ବାସମ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ।

0 263

ବ୍ରହ୍ମପୁର ,୧୮/୦୭(ପିପିଟି); ବାସମ ଫାଉଣ୍ଡେସନ ଟ୍ରଷ୍ଟ ବ୍ରହ୍ମପୁର ଦ୍ୱାରା ସ୍ଥାନୀୟ ଏମକେସିଜି ମେଡିକାଲ ରକ୍ତଭଣ୍ଡାର ଠାରେ ରବିବାର ଦିନ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ୨୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଗଣମାଧ୍ୟମର ଏକ ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ ସଂସ୍ଥାର ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ କହିଥିଲେ ଯେ କରୋନା ମହାମାରୀ ଯୋଗୁଁ ଆଜି ଦେଶର ଅନେକ ରାଜ୍ୟର ରକ୍ତଭଣ୍ଡାର ଗୁଡିକରେ ରକ୍ତ ସଂଗ୍ରହର ମାତ୍ରା ପ୍ରାୟ ୫୦% କମିଯାଇଛି, ଏହା ଏକ ଚିନ୍ତାର ବିଷୟ ଅଟେ । ନିୟମିତ ରୂପେ ରକ୍ତର ଆବଶ୍ୟକ କରୁଥିବା ଥଲାସେମିଆ, ରକ୍ତ କର୍କଟ ପରି ରୋଗରେ ପୀଡିତ ରୋଗୀ ମାନଙ୍କୁ ସଠିକ ସମୟରେ ରକ୍ତ ଦିଆଯାଇପାରୁନାହିଁ । ଏଣୁ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଯୁବପିଢ଼ି ଆଗେଇ ଆସି ରକ୍ତଦାନ କରିବା ଉଚିତ । ସଂସ୍ଥାର ସଭାପତି ଆରତୀ କୁମାରୀ ଦେବୀ କହିଥିଲେ ଯେ ରକ୍ତଦାନ ଏକ ମହତ ପୁଣ୍ୟ କର୍ମ ଅଟେ । ରକ୍ତଦାନ କରିବା ଦ୍ୱାରା ଶରୀର ରେ ଥିବା ଅନେକ ରୋଗ ଭଲ ହୋଇଥାଏ ଏବଂ ଶରୀରର ବିପି, କଲେଷ୍ଟ୍ରୋଲ, ସୁଗାର ସହିତ ହୃଦଘାତ ପରି ମରଣାନ୍ତକ ରୋଗକୁ ମଧ୍ୟ ନିୟନ୍ତ୍ରଣ ରେ ରଖିଥାଏ । ଏତବ୍ୟତୀତ ରକ୍ତଦାନ କରିବା ଦ୍ୱାରା ଗୋଟିଏ ଜୀବନ ବଞ୍ଚିଥାଏ । ଏହି କାର୍ଯ୍ୟକ୍ରମ ରେ ରକ୍ତଭଣ୍ଡାରର ସମସ୍ତ କର୍ମୀ ସହଯୋଗ କରିଥିଲେ । ସଂସ୍ଥାର କମିଟି ସଦସ୍ୟ ସରୋଜ ସାହୁ, ଦେବାଶିଷ ମଲିକ, ଶିଳ୍ପା ବେହେରା, ମନୋଜ ସାହୁ, ଅମନ ପାଢ଼ୀ, ରବି ଆଚାରୀ, ଲିପସା ବେହେରା ଏବଂ ସୁଭାଶିଷ ମଲିକ ଆଦି ଉପସ୍ଥିତ ରହି ରକ୍ତଦାନ କରିବା ସହିତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସଂସ୍ଥାର ଉପଦେଷ୍ଟା ରମେଶ ଚନ୍ଦ୍ର ବେହେରା ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିଥିଲେ ।

Leave A Reply

Your email address will not be published.