ବାଣିଜ୍ଯରେ ଜିଲ୍ଲା ଟପ୍ପର,ଏବେ ଦିନ ମଜୁରିଆ ସାଜିଛି ବଣ୍ଡା ଝିଅ;ଉଚ୍ଚ ଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ ।

0 407

ମାଲକାନଗିରି ,୩୧/୦୫(ପିପିଟି):ରାଜ୍ୟ ସରକାର ଆଦିବାସୀଙ୍କ ଶିକ୍ଷା ପାଇଁ ବିଭିନ୍ନଯୋଜନା କରୁଥିବା ଡିଣ୍ଡିମ ପିଚୁଥିବା ବେଳେ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଭିନ୍ନ । ମାଲକାନଗିରି ଜିଲ୍ଲାରେ ବିଗତ ଦିନରେ ବାଣିଜ୍ଯରେ ଟପ୍ପର ହୋଇଥିବା ବଣ୍ଡା ଝିଅ କରମା ମୁଦୁଲି ପଢା ଖର୍ଚ୍ଚ ଉଠାଇବା ପାଇଁ ଏବେ ଦିନ ମଜୁରିଆ ଭାବେ କାଳକାଟୁଥିବା ଓଡିଶା ସରକାରଙ୍କ ପାଇଁ ଲଜ୍ଜାଜନକ ଘଟଣା ଆଉ କ’ଣ ହୋଇ ପାରେ ? ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ, ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଖଇରପୁଟ ବ୍ଲକର ବଣ୍ଡା ଘାଟି ମୁଦୁଲିପଡା ଅଞ୍ଚଳର ଆଦିମ ଜନଜାତି ବଣ୍ଡା ଝିଅ କରମା ମୁଦୁଲି ଆଜି ଉଚ୍ଚ ଶିକ୍ଷା କରିବା ପାଇଁ ପାଲଟିଛି ଦିନ ମଜୁରିଆ । ଦିନେ +୨ ବାଣିଜ୍ଯରେ ୭୬.୨୨ ପ୍ରତିଶତ ମାର୍କ ରଖି ମାଲକାନଗିରି ଜିଲ୍ଲା ଟପ୍ପର ହେବା ପରେ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ଓ ମହାମହିମ ରାଜ୍ୟପାଳଙ୍କ ଠାରୁ କରମା ସମ୍ମାନ ପାଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଏହା ସହ ଉଚ୍ଚ ଶିକ୍ଷାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସବୁ ପ୍ରତିଶ୍ରୁତି ମିଥ୍ଯା ବୋଲି ଆଜି ପ୍ରମାଣିତ ହୋଇ ଯାଇଛି । ତାଙ୍କ ପରିବାର ଅତ୍ଯନ୍ତ ଗରିବ ହେତୁ କରମାର ପଢା ଖର୍ଚ୍ଚ ତାଙ୍କ ବାପା ମା ତୁଲାଇବା କଷ୍ଟ ସାଧ୍ଯ । ଏଣୁ କରମା ନିଜ ଗ୍ରାମକୁ ଗ୍ରୀଷ୍ମ ଅବକାଶରେ ଆସିଥିବା ବେଳେ ଉଚ୍ଚ ଶିକ୍ଷା ପାଇଁ ଦୈନିକ ମଜୁରି ଲାଗ ଅର୍ଥ ସଞ୍ଚୟ କରୁଥିବା ଜଣା ପଡିଛି । ବର୍ତ୍ତମାନ କରମା ମୁଦୁଲୀ ଭୁବନେଶ୍ୱର ସ୍ଥିତ ରମା ଦେବୀ ମହିଳା ବିଶ୍ଵ ବିଦ୍ୟାଳୟରେ +୩ ବାଣିଜ୍ୟ ଛାତ୍ରୀ ଭାବେ ଅଧ୍ୟୟନ ରତ । ପାଠ ପଢିବା ପାଇଁ ବର୍ଷକୁ ହଷ୍ଟେଲେ ବାବଦକୁ ୧୨୦୦୦/- ଟଙ୍କା, ବହି ଖାତା ,ପୋଷାକ ପତ୍ର ବାବଦକୁ ୫୦୦୦/- ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ତେଣୁ ଏହି ଖର୍ଚ୍ଚକୁ ଭରଣା ପାଇଁ ପ୍ରତି ବର୍ଷ ଗ୍ରୀଷ୍ମ ଅବକାଶରେ ଆସି ଗାଁ ରେ କୁଲି ମୂଲିଆ କରିବାକୁ ପରିସ୍ଥିତି ବାଧ୍ୟ କରିଥାଏ । ଉଚ୍ଚ ଶିକ୍ଷା ପ୍ରାପ୍ତ ଲାଗି କରମାର ସଂଘର୍ଷ । ବେଶୀ ପାଠ ପଢି ଜିଲ୍ଲାପାଳ ହେବାକୁ ବଣ୍ଡା ଜନଜାତି ଝିଅ କରମାର ସ୍ବପ୍ନ ।ତେବେ ଗରିବ ନିସ୍ପେଷିତ ଘରେ ଜନ୍ମ ହୋଇଥିବା ପିଲାମାନେ ମନରେ ବହୁତ ଆଶା ଓ ସ୍ବପ୍ନ ଦେଖନ୍ତି,ମାତ୍ର ଦରିଦ୍ର ଆଗରେ ଏହି ସୁନେଲୀ ସ୍ବପ୍ନକୁ ଭାଗ୍ଯ ସାଥ ଦେବ ନା ସେହି ଅନ୍ଧକାରରେ ମଉଳିଯିବ ଆଗାମୀ ଭବିଷ୍ଯତ କହିବ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାମଗିରି)

Leave A Reply

Your email address will not be published.