ବର୍ଷାର ଲୁଚକାଳି ଖେଳ ସାଙ୍ଗକୁ ଧାନ ତଳିକୁ ଦାଉ ସାଧୁଛି ରୋଗ ; ଚିନ୍ତାରେ ଚାଷୀ କୁଳ; ସହକାରୀ କୃଷି ଅଧିକାରୀଙ୍କ ଦେଖା ନାହିଁଁ ।

0 112

ବେଲଗୁଣ୍ଠା,୧୯/୦୭(ପିପିଟି); ପ୍ରଥମେ ବର୍ଷାର ଲୁଚକାଳି ଖେଳ, ତା’ପରେ ଧାନ ତଳିରେ ମହିଷା ଏବଂ ପତ୍ରପୋଡ଼ା ରୋଗ ଚାଷୀଙ୍କ ମୁହଁରୁ ହସ ଛଡ଼ାଇ ନେଇଛି । ବିଶେଷ କରି ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ପଞ୍ଚାୟତର ଚାଷୀଙ୍କ ପାଇଁ ଚଳିତ ବର୍ଷ ଏହିଭଳି ଦୁର୍ଦ୍ଦିନ ଆସି ଛିଡ଼ା ହୋଇଛି । ସୂଚନା ଅନୁସାରେ ଏହି ବ୍ଳକ୍ ର ଆମ୍ବପୁଆ, ବଙ୍କା, ନୁଆଁ ଗାଁ, ତନରଡା, ନେଟଙ୍ଗା ,ଗାଙ୍ଗପୁର, ପାଇଲିପଡ଼ା, ଗୋବରା, ବଡ଼ବୋରସିଂ ଭଳି ବହୁ ପଞ୍ଚାୟତରେ ଲୋକେ ଅକ୍ଷୟତୃତୀୟା ପରେ ଧାନ ତଳି ବୁଣିଥିଲେ । କିନ୍ତୁ ବର୍ଷା ଅଭାବ ଯୋଗୁଁ ଗଜା ମରୁଡ଼ି ଦେଖାଯାଇଥିଲା । ତେଣୁ କିଛି ଚାଷୀ ଟ୍ୟାଙ୍କର୍ ସହାୟତାରେ ଜଳ ସେଚନ କରି କିଛି ତଳି ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଏହାପରେ ପୁଣି ସେହି ଧାନ ତଳି ଗୁଡ଼ିକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଶୁଖିବାକୁ ବସିଲାଣି । ବିଶେଷ କରି ପୂଜା, ମସୁରୀ ଏବଂ ଶାରଳା ଧାନରେ ମହିଷା ଏବଂ ପତ୍ରପୋଡା ଭଳି ରୋଗ ଦେଖାଦେଇଛି । ବର୍ତ୍ତମାନ ତଳି ରୋଇବା ସମୟ ହୋଇଥିବା ବେଳେ ରୋଗାକ୍ରାନ୍ତ ତଳି ଗୁଡ଼ିକ କିନ୍ତୁ ରୋଇବା ଅବସ୍ଥାରେ ନାହିଁଁ । ଏନେଇ ଚାଷୀମାନେ ବହୁ ସମୟରେ ବେଲଗୁଣ୍ଠା ସହକାରୀ କୃଷି ଅଧିକାରୀଙ୍କୁ ଭେଟିବାକୁ ଯାଇଥିଲେ ମଧ୍ୟ ତାଙ୍କର ଦେଖା ମିଳୁନଥିବା ଅଭିଯୋଗ କରିଛନ୍ତି । ଅନ୍ୟଦିଗରେ କିଛି ଗଣମାଧ୍ୟମ ପ୍ରତିନିଧି ସମ୍ପୃକ୍ତ ପଞ୍ଚାୟତର ଗ୍ରାମ ସେବକ ମାନଙ୍କୁ ଯୋଗାଯୋଗ କରିବାରେ ସେମାନେ କୃଷି କ୍ଷେତ୍ର ଗୁଡ଼ିକ ନିୟମିତ ପରିଦର୍ଶନ କରିବା ସହିତ ତଳି ଗୁଡିକରେ ଟ୍ରାଇସାଇକ୍ଲାଜୋଲ୍ ଗୁଣ୍ଡ, ଆଇସୋପ୍ରୋଥିଓଲେନ୍ ,କପର୍ ଅକ୍ସିକ୍ଲୋରାଇଡ୍ ,ଷ୍ଟ୍ରେପ୍ଟୋସାଇକ୍ଲିନ୍ ଭଳି ଔଷଧ ଗୁଡ଼ିକ ଆବଶ୍ୟକ ପରିମାଣରେ ସିଞ୍ଚନ କରିବାକୁ ପରାମର୍ଶ ଦେଇଥିବା ପ୍ରକାଶ କରିଛନ୍ତି । କିନ୍ତୁ ବର୍ତ୍ତମାନ ବହୁ ତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ କୃଷକ ମାନଙ୍କୁ ପ୍ରଶାସନ ତରଫରୁ ସ୍ଵତନ୍ତ୍ର ସହାୟତା କିମ୍ବା ଚୁବୁକି ତଳି ପକାଇବା ପାଇଁ ଉନ୍ନତ ଧରଣର ବିହନ ଯୋଗାଇଦେବାକୁ ବହୁ ଚାଷୀ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ କୃଷକ ମାନେ ବେଲଗୁଣ୍ଠା ସହକାରୀ କୃଷି ଅଧିକାରୀ ବାସୁଦେବ ସାହୁଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସହକାରୀ କୃଷି ଅଧିକାରୀ ଶ୍ରୀ ସାହୁ ନିୟମିତ କାର୍ଯ୍ୟାଳୟକୁ ଆସୁନଥିବା ସହ କୌଣସି କାର୍ଯ୍ୟରେ କୃଷକ ମାନଙ୍କୁ ସହଯୋଗ କରୁନଥିବା ଅଭିଯୋଗ ହୋଇଛି । କାର୍ଯ୍ୟାଳୟର ଜନୈକ କର୍ମଚାରୀଙ୍କ କହିବା ପ୍ରକାରେ ଶ୍ରୀ ସାହୁ ସପ୍ତାହରେ କେବଳ ଶୁକ୍ରବାର ଦିନ କାର୍ଯ୍ୟାଳୟକୁ ଆସୁଥିବା ବେଳେ ସେଦିନ ମଧ୍ୟ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହ ବୈଠକର ବାହାନା କରି ଚମ୍ପଟ ମାରୁଛନ୍ତି । ଏପିରିକି ଅଧିକାରୀ ମହୋଦୟଙ୍କ ଖାମଖିଆଲ ନୀତି ଯୋଗୁଁ ବ୍ଳକ୍ ରେ ବହୁ ଅଣଚାଷୀ କାଳିଆ ଯୋଜନା ପଇସା ହାତେଇଥିବା ବେଳେ ବହୁ ଚାଷୀ କିନ୍ତୁ ଏଥିରୁ ବଞ୍ଚିତ ହୋଇଛନ୍ତି । ତେଣୁ ପ୍ରଶାସନ ତରଫରୁ ସହକାରୀ କୃଷି ଅଧିକାରୀଙ୍କ କାର୍ଯ୍ୟ କଳାପ ର ତଦନ୍ତ କରି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରିବା ସହ କୃଷକ ମାନଙ୍କୁ ସହାୟତା ଯୋଗାଇଦେବାକୁ ବହୁ ଚାଷୀ ଦାବି କରିଛନ୍ତି । ଅନ୍ୟଥା ଆଗାମୀ ଦିନରେ କୃଷକ ମାନେ ଏକ ବଡ଼ ଧରଣର ଆନ୍ଦୋଳନ କରିବେ ବୋଲି କୃଷକ ନେତା କାଳିଆ ରାଉତ, ସୁରେନ୍ଦ୍ର ଭୂୟାଁ, ଉଦୟନାଥ ସ୍ୱାଇଁ, ତ୍ରିଲୋଚନ ଲେଙ୍କା, ଲିଙ୍ଗରାଜ ସେଠୀ ଓ ବାଳକୃଷ ସେଠି ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.