ବର୍ଷା କ୍ଷତିଗ୍ରସ୍ତ ଫସଲର କ୍ଷତିପୂରଣ ଦାବିରେ ଧରାକୋଟରେ ଚାଷୀ ଓ ଭାଗଚାଷୀମାନଙ୍କ ବିକ୍ଷୋଭ ।

0 313

ଧରାକୋଟ,୧୦/୧୨(ପିପିଟି): ଗଞ୍ଜାମ ଜ଼ିଲ୍ଲା ଧରାକୋଟ ତହସିଲ କାର୍ଯ୍ୟଳୟ ସମୁଖରେ ଅଖିଳ ଭାରତ କିଶାନ୍ ମଜଦୂର ସଭା ତରଫରୁ ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପଦର୍ଶନ କରାଯାଇଥିଲା । ବାତ୍ୟା ଜୱାଦ ଜନିତ ଲଗାଣ ବର୍ଷା ଫଳରେ ବ୍ଳକରେ ହୋଇଥିବା ବ୍ୟାପକ ଫସଲ କ୍ଷୟକ୍ଷତିର ତୁରନ୍ତ ଆକଳନ କରି କ୍ଷତିପୂରଣ ଦେବାକୁ ଦାବି କରି ଧରାକୋଟ ବ୍ଳକର ବିଭିନ୍ନ ଗ୍ରାମରୁ ଆସିଥିବା ଶହ ଶହ ଚାଷି, ନିଜର ନଷ୍ଟ ହୋଇଥିଵା ଧାନକେଣ୍ଡାକୁ ଧରି ବିକ୍ଷୋଭରେ ସାମିଲ ହୋଇଥିଲେ । ଆରମ୍ଭରେ ମେଡିକାଲ ଠାରୁ ଚାଷୀମାନଙ୍କ ଏକ ବିଶ୍ୱାଳ ଶୋଭାଯାତ୍ରା ବାହାରି ତହସିଲ କାଯ୍ୟଳୟକୁ ଯିବା ସହ ସେଠାରେ ବିକ୍ଷୋଭ ଓ ସଭା ଆୟୋଜିତ ହୋଇଥିଲା । ବକ୍ତାମାନେ ଦିଲ୍ଲୀର ଐତିହାସିକ ଚାଷୀ ଆନ୍ଦୋଳନର ବିଜୟ କଥା ଉଲ୍ଲେଖ କରି ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ନୀତିର ନିନ୍ଦା କରିଥିଲେ । ସରକାର ତୁରନ୍ତ ଫସଲ କ୍ଷତିର ଆକଳନ କରି ଧାନ ଫସଲ ପାଇଁ ଏକର ପିଛା ୨୦ ହଜାର ଓ ଅନ୍ୟାନ୍ୟ ଫସଲ ପାଇଁ ଏକର ପିଛା ୨୫ ହଜାର ଟଙ୍କା ହିସାବରେ କ୍ଷତିପୂରଣ ପ୍ୟାକେଜ୍ ଘୋଷଣା କରିବା, ଭାଗଚାଷୀଙ୍କୁ ଚିହ୍ନଟ କରି ସିଧାସଳଖ ସେମାନଙ୍କୁ କ୍ଷତି ପୂରଣ ପ୍ରଦାନ କରିବା, କୃଷକମାନଙ୍କ କୃଷି ଋଣ ଛାଡ କରିବା, ଆଗାମୀ ଫସଲ ପାଇଁ ମାଗଣାରେ ବିହନ ଓ ବିନା ସୁଧରେ କୃଷି ଋଣ ପ୍ରଦାନ କରିବା, ଧାନ ସଂଗ୍ରହ ବେଳେ ଏଫଏକ୍ୟୁ ମାନକୁ କୋହଳ କରିବା,ଆଦିବାସୀମାନେ ପଟ୍ଟା ପାଇଥିବା ଜଙ୍ଗଲ ଜମିର ଫସଲ କ୍ଷତି ପାଇଁ ରାଜସ୍ବ ଜମି ପରି କ୍ଷତି ପୂରଣ ପ୍ରଦାନ କରିବା ଆଦି ଦାବି ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ତହସିଲଦାରଙ୍କୁ ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଏଆଇକେମଏସର ରାଜ୍ୟ ସମ୍ପାଦକ ପ୍ରତାପ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଅଖିଳ ଭାରତ କିଶାନ ମଜଦୁର ସଭାର ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଢଙ୍ଗୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜ଼ିଲ୍ଲା ଉପସଭାପତି ପୀତବାସ ପ୍ରଧାନ ଜ଼ିଲ୍ଲା ସମ୍ପାଦକ ସଂଗ୍ରାମ ନାୟକ ଓ ବ୍ଲକ କମିଟି ସଦସ୍ୟ ଦୟାନିଧି ସେଠୀ, ଆଦିବାସୀ ନେତା ନରସିଂହ ଦଳବେହେରା, ସୁଜନ ମଣ୍ଡଳ, ଯୁବ ନେତା ଲକ୍ଷ୍ମୀ ନୃସିଂହ ରଥ ପ୍ରମୁଖ ନିଜର ବକ୍ତବ୍ୟ ରଖି ପ୍ରଶାସନ ଯଦି ଯଥାଶୀଘ୍ର ଭାଗଚଷୀଙ୍କ ସମେତ ସବୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଯଦି ଫସଲ କ୍ଷତି ପାଇଁ କ୍ଷତିପୂରଣ ନଦିଅନ୍ତି ତାହାହେଲେ ଆଗାମୀ ଦିନରେ ସମଗ୍ର ଗଞ୍ଜାମ ଜ଼ିଲ୍ଲାରେ ଚାଷୀ ମାନେ ଆନ୍ଦୋଳନ ପାଇଁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ୍ୟ ହେବେ ଚେତାବନୀ ଦେଇଥିଲେ ।

Leave A Reply

Your email address will not be published.