ବ୍ରହ୍ମପୁର,୧୪/୦୭(ପିପିଟି); ଆଜି ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଟାଟା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଜରିଆରେ ବିଦ୍ୟୁତ ବିଲ ଦରବୃଦ୍ଧି ପ୍ରତ୍ୟାହାର କରିବା ନିମନ୍ତେ ମହାମହିମ ରାଜ୍ୟପାଳ ଓଡିଶାଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନା ପ୍ରକାରେ ଓଡିଶା ସରକାର ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ବିଗତ ୩୦ ବର୍ଷ ଧରି ବିଭିନ୍ନ କମ୍ପାନୀ ମାନଙ୍କୁ ବିଦ୍ୟୁତ ବଣ୍ଟନ ଦାୟିତ୍ବ ଦେଇ ଆସୁଛନ୍ତି । ହେଲେ ବର୍ତ୍ତମାନ ବିଦ୍ୟୁତ ବଣ୍ଟନ ଦାୟିତ୍ବ ଟାଟା କମ୍ପାନୀକୁ ଦିଆଯାଇଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି କି ଯେ ବିଦ୍ୟୁତ କ୍ଷେତ୍ରରେ ଯେତେ ପ୍ରକାର କ୍ଷତି ଓ ଅହେତୁକ ଲାଭକୁ ଭରଣ ପୋଷଣ କରିବା ପାଇଁ ସରକାର ବିଦ୍ୟୁତ ଶୁକ୍ଳର ବୃଦ୍ଧି ଘଟାଇ ଉପଭୋକ୍ତା ମାନଙ୍କ ଠାରୁ ସେହି ଅର୍ଥକୁ ଆଦାୟ କରୁଛନ୍ତି । ବର୍ତ୍ତମାନ କରୋନା ମହାମାରୀ ସମୟରେ ଜନସାଧାରଣଙ୍କ ଉପରେ ବିଦ୍ୟୁତ ବିଲ ଦରବୃଦ୍ଧି ବୋଝ ଉପରେ ଲଳିତା ବିଡା ସଦୃଶ ହୋଇଛି । ବିଗତ ୨ ବର୍ଷ ମଧ୍ୟରେ ବିଦ୍ୟୁତ ଦେୟ ସ୍ଲାବରେ ପରିବର୍ତ୍ତନ କରିବା ସହ କରୋନା ସମୟରେ ଦୁଇ ଦୁଇ ଥର ବିଦ୍ୟୁତ ଶୁଳ୍କ ବୃଦ୍ଧି କରି ହାରାହାରି ଉପଭୋକ୍ତା ପିଛା ୨୫୦ ରୁ ୭୫୦ ଟଙ୍କା ବିଦ୍ୟୁତ ଶୁଳ୍କ ବଢାଇଛନ୍ତି । ଓଡିଶା ବିଧାନସଭାରେ ଭାରତୀୟ ଜନତା ପାର୍ଟିର ବିଧାୟକ ମାନଙ୍କ ଦ୍ୱାରା ଆଗତ କରାଯାଇଥିବା ମୁଲତବୀ ପ୍ରସ୍ତାବ ଆଧାରରେ ଓଡିଶା ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଓଡିଶା ସରକାରଙ୍କ ପକ୍ଷରୁ ” ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ” କୁ ରିଭ୍ୟୁ ପିଟିସନ ଦେବେ ବୋଲି ଉତ୍ତର ରଖିଥିଲେ କିନ୍ତୁ ଦୁର୍ଭାଗ୍ୟଜନକର ବିଷୟ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ବିଧାନସଭାରେ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିନାହାନ୍ତି ଏବଂ ଏଥିରୁ ପ୍ରମାଣିତ ହେଉଛି ଯେ ରାଜ୍ୟ ସରକାର ରାଜ୍ୟବାସୀଙ୍କ ସ୍ୱାର୍ଥ ଅପେକ୍ଷା କମ୍ପାନୀର ସ୍ୱାର୍ଥକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ବିଶେଷ କରି ଓଡ଼ିଶାର ପରିପାର୍ଶ୍ୱରେ ଥିବା ସମସ୍ତ ରାଜ୍ୟ ସବସିଡ ପ୍ରଦାନ କରୁଥିବା ବେଳେ ଓଡିଶା ସରକାର ସବସିଡ ପ୍ରତି ଆଖି ବୁଜି ଦେଇଛନ୍ତି । ତେଣୁ ଆଜି ଜିଲ୍ଲା ବିଜେପି ପକ୍ଷରୁ ଏକ ସ୍ମାରକ ପତ୍ର ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ଯେଉଁଥିରେ ଉଲ୍ଲେଖ ରହିଛି ଯେ ବର୍ଦ୍ଧିତ ବିଦ୍ୟୁତ ଶୁଳ୍କ ପ୍ରତ୍ୟାହାର କରାଯାଉ ଏବଂ ବେଆଇନ ଭାବେ ପ୍ରଥମ ୟୁନିଟକୁ ୫୦+୫୦ ଦୁଇ ଗୋଟି ସ୍ଲାବ କରି ଗରିବ ଲୋକମାନଙ୍କୁ ଆଶାତୀତ ଶୁଳ୍କ ଦେବାକୁ ବାଧ୍ୟ କରାଯାଇଛି , ସେହିଭଳି ଗ୍ରାମାଞ୍ଚଳରେ ଲୋ ଭୋଲ୍ଟେଜ ରହିବା ଦ୍ୱାରା ପିଲାମାନଙ୍କ ପାଠ ପଢ଼ାରେ ବହୁ ବାଧା ବିଘ୍ନ ସୃଷ୍ଟି ହେଉଛି ତେଣୁ ଗ୍ରାମାଞ୍ଚଳରେ ସଠିକ ଭୋଲ୍ଟେଜର ବିଦ୍ୟୁତ ଯୋଗାଇବା ବ୍ୟବସ୍ତା କରାଯାଉ, ଅଘୋଷିତ ବିଦ୍ୟୁତ କାଟକୁ ବନ୍ଦ କରି ସମ୍ପୂର୍ଣ୍ଣ ରାଜ୍ୟକୁ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଇ ଦିଆଯାଉ , କୃଷିକ୍ଷେତ୍ର ଓ ଶୀତଳ ଭଣ୍ଡାର ପାଇଁ ବିଦ୍ୟୁତ ଦେୟରେ ସବସିଡ ପ୍ରଦାନ କରାଯାଉ ଏବଂ ବିଦ୍ୟୁତ ଉପଭୋକ୍ତା ମାନେ ପୁରୁଣା ବକେୟା ଅର୍ଥ ପ୍ରଦାନ ନକଲେ ସେମାନଙ୍କ ଉପରେ ଯେଉଁଭଳି ଜୁଲୁମ କରାଯାଉଛି ସେଥିରେ କୋହଳ କରାଯାଉ ,ବାତ୍ୟା ପ୍ରବଣ ଅଞ୍ଚଳ ଭାବେ ପରିଚିତ ବ୍ରହ୍ମପୁର ସହରରେ ଭୂତଳ ବିଦ୍ୟୁତ ବ୍ୟବସ୍ଥା କରାଯାଉ , ବିପଦ ସଂକୁଳ ଅବସ୍ଥାରେ ଥିବା ଟ୍ରାନ୍ସଫର୍ମର ରକ୍ଷଣାବେକ୍ଷଣ କରାଯାଉ ଏବଂ ଫୁଉଜ କଲ ସେଣ୍ଟରରେ ଥିବା ଅଭିଯୋଗ ଫୋନ ଗୁଡିକ ଅଚଳ ହୋଇପଡିଛି ଏଣୁ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ଦାବି କରାଯାଇଛି । ଅନୁଷ୍ଠିତ ଏହି ସ୍ମାରକପତ୍ର ପ୍ରଦାନ ସମୟରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସି ପାତ୍ର , ଜିଲ୍ଲା ସଭାପତି ବିଭୁତି ଭୁଷଣ ଜେନା , ବ୍ରହ୍ମପୁର ବିଧାୟକ ପାର୍ଥି କାହ୍ନୁ ଚରଣ ପତି , ସାନଖେମୁଣ୍ଡି ଯୁବ ବିଜେପି ନେତା ପିଣ୍ଟୁ ପ୍ରଧାନଙ୍କ ସହ ବହୁ ବିଜେପି କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହିଥିଲେ ।
(ରିପୋର୍ଟ- ଆରତ କୁମାର ହୋତା। )