ମାଲକାନଗିରି,୩୦/୧୧(ପିପିଟି):
କୁଡୁମୁଲୁଗୁମ୍ମା ସ୍ଥିତ ୧୫୧ ବିଏସଏଫ ବାଟାଲିୟନ ତରଫରୁ ଚିଲିପଦର ଗ୍ରାମ ଠାରେ ଜନ ସମ୍ପର୍କ ଅଭିଯାନ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଜିର ସ୍ବତନ୍ତ୍ର ଜନ ସମ୍ପର୍କ ଅଭିଯାନରେ ୧୫୧ ବିଏସଏଫ ବାଟାଲିୟନର କମାଣ୍ଡାଣ୍ଟ ରବିନ୍ଦ୍ର ଠକ୍କର, କମ୍ପାନୀ କମାଣ୍ଡର ନୀରଜ ଶର୍ମା, ଇନିପ୍ସେକ୍ଟର ଯଶବନ୍ତ ସାମଲ, କୁଡୁମୁଲୁଗୁମ୍ମା ସରପଞ୍ଚ ମଙ୍ଗଳା ମାଢୀ, ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗୀ, ସ୍ଥାନୀୟ ଶିକ୍ଷକ କାଳନ୍ଦୀ ଚରଣ ରାଉତ, ସମାଜସେବୀ ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଚିଲିପଦର ଓ ଏହାର ଆଖପାଖ ଅଞ୍ଚଳର ପାଖାପାଖି ୧୫୦ ରୁ ଉର୍ଦ୍ଧ୍ବ ସ୍ଥାନୀୟ ପୁରୁଷ, ମହିଳା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଏଥିରେ ପ୍ରାୟ ୭୧୦୦୦/- ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକାର ଚାଷୋପକରଣ ଯଥା- କୋଡ଼ି,ଦାଆ,ଖୁରପା ପ୍ରଭୃତି ୧୦୧ ଜଣ ଚାଷୀଙ୍କୁ ପ୍ରଦାନ କରାଯାଇଥିଲା ବେଳେ ଯୁବ ଖେଳାଳୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପ୍ରକାର କ୍ରୀଡ଼ା ସାମଗ୍ରୀ ଯଥା- ଭଲିବଲ, ଫୁଟବଲ,ରିଙ୍ଗବଲ, କ୍ରୀକେଟ୍ ଉପକରଣ ଓ ଟି-ସାର୍ଟ ପ୍ରଭୃତି ପ୍ରଦାନ କରାଯାଇଥିଲା । ଏହି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କ ଖେଳିବା ପାଇଁ ମଧ୍ୟ କ୍ରୀଡ଼ା ଉପକରଣ ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଏସଏଫ କମାଣ୍ଡାଣ୍ଟ ଠକ୍କର କହିଛନ୍ତି ଯେ ସେ ଏହି ଅଞ୍ଚଳର ସୁରକ୍ଷା ସହିତ ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକମାନଙ୍କ ଅଭିବୃଦ୍ଧି ପାଇଁ ବିଭିନ୍ନ ସାମାଜିକ ଜନକଲ୍ୟାଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ଯାହା ଫଳରେ ବିଏସଏଫ ବର୍ତ୍ତମାନ ଲୋକଙ୍କ ସେବା କାର୍ଯ୍ୟରେ ସଂପର୍କ ଯୋଡି ହେବାର ଏକ ନୂତନ ସମ୍ଭାବନା ସୃଷ୍ଟି କରିପାରିଛି ।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post