ବିବାଦୀୟ ମୋଟୁ ରେଞ୍ଜରଙ୍କ ଭିଡ଼ିଓ ଭାଇରଲ; ଅସ୍ଥାୟୀ କର୍ମଚାରୀ କରୁଛନ୍ତି ରେଞ୍ଜରଙ୍କ ଦେହ ମାଲିସ୍ ।

0 247

ମାଲକାନଗିରି,୩୧/୦୮(ପିପିଟି): ମାଲକାନଗିରି ଜିଲ୍ଲା ମୋଟୁ ରେଞ୍ଜର ରଶ୍ମୀ ରଞ୍ଜନ ସ୍ବାଇଁଙ୍କ ପିଛା ଛାଡୁନି ବିବାଦ । ସୋମବାର ରେଞ୍ଜ କାର୍ଯ୍ୟାଳୟରୁ ଗଛ କାଟିବାକୁ ନେଇ ବିବାଦୀୟ ହୋଇଥିଲେ । ଏହାପରେ ମଙ୍ଗଳବାର ଗୋଟିଏ ମାଲିସ୍ ଭିଡିଓ ଭାଇରାଲ ହେବାପରେ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସଦ୍ୟତମ ଭିଡିଓରେ ବନ ବିଭାଗର ଦୁଇ ଜଣ ଅସ୍ଥାୟୀ କର୍ମଚାରୀ ରେଞ୍ଜରଙ୍କୁ ଶରୀର ମାଲିସ୍ କରୁଥିବା ସ୍ପଷ୍ଟ ରୂପେ ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ପରେ ସଂପୃକ୍ତ କର୍ମଚାରୀମାନେ ମଧ୍ୟ ମୁହଁ ଖୋଲିଛନ୍ତି । ରେଞ୍ଜରଙ୍କ ଅସଲି ଚେହରାକୁ ପର୍ଦ୍ଦାଫାସ କରିଛନ୍ତି । ଚାପ ପକାଇ ଅସ୍ଥାୟୀ କର୍ମଚାରୀଙ୍କ ଦ୍ବାରା ବ୍ୟକ୍ତିଗତ କାମ କରାଉଥିବା ଅଭିଯୋଗ ହୋଇଛି । ଘରକୁ ଯିବା ପାଇଁ ଦେଉ ନଥିବା ବେଳେ ରୋଷେଇ କରି ଠିକ୍ ସମୟରେ ଖାଇବାକୁ ଦେବାକୁ ବାଧ୍ୟ କରୁଛନ୍ତି । ନିୟମିତ ହାତଗୋଡ଼ ମାଲିସ୍ ବି କରାଉଛନ୍ତି ନିଜେ ରେଞ୍ଜର ବାବୁ । ରଶ୍ମୀ ରଞ୍ଜନ ସ୍ବାଇଁ ମୋଟୁ ରେଞ୍ଜର ଭାବେ ଯୋଗ ଦେବାପରେ ତଳିଆ କର୍ମଚାରୀଙ୍କ ସହ ଏଭଳି ବ୍ୟବହାର କରୁଛନ୍ତି । ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।ଗତକାଲି ଏମଭି – ୭୯ ଠାରେ ରହିଥିବା ମୋଟୁ ରେଞ୍ଜ କାର୍ଯ୍ୟାଳୟରେ ବେଧଡ଼କ ମୂଲ୍ୟବାନ ଶାଗୁଆନ ଗଛ କଟା ଚାଲିଥିଲା । ଯାହାର ଗୋଟିଏ ଭିଡିଓ ଭାଇରାଲ ହୋଇଥିଲା । ପ୍ରାୟ ସପ୍ତାହ ହେଲା ରେଞ୍ଜରଙ୍କ ନିର୍ଦ୍ଦେଶରେ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ କଟାଯାଉଥିବା ବେଳେ ଏପିଭି – ୪୪ ଗାଁର ୩ଜଣଙ୍କୁ କାଠ ପଟା କାଟିବାରେ ନିୟୋଜନ କରିଥିଲେ । ଏହି ମୂଲ୍ୟବାନ ଗଛ ବିକ୍ରି ଉଦ୍ଦେଶ୍ୟରେ କଟା ଯାଉଥିଲା ନା ବନ ବିଭାଗର କୌଣସି ବଡ଼ ଅଧିକାରୀଙ୍କ ବ୍ୟବହାର ପାଇଁ କଟାଯାଉଥିଲା ତାହା ତଦନ୍ତ ସାପେକ୍ଷ । ଅନ୍ୟପକ୍ଷରେ ମୋଟୁ ରେଞ୍ଜ କାର୍ଯ୍ୟାଳୟ ପରିସରରେ କାହା ନିର୍ଦ୍ଦେଶରେ ରେଞ୍ଜରବାବୁ ବେଆଇନ ଭାବେ ଗଛ କଟିଥିଲେ ସାଧାରଣରେ ପ୍ରଶ୍ନବାଚୀ ସ୍ରୁଷ୍ଟ ହୋଇଛି। ଏହାର ବିଭାଗୀୟ ତଦନ୍ତ କରାଯିବା ସହ ସଂପୃକ୍ତ ରେଞ୍ଜରଙ୍କୁ କାରଣ ଦର୍ଶାଆ ନୋଟିସ୍ ଦିଆଯାଇଛି ବୋଲି ମାଲକାନଗିରି ଡିଏଫ୍ଓ ପ୍ରତାପ କୋଟାପାଲୀ କହିଛନ୍ତି । ପ୍ରକାଶ ଥାଉ ଏମଭି-୭୯ ରେଞ୍ଜର ରଶ୍ମୀ ରଞ୍ଜନ ସ୍ବାଇଁଙ୍କୁ ଏଠାକୁ ପନିସମେଣ୍ଟରେ ବଦଳି ହୋଇ ଆସିଥିବାରୁ ତାଙ୍କ କ୍ଯାରିୟର ପୂର୍ବରୁ ଖରାପ ବୋଲି ଚର୍ଚ୍ଚା ହେଉଛି । ଏଣୁ ତାଙ୍କୁ ତୁରନ୍ତ ନିଳମ୍ବିତ କରିବାକୁ ଦାବି ହେଉଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.