ଦିଗପହଣ୍ଡି,୨୨/୦୬(ପିପିଟି); ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଘୋଡାହଡ ରାସ୍ତାରେ ଥିବା ବିଦେଶୀ ମଦ ଦୋକାନ ମ୍ୟାନେଜରକୁ ନକଲି ବନ୍ଧୁକ ଦେଖାଇ ହତ୍ୟା ଧମକ ମାମଲାରେ ଦିଗପହଣ୍ଡି ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏଥିସହ ପୋଲିସ ସେମାନଙ୍କ ନିକଟରୁ ନକଲି ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ ଦ୍ବୟ ହେଲେ କେ. ନୂଆଗାଁ ଥାନା ନୂଆପଡ଼ା ଗ୍ରାମର ଜି.ସାନ୍ତୁନ ରାଓ (୨୨) ଓ ଦିଗପହଣ୍ଡି ଅଞ୍ଚଳ କଲୋନୀର କେ .ବଳରାମ ପୃଷ୍ଟି (୩୩) ବୋଲି ଜଣାପଡିଛି । ଖବର ମୁତାବକ ରବିବାର ଦିନ ସଟ୍ ଡାଉନ ରହିଥିବା ବେଳେ ବିଦେଶୀ ମଦ ଦୋକାନ ବନ୍ଦ ରହିଥିଲା । ରାତି ପ୍ରାୟ ସାଢେ଼ ୧୦ ଘଣ୍ଟ ସମୟରେ ଦୁଇ ଅଭିଯୁକ୍ତ ଏକ ବାଇକରେ ଆସି ଦୋକାନ କବାଟ ବାଡେଇ ଥିଲେ । ମ୍ୟାନେଜର କୃଷ୍ଣଚନ୍ଦ୍ର ଚୌଧୁରୀ କବାଟ ଖୋଲିବା ପରେ ଦୁଇ ଅଭିଯୁକ୍ତ ମଦ ବାକିରେ ମାଗିଥିଲେ । ଏନେଇ ମ୍ୟାନେଜର କୃଷ୍ଣଚନ୍ଦ୍ର ସଟ୍ ଡାଉନ ରହିଥିବା ଯୋଗୁଁ ଦୋକାନ ବନ୍ଦ ବୋଲି କହିବା ସହ ମଦ ଦିଆଯାଇପାରିବ ନାହିଁ ବୋଲି କହିଥିଲେ । ଯାହା ଫଳରେ ଅଭିଯୁକ୍ତ ସାନ୍ତୁନ ପୂର୍ବରୁ ଧରିଥିବା ଏକ ନକଲି ପିସ୍ତଲ ବାହାର କରି ମ୍ୟାନେଜର କୃଷ୍ଣଚନ୍ଦ୍ରଙ୍କୁ ଜୀବନରେ ମାରିଦେବାକୁ ହତ୍ୟା ଧମକ ଦେଇଥିଲା । ତେବେ ଦୋକାନ ପରିସରରେ ରହୁଥିବା କିଛି କର୍ମଚାରୀ ଆସିବା ପରେ ଦୁଇ ଅଭିଯୁକ୍ତ ବାଇକ ଯୋଗେ ସେଠାରୁ ଚମ୍ପଟ ମାରିଥିଲେ । ଏନେଇ ମ୍ୟାନେଜର କୃଷ୍ଣଚନ୍ଦ୍ର ଦିଗପହଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏତଲାକୁ ଭିତ୍ତି କରି ଦିଗପହଣ୍ଡି ପୋଲିସ ଏକ ମକଦ୍ଦମା ରୁଜୁ କରିବା ସହ ଅଭିଯୁକ୍ତ ଦ୍ବୟକୁ ଗତକାଲି ସେମାନଙ୍କୁ ଧରିବାରେ ସଫଳ ହୋଇପାରିଥିଲେ । ଏନେଇ ଦିଗପହଣ୍ଡି ଥାନା କେସ୍ ନଂ ୧୫୫/୨୧ ପ୍ରକାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )