ବିଦ୍ୟୁତ ସେବାରୁ ବଞ୍ଚିତ କଣ୍ଟେନମେଣ୍ଟ ଜୋନ ବସ୍ତିବାସିନ୍ଦା ।

0 471

ଭୁବନେଶ୍ୱର, ୦୩/୦୮(ପିପିଟି); ଗତ ୪ ଦିନ ଧରି ଗଣପତି ନଗର ବସ୍ତିର ଅନେକ ପରିବାରର ବିଦ୍ୟୁତ ସଂଯୋଗ କଟିଯାଇଛି। ନୟାପଲ୍ଲୀ ଇଲେକ୍ଟ୍ରି ସବ ଷ୍ଟେସନରେ ବାରମ୍ବାର ଅଭିଯୋଗ କରିବା ପରେ କଣ୍ଟେନମେଣ୍ଟ ଜୋନ ନହଟିବା ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ଠିକ୍ କରିପାରିବେ ନାହିଁ ବୋଲି ଫ୍ୟୁଜ କଲ କର୍ମଚାରୀ ମାନେ ଜଣାଇଲେ । ସବ ଷ୍ଟେସନ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ ଆମକୁ କଣ୍ଟେନମେଣ୍ଟ ଜୋନର ବିଦ୍ୟୁତ ସଂଯୋଗ ଠିକ ନକରିବାକୁ ଉପରୁ ନିର୍ଦ୍ଦେଶ ଅଛି ବୋଲି ଜଣାଇଛନ୍ତି । ଏହାପରେ ଟାଟା କଷ୍ଟମର କେୟାର ସେଣ୍ଟରରେ ପଞ୍ଜିକରଣ କରିବା, ବହୁ ଉଚ୍ଚ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ ବିଦ୍ୟୁତ ସେବା ପାଇବାରୁ ବଞ୍ଚିତ ଅଛନ୍ତି ବସ୍ତିବାସିନ୍ଦା ପରିବାରମାନେ। ବର୍ତ୍ତମାନ ଭୁବନେଶ୍ୱରରେ ଭୟଙ୍କର ଗରମ ହେଉଛି । ବିଦ୍ୟୁତ ସଂଯୋଗ ବ୍ୟତୀତ ଲୋକେ ଛଟପଟ ହେଉଛନ୍ତି । ବିଦ୍ୟୁତ ଏକ ଆତ୍ୟବଶ୍ୟକୀୟ ସେବା ହୋଇଥିବା ବେଳେ କଣ୍ଟେନମେଣ୍ଟ ଜୋନ ନାମରେ ବିଦ୍ୟୁତ ସଂଯୋଗରୁ ବଞ୍ଚିତ ରଖିବା ଅତ୍ୟନ୍ତ ଅମାନବୀୟ କାର୍ଯ୍ୟ ଅଟେ। ଗଣପତି ନଗର ବସ୍ତିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିବା ସମୟରେ ବିଏମସି ଆତ୍ୟବଶ୍ୟକୀୟ ସେବା ପାଇଁ ୧୯୨୯ ହେଲ୍ପ ଲାଇନ ନମ୍ବର ଜାରି କରିଥିଲେ । ଏହି ନମ୍ବରକୁ ମଧ୍ୟ ବାରମ୍ବାର ଫୋନ କରିବା ପରେ କେହି ଫୋନ ଉଠାଉ ନାହାନ୍ତି । ପ୍ରକାଶଯୋଗ୍ୟ ଗତ ୨୧ ଜୁଲାଇରୁ ଏହି ଅଞ୍ଚଳର ଚାରିଗୋଟି ବସ୍ତିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଅଛି । ଏହି ବସ୍ତି ମାନଙ୍କର ୯୯ ପ୍ରତିଶତ ଲୋକ ଦିନ ମଜୁରିଆ। ନିୟମିତ ରୋଜଗାର କଲେ ଖାଆନ୍ତି। ପ୍ରାୟ ୪ମାସ ହେଲା କାମ ବନ୍ଦ। ମଝିରେ ୧୫ ଦିନ ଭିତରେ ଦିନେ ଦୁଇଦିନ କାମ ପାଇ ଚଳୁଥିଲେ । କଣ୍ଟେନମେଣ୍ଟ ଜୋନ ଘୋଷଣା କରି ଚାରିପଟୁ ବାଉଁଶବାଡ଼ ଦେଇଦେବା ପରଠାରୁ ସେତିକି ମଧ୍ୟ ହରେଇ ଭୋକ ଉପାସରେ ଅଧା ପେଟରେ ପଡିଛନ୍ତି । ସରକାର-ପ୍ରଶାସନ ଓ ଗଣମାଧ୍ୟମ ସେମାନଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଛନ୍ତି । ଅନ୍ୟପକ୍ଷରେ କିଛି ଲୋକ ଭୋକ ସମ୍ଭାଳି ନପାରି ବାଉଁଶବାଡ଼ ଡେଇଁ ଯିବା ଆସିବା କରୁଛନ୍ତି । ଫଳରେ ସଂକ୍ରମଣର ସମ୍ଭାବନା ବହୁଗୁଣ ବଢିଯାଇଛି । ସରକାର ଓ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ବିଦ୍ୟୁତ ସଂଯୋଗ ନଯୋଗାଇଲେ ବସ୍ତିବାସିନ୍ଦା ବାଧ୍ୟହୋଇ ସାମାଜିକ ଦୂରତ୍ୱ ନିୟମକୁ ଭାଙ୍ଗି ରାସ୍ତାରୋକ କରିବାକୁ ବାଧ୍ୟହେବେ ଏବଂ ସେତେବେଳେ ଯେଉଁ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ବିଏମସି, ସରକାର ଓ ପ୍ରଶାସନ ଦାୟୀ ରହିବେ ବୋଲି ବସ୍ତିବାସିନ୍ଦାଙ୍କ ପକ୍ଷରୁ ବଳରାମ ଦିଗାଲ, ମୁନା ନାୟକ, ଅମୂଲ୍ୟ ଦୋରା, ଏସ ବବି ରେଡି, ବୁଢିଆ ଦିଗାଲ ଆଦି ଜଣେଇଛନ୍ତି । ଏହା ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀ, ପ୍ରମୁଖ ଶାସନ ସଚିବ, ଗୃହ ସଚିବ, କୋଭିଡ ୧୯ ନୋଡାଲ ଅଧିକାରୀ, ବିଏମସି କମିଶନର, ଓ ଇ ଆର ସି ଙ୍କୁ ମଧ୍ୟ ବସ୍ତିବାସିନ୍ଦାଙ୍କ ପକ୍ଷରୁ ଟ୍ୱିଟ ଓ ଇମେଲ ଜରିଆରେ ଜଣେଇ ଦିଆଯାଇଛି ବୋଲି ଗଣପତି ନଗର ବସ୍ତି କମିଟିର ଲୋକେ ଜଣାଇଛନ୍ତି ।

Leave A Reply

Your email address will not be published.