ବୋଲଗଡ,୨୮/୦୯(ପିପିଟି); ଚିଲିକା ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ଟ୍ରକ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ସ୍ଥଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି l ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ରାତି ୩ ଘଟିକାରେ ଯୋଡ଼ାରୁ ଗୋପାଳପୁର ଯାଉଥିବା ଏକ ଆଇରନ ବୋଝେଇ ଟ୍ରକ(CG-04-MB-4077) ଟି ସୁବୁଦ୍ଧିପାଟଣା ଛକ ନିକଟରେ ବ୍ରେକ ଡ଼ାଉନ ହୋଇଯିବାରୁ ଟ୍ରକଟି କୁ ରାସ୍ତାରେ ଛିଡାକରି ଟ୍ରକ ଚାଳକ ଟ୍ରକ ତଳେ ପଶି ମରାମତି କରୁଥିଲେ l ଉକ୍ତ ସମୟରେ ଦ୍ରୁତଗତିରେ ଯୋଡ଼ାରୁ ଗୋପାଳପୁର ଯାଉଥିବା ଆଉ ଏକ କୋଇଲା ବୋଝେଇ ଟ୍ରକ(AP-05-TT-9720) ସେହି ସ୍ଥାନରେ ଆଇରନ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକା ଦେଇଥିଲା ଫଳରେ ଆଇରନ ବୋଝେଇ ଟ୍ରକଟି ଆଗକୁ ଗଡ଼ିଯାଇ ଟ୍ରକ ଚକା ତଳେ ଥିବା ଚାଳକ ଉପରେ ଚଢ଼ିଯାଇଥିଲା ଏବଂ ଘଟଣାସ୍ଥଳରେ ଟ୍ରକ ଚାଳକଙ୍କ ମୃତ୍ୟୁ ଘଟିଥିଲା । ମୃତ ଗାଡ଼ି ଚାଳକଙ୍କ ନାମ ଶ୍ରୀକାନ୍ତ ନାୟକ (45) ଏବଂ ତାଙ୍କ ଘର ନୂଆପଡା ବୋଲି ଜଣାପଡ଼ିଛି । ଅପରପକ୍ଷରେ ଧକା ଦେଇଥିବା କୋଇଲା ବୋଝେଇ ଟ୍ରକ ଚାଳକ ଗୁରୁତର ଭାବେ ଆହତ ହୋଇଥିବାସ୍ଥଳେ ତାଙ୍କୁ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ପଠାଯାଇଛି । ଘଟଣାସ୍ଥଳରେ ନାଭଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼, ଅନ୍ୟ ପୋଲିସ କର୍ମଚାରୀ ଏବଂ ଶାଳିଆ ପ୍ରେସ କ୍ଲବର ସମ୍ପାଦକ ମନୋରଞ୍ଜନ ବେହେରା ଉପସ୍ଥିତ ଥାଇ ଟ୍ରାଫିକ କ୍ଳିଅର କରିବା ସହ ପୋଲିସ ମୃତ ବ୍ୟକ୍ତିଙ୍କ ଶବ ଏବଂ ଗାଡ଼ି ଜବତ କରି ତଦନ୍ତ ଜାରି ରଖିଛି । ସୂଚନାଥାଉ କି ଗତ ଦୁଇ ଦିନ ତଳେ ଉକ୍ତ ସ୍ଥାନରେ ଆଉ ଏକ ସଡ଼କ ଦୁର୍ଘଟଣା ଘଟିଥିଲା । (ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ ।)