ମାଲକାନଗିରି।,୧୦/୦୭(ପିପିଟି): ମାଲକାନଗିରି ଥାନା ଅନ୍ତର୍ଗତ ଚମ୍ପାଖାରୀ ନିକଟରେ ଗତ ରାତିରେ ୨ଟି ବାଇକ ମୁହାଁମୁହିଁ ଧକ୍କାରେ ଜଣେ ଡିଭିଏଫ୍ ଯବାନଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ଯବାନ ଜଣଙ୍କ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ପଦ୍ରାପାଲ୍ଲୀ ଗ୍ରାମର ବିଶ୍ବନାଥ ମାଡକାମୀ ବୋଲି ଜଣାପଡିଛି।
ଗତ ରବିବାର ରାତି ୧୦ଟା ବେଳେ ଡିଭିଏଫ୍ ଯବାନ ବିଶ୍ବନାଥ ମାଡକାମୀ ମଟର ସାଇକେଲରେ ଏକକୀ ଡିଉଟି କରିବା ପାଇଁ ପଦ୍ରାପାଲ୍ଲୀ ନିଜ ଘରୁ ମାଲକାନଗିରିକୁ ଆସୁଥିଲେ। ଅନ୍ୟପଟୁ ଗୋଟିଏ ବାଇକରେ ମାଥିଲି ବ୍ଲକ ଅନ୍ତର୍ଗତ କାଳିପୂଜାରୀଗୁଡା ଗ୍ରାମର ବଳରାମ ପୂଜାରୀ, ମାଲକାନଗିରି ବ୍ଲକର ଗୁନିଆଗୁଡା ଗ୍ରାମର ସୁନ୍ଦର କୋପେ ଓ ବନ୍ଧୁଗୁଡା ଗ୍ରାମର ବଳ ପୂଜାରୀ ସୁକୁମାରୁ କାମ ସାରି ୩ଜଣ ନିଜର ଘରକୁ ଫେରୁଥିଲେ। ସେହି ସମୟରେ ଚମ୍ପାଖାରୀ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୪ଜଣ ରକ୍ତାକ୍ତ ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ବିଶ୍ବନାଥଙ୍କୁ ମୃତ ଘୋଷଣା କରିଥିବା ବେଳେ ବଳରାମ ପୂଜାରୀ ଓ ବଳ ପୂଜାରୀକୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ସୁନ୍ଦର କୋପେ ମାଲକାନଗିରି ଠାରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ମାଲକାନଗିରି ଏସଡିପିଓ ସଚିନ୍ ପଟେଲ ଓ ଥାନା ଅଧିକାରୀ ରିଗାନ କିଣ୍ଡୋ ଓ ପୋଲିସ କର୍ମଚାରୀ ପହଞ୍ଚିଛନ୍ତି ଶବକୁ ଜବତ କରିଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ମାଲକାନଗିରି)