂଘ କାର୍ଯ୍ୟଳୟ। ଗତ ଦୁଇ ବର୍ଷ ହେଲା ନୂତନ ବସ ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହୋଇପାରି ନଥିଲା।ହେଲେ ଆଜି ମନ୍ତ୍ରୀ ଆରୁଖ ସବୁଜ ପତାକା ଦେଖାଇବା ପରେ ଏଠାରୁ ଯାତ୍ରୀବାହୀ ବସ ଗଡ଼ିବା ଆରମ୍ଭ ହୋଇଛି। ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ମନ୍ତ୍ରୀ ଆରୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ଏଥି ସହ କନ୍ଧମାଳ ସାଂସଦ ପ୍ରତିନିଧି ଦିବାକର ନାୟକ, ଘରୋଇ ବସ ମାଲିକ ସଂଘର ସଭାପତି ଗୋପବନ୍ଧୁ ମହାପାତ୍ର, ଉପସଭାପତି ଏ. ବେଣୁ ଗୋପାଳ, ସମ୍ପାଦକ ବିପ୍ର ଚରଣ ବାରିକ, ସହ ସମ୍ପାଦକ ସୁବାଷ ଚନ୍ଦ୍ର ଦିହୁଡ଼ି, ଆରଟିଓ ଦାୟୀତ୍ୱରେ ଥିବା ଭାଗିରଥି ନାୟକ ମଞ୍ଚରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଶୂଳପାଣି ଶତପଥି ସଂଯୋଜନା କରିଥିଲେ। ବସ ଷ୍ଟାଣ୍ଡକୁ ଲାଗି ରହିଥିବା ନୂତନ ଦୋକାନ ଗୃହକୁ ବିଭିନ୍ନ ବର୍ଗର ଲୋକଙ୍କୁ ବଣ୍ଟନ କରାଯାଇଥିବା ବେଳେ ଉଠା ଦୋକାନୀ ମାନଙ୍କ ଥଇଥାନ ପାଇଁ ଅତିଶୀଘ୍ର ୨୪ଟି ନୂତନ ଦୋକାନ ଗୃହ ନିର୍ମାଣ କରିବା ପାଇଁ ମନ୍ତ୍ରୀ ଘୋଷଣା କରିଥିଲେ।ଏଥି ସହ ମନ୍ତ୍ରୀ ଆରୁଖ ବସଷ୍ଟାଣ୍ଡକୁ ବୁଲି ଦେଖିଥିଲେ।ଏହାପରେ ଅପରାହ୍ନରେ ବ୍ଲକ ରାସ୍ତାରେ ବହୁମୁଖୀ ଗୋଷ୍ଠୀ କେନ୍ଦ୍ରର ଶିଳାନ୍ୟାସ,୧୨ନଂ ୱାର୍ଡରେ କମ୍ୟୁନିଟି ସେଣ୍ଟର,ମେଡ଼ିକାଲ ନିକଟରେ ନୂତନ ଶୌଚାଳୟର ଶିଳାନ୍ୟାସ,୧୫ନଂ ୱାର୍ଡରେ ଏକ କମ୍ୟୁନିଟି ସେଣ୍ଟର,୩କୋଟି ଟଙ୍କା ବ୍ୟୟରେ ଲୋହାରଖଣ୍ଡି ନଦୀର ପୁନରୁଦ୍ଧାର,ଆଦର୍ଶ ସ୍ମଶାନ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ।ଏହି ସମସ୍ତ କାର୍ଯ୍ୟରେ ବହୁ ଦଳୀୟ ନେତୃବୃନ୍ଦ, କର୍ମୀମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )