ପୋଲସରା,୦୩/୦୭(ପିପିଟି): ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ପାଣ୍ଡିରିପଡ଼ା ପଞ୍ଚାୟତରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ଯୁବକ ଆହତ ହୋଇଛନ୍ତି । ମୃତକ ଜଣକ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଦେଓଗାଁ ଗ୍ରାମର ବାପୁଜୀ ପୋଲେଇ ଓ ଆହତ ଜଣକ ସେହି ଗ୍ରାମର ନାରାୟଣ ପ୍ରଧାନ । ଘଟଣାରୁ ପ୍ରକାଶ ଯେ, ଉଭୟ ସିଂହାସନୀ ପୀଠରୁ ଭୋଜି ଖାଇ ଫେରୁଥିବା ବେଳେ ବଡ଼ତଇଲା ଗ୍ରାମ ନିକଟରେ ନିୟନ୍ତ୍ରଣ ହରାଇ ବାଇକଟି ଗୋଟିଏ ଗଛକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଉଭୟେ ଗୁରୁତର ଭାବେ ଆହତ ହୋଇଥିଲେ । ଆହତ ମାନଙ୍କୁ ପ୍ରଥମେ ପାଣ୍ଡିରିପଡ଼ା ଉପ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡ୍ୟୁଟିରେ ଥିବା ଡ଼ାକ୍ତର ବାପୁଜୀ ପୋଲେଇକୁ ମୃତ ଘୋଷଣା କରିଥିଲେ । ପୋଲସରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)