ଭଞ୍ଜନଗର,୦୬/୦୪(ପିପିଟି);ଗତ ୨୦୧୬ ମସିହାରେ ବିମୁଦ୍ରିକରଣ ଯୋଗୁଁ ଜନସାଧାରଣଙ୍କ ଆର୍ଥିକ ଅବସ୍ଥା ହ୍ରାସ ପାଇଥିଲା। ସ୍ଥିତିରେ ସୁଧାର ଆସି ନଥିବା ବେଳେ ଏବେ ପୁଣି କରୋନା ପ୍ରଭାବରେ ଜନ ଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି। ଏଭଳି ପରିସ୍ଥିତିରେ ନିମ୍ନ, ମଧ୍ୟବିତ୍ତ, ଗରୀବ ଓ ଚାଷୀଙ୍କ ସମେତ ବିଦ୍ୟୁତ ଶକ୍ତି ଉପରେ ନିର୍ଭର କରୁଥିବା ଅଣୁ, କ୍ଷୁଦ୍ର, ମଧ୍ୟମ ଶିଳ୍ପାନୁଷ୍ଠାନର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇପଡିଛି। ଏଭଳି ଅସମୟରେ ରାଜ୍ୟ ସରକାର ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟି ଦେବା ପରିବର୍ତ୍ତେ ବିଦ୍ୟୁତ ଦର ବୃଦ୍ଧି ଘଟାଇଛନ୍ତି।ବିଶେଷ କରି ଟାଟା ବିଦ୍ୟୁତ ବିତରକ ସଂସ୍ଥା ବିତରଣ ଦାୟୀତ୍ୱ ନେବା ଠାରୁ ଗତ ୭ମାସ ମଧ୍ୟରେ ବିଦ୍ୟୁତ ୟୁନିଟ ପିଛା ୫୦ପଇସା ବୃଦ୍ଧି ପାଇଛି। ଓଡ଼ିଶାରେ କୋଇଲା ଓ ପାଣି ଶସ୍ତା ଦରରେ ମିଳୁଥିବା ବେଳେ ବିଦ୍ୟୁତ ଉତ୍ପାଦନ ମଧ୍ୟ ଯଥେଷ୍ଟ ପରିମାଣରେ ହୋଇଥାଏ। ହେଲେ ସରକାର ଉପଭୋକ୍ତାଙ୍କୁ କମ ଦରରେ ବିଦ୍ୟୁତ ଯୋଗାଇବା ବଦଳରେ ଦର ବୃଦ୍ଧି କୁ ଗୁରୁତ୍ୱ ଦେଉଛନ୍ତି। ଯାହାକି ସାଧାରଣ ଲୋକଙ୍କ ନିମନ୍ତେ ବିଦ୍ୟୁତ ବ୍ୟବହାର କଷ୍ଟସାଧ୍ୟ ହୋଇପଡ଼ିଛି। ତେଣୁ ତୁରନ୍ତ ବର୍ଦ୍ଧିତ ଦର ପ୍ରତ୍ୟାହାର ଦାବିରେ ମଙ୍ଗଳବାର ଭଞ୍ଜନଗର ଠାରେ କଂଗ୍ରେସଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯୁବନେତା ପ୍ରଶାନ୍ତ କୁମାର ବିଷୋୟୀଙ୍କ ନେତୃତ୍ୱରେ ବହୁ କଂଗ୍ରେସ କର୍ମୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ବିଦ୍ୟୁତ ବିଭଗ ଅଧିକ୍ଷଣ ଯନ୍ତ୍ରୀ ନୃସିଂହ ନାରାୟଣ ପଣ୍ଡାଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏଥିରେ ନେତା ପ୍ରଶାନ୍ତ ବିଷୋୟୀଙ୍କ ସମେତ ଭଞ୍ଜନଗର ଏନଏସି ସଭାପତି ସୁକାନ୍ତ କୁମାର ଦିଗାଲ,ନାରାୟଣ ସାହୁ, ବିଦ୍ୟାଧର ପ୍ରଧାନ,ଜବାହରଲାଲ ସାହୁ, ବ୍ଲକ ସଭାପତି କୃଷ୍ଣ ବିଷୋୟୀ,ବାଲ୍ୟ କୁମାର ବେହେରା, ଲୋକନାଥ ସେଠି ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )