ବାଲିମେଳା ପାୱାର ହାଉସ୍ ର ୧ ନମ୍ବର ୟୁନିଟ୍ କାର୍ଯ୍ୟକ୍ଷମ ।

0 238

ମାଲକାନଗିରି,୧୨/୦୪(ପିପିଟି): ଆଉ ଦୁଇଟି ୟୁନିଟ୍ ର ଆଧୁନିକୀକରଣ ଖୁବ୍ ଶୀଘ୍ର ପୁନର୍ନିମାଣ ଓ ଆଧୁନିକୀକରଣ ପରେ ବାଲିମେଳା ପାୱାର ହାଉସ୍ ର ୧ ନମ୍ବର ୟୁନିଟ୍ ପରୀକ୍ଷାମୂଳକ ଭାବେ ସମନ୍ବିତ ହୋଇ କାର୍ଯ୍ୟ ଆରମ୍ଭ କରିଛି । ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେବା ପରେ ଅତିଶୀଘ୍ର ଏହି ଉତ୍ପାଦନ ୟୁନିଟକୁ ବାଣିଜ୍ୟିକ କାର୍ଯ୍ୟକଳାପ ନିମନ୍ତେ ସୁପ୍ରସ୍ତୁତ ବୋଲି ଘୋଷଣା କରାଯିବ ।ୟୁନିଟ୍ -୧ରେ ବର୍ତମାନ ଡିଜିଟାଲ୍ ନିୟନ୍ତ୍ରଣ ବ୍ୟବସ୍ଥା , ସାଂଖ୍ୟକ ନିରାପତା ଓ ସ୍କାଡ଼ା ବ୍ୟବସ୍ଥା ପରି ଅତ୍ୟାଧୁନିକ ବନ୍ଦୋବସ୍ତ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ଡିସେମ୍ବର ୨୯ ତାରିଖଠାରୁ ୟୁନିଟ୍ – ୨କୁ ପୁନରୁଦ୍ଧାର ଓ ଆଧୁନିକୀକରଣ ପରେ କାର୍ଯ୍ୟକ୍ଷମ କରାଯାଇଥିଲା । ମାଲକାନଗିରି ବାଲିମେଳାଠାରେ ପ୍ରତିଷ୍ଠିତ ୫୧୦ ମେଗାୱାଟ୍ କ୍ଷମତାବିଶିଷ୍ଟ ବାଲିମେଳା ପାୱାର ହାଉସ୍ ର ୧୯୭୩ ମସିହା ଅଗଷ୍ଟ ମାସରୁ ବିଦ୍ୟୁତ ଉତ୍ପାଦନ କରିଆସୁଛି । ପୁରୁଣାକାଳିଆ ଜ୍ଞାନକୌଶଳ , ବିଭିନ୍ନ ଯନ୍ତ୍ରାଂଶର ଅଭାବ ଓ ବିଭିନ୍ନ ଯନ୍ତ୍ରପାତି ଅଚଳ ହେବା କାରଣରୁ ଏହାର ୬ଟି ଯାକ ଉତ୍ପାଦନ ୟୁନିଟ୍ ର ପର୍ଯ୍ୟାୟ କ୍ରମେ ଆଧୁନିକୀକରଣ ପାଇଁ ଯୋଜନା କରାଯାଇଥିଲା । ସେହି ଅନୁସାରେ କେନ୍ଦ୍ର ସରକାରଙ୍କ ଉଦ୍ୟୋଗ ‘ ଭେଲ୍‌ ‘ ସହିତ ୨୦୧୬ ମସିହା ସେପ୍ଟମ୍ବର ୨୩ ତାରିଖ ଦିନ ଆଧୁନିକୀକରଣ ପାଇଁ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।ପ୍ରଥମ ପର୍ଯ୍ୟାୟରେ ଦୀର୍ଘ ୪୪ ବର୍ଷ ଧରି ନିରନ୍ତର ସେବା ଯୋଗାଉଥିବା ବାଲିମେଳା ପାୱାର ହାଉସର ୧ ଓ ୨ ନମ୍ବର ୟୁନିଟ୍ ଆଧୁନିକୀକରଣ ଓ ପୁନରୁଦ୍ଧାର କରାଯାଇପାରିଛି । ପାୱାର ୟୁନିଟ୍ ଦୁଇଟିର ଦକ୍ଷତା ଓ ବିଶ୍ବସନୀୟତା ବୃଦ୍ଧି କରିବା ନିମନ୍ତେ ବିଭିନ୍ନ ବିଦ୍ୟୁତ ଯନ୍ତ୍ରାଂଶ , ନିୟନ୍ତ୍ରଣ ବ୍ୟବସ୍ଥା ଓ ୱାଟର କଣ୍ଡକଫର ବ୍ୟବସ୍ଥାର ନବୀକରଣ କରାଯାଇଛି । ଓଡ଼ିଶା ଜଳବିଦ୍ୟୁତ ନିଗମର କର୍ତ୍ତୃପକ୍ଷ , ବିଭିନ୍ନ ଯନ୍ତ୍ରୀ , ଅଧିକାରୀ ତଥା କର୍ମଚାରୀମାନଙ୍କ ନିୟମିତ ଓ କ୍ରମାଗତ ଉଦ୍ୟମ ଫଳରେ ଏହା ସମ୍ଭବ ହୋଇଥିବାବେଳେ ଖୁବ୍ ଶୀଘ୍ର ୩ ଓ ୪ ନମ୍ବର ୟୁନିଟ୍ର ପୁନରୁର୍ଦ୍ଧାର ଓ ଆଧୁନିକୀକରଣ ଆରମ୍ଭ ହେବ ବୋଲି କୁହାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.