ମାଲକାନଗିରି,୦୧/୦୨(ପିପିଟି):ଗୋରାଖୁଣ୍ଟା ପଞ୍ଚାୟତର କୁରୁସୁବାଡ଼ା ଗ୍ରାମରେ ବାର୍ଦ୍ଧକ୍ୟ ଭତ୍ତାଭୋଗୀ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କୁରସୁବାଡା ଗ୍ରାମ ସମେତ ପନାରଗୁଡା, ମଟମଗୁଡା, ସିଙ୍ଗାଣିଗୁଡା ଗ୍ରାମର ପ୍ରାୟ ୫୦ରୁ ଅଧିକ ପେନସନ ଭୋଗୀ ଯୋଗ ଦେଇଥିଲେ । ଯେଉଁମାନେ କି କିଛି ମାସ ହେବ ପେନସନ ପାଉନଥିବା କହିଥିଲେ । ଏଭଳିକି ବ୍ୟାଙ୍କକୁ ଗଲେ ପେନସନ ଆସିନଥିବା ବ୍ୟାଙ୍କ କର୍ମଚାରୀ କହୁଥିବା ପ୍ରକାଶ କରିଥିଲେ । ବ୍ୟାଙ୍କ ମାନଙ୍କରେ ପାସ ବୁକ୍ ଅପଡେଟ କରୁନଥିବାରୁ ଭତ୍ତା ଆସୁଛି କି ନାହିଁ ଜାଣିପାରୁନଥିବା ଅଭିଯୋଗ କରିଥିଲେ । କେତେକ ରୋଗରେ ପୀଡିତ ଥିବା ଏବଂ ଚାଲିବାକୁ ଅକ୍ଷମ ଥିବାରୁ ମାଲକାନଗିରି ବ୍ୟାଙ୍କକୁ ଆସିବା ଅସମ୍ଭବ ଥିବାରୁ ଭତ୍ତା ପଇସା ଆସିବା ସମ୍ପର୍କରେ ସୂଚନା ସଂଗ୍ରହ କରିବା ସେମାନଙ୍କ ପାଇଁ ଅସମ୍ଭବ ବୋଲି କହିଥିଲେ । ଆଉ କେତେଜଣଙ୍କର ଆଧାର କାର୍ଡରେ ତୃଟି ଥିବା କିମ୍ବା ଆଧାର ଲିଙ୍କ ହୋଇନଥିବାରୁ ଭତ୍ତା ଆସୁନଥିବା କହିଥିଲେ । ଦୀର୍ଘ ମାସ ହେବ ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବାରୁ ଗରିବ ଆଦିବାସୀ ମହିଳାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା କାରଣରୁ ଏହାର ସମାଧାନ ପାଇଁ ଯଥାଶୀଘ୍ର ଜିଲ୍ଲାପାଳକୁ ସାକ୍ଷାତ କରିବାପାଇଁ ନିଷ୍ପତ୍ତି ନେଇଥିଲେ । ଏହି ବୈଠକରେ ସମାଜସେବୀ ତଥା ଆଇନଜୀବୀ ଦୁର୍ଗା ପ୍ରସାଦ ତ୍ରିପାଠୀଙ୍କ ସମେତ ଗୋରାଖୁଣ୍ଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ଏରା ପଡିଆମୀ, ପୂର୍ବତନ ସମିତି ସଭ୍ୟ ମୁକା ପଡିଆମୀ, ନାଏବ ସରପଞ୍ଚ କସା ମାଡକାମୀ, ଗାଙ୍ଗୀ ରାୱା, ରଶ୍ମିତା ପଡିଆମି, ନିବେଦିତା ସର୍ଦାର ପ୍ରମୁଖ ଯୋଗ ଦେଇଥିଲେ
(ରିପୋର୍ଟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Prev Post