ମାଲକାନଗିରି,୦୮/୦୮(ପିପିଟି):ମାଓ ଗଡ ବୋଲାଉଥିବା ଅଞ୍ଚଳରେ ହ୍ରାସ ପାଉଛି ମାଓଙ୍କ ଶକ୍ତି ପ୍ରଦର୍ଶନ। ଅନେକ ମାଓ ଉପଦ୍ରବ ଅଞ୍ଚଳ ବର୍ତ୍ତମାନ ମାଓ ମୁକ୍ତ ହେବା ସହ ବିକାଶ ଧାରାରେ ଯୋଡ଼ି ହେଉଥିବକେ ଲାଗିଛି । ଧୀରେ ଧୀରେ ସାଧାରଣ ଜନତା ମଧ୍ୟ ମାଓ ସଂଗଠନ ଠାରୁ ମୁହଁ ଫେରାଇ ନେଉଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ମାଓ ସଂଗଠନ ନିଜର ସ୍ଥିତି ଜାହିର କରିବା ସହ ପୂର୍ବ ସ୍ଥିତିକୁ ଫେରିବା ପାଇଁ ପ୍ରାଣପଣେ ପ୍ରଚେଷ୍ଟା କରୁଥିଲେ ମଧ୍ଯ ଧୀରେ ଧୀରେ ଗଡ଼ ଭାଙ୍ଗିବା ସହ ସେମାନଙ୍କ ସ୍ଥିତି ଦୁର୍ବଳ ହେଉଥିବା ପୁଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ମାଓବାଦୀଙ୍କ ସ୍ଥିତି ଏଭଳି ଶୋଚନୀୟ ହୋଇପଡିଛି ଯେ ବିଗତ ଏକ ବର୍ଷରେ ମାଓଗଡ଼କୁ ଶକ୍ତ ଝଟକା ଲାଗିଥିବା ନେଇ ମାଓ ସଂଗଠନ ପକ୍ଷରୁ ପ୍ରେସ୍ ବିବୃତ୍ତି ଜାରିକରାଯାଇଛି । ମାଓବାଦୀଙ୍କ ପକ୍ଷରୁ ଜାରି ହୋଇଥିବା ପ୍ରେସ୍ ବିବୃତ୍ତି ଅନୁଯାୟୀ , ବିଗତ ଏକ ବର୍ଷରେ ମାଓବାଦୀଙ୍କ କେନ୍ଦ୍ରୀୟ କମିଟିର ଅନେକ ସଦସ୍ୟ ଓ ମାଓବାଦୀଙ୍କ ପିପୁଲ ଲିବରେସନ୍ ସଦସ୍ୟଙ୍କ ସମେତ ମୋଟ ୧୨୪ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଅନେକ ମାଓବାଦୀ ସଂଗଠନ ଛାଡ଼ି ଆତ୍ମସମର୍ପଣ କରିଥିବା ବେଳେ ବିଗତ ଦିନରେ ମାଓ ସଂଗଠନର ଏଭଳି କ୍ଷତି ହୋଇ ନଥିବା ଉଲ୍ଲେଖ ରହିଛି । ଏକ ସପ୍ତାହ ପୂର୍ବେ ମାଓବାଦୀ ମାନେ ୫୦ତମ ଶହୀଦ ସପ୍ତାହ ପାଳନ କରୁଥିବା ବେଳେ ସେମାନଙ୍କ କେନ୍ଦ୍ରୀୟ କମିଟି ଏହି ସ୍ବଷ୍ଟୀକରଣ ଦେବା ସହ ୨୦ ପୃଷ୍ଠା ସମ୍ବଳିତ ଏକ ପ୍ରେସ୍ ବିଜ୍ଞନ୍ତି ପ୍ରକାଶ କରିଛନ୍ତି । ଚଳିତ ବର୍ଷର ଏହି ଶହୀଦ ସପ୍ତାହ ପାଳନ ବେଳେ ମାଓବାଦୀମାନେ ଛତିଶଗଡ଼ର ସୁକୁମା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଶାଳ ଶୋଭାଯାତ୍ରା କରି ଏକ ବିରାଟ ଆକାରର ଶହୀଦ ସ୍ତମ୍ଭ ନିର୍ମାଣ କରିଥିବା ବେଳେ ଏହାପରେ ଏହି ପ୍ରେସ୍ ବିବୃତ୍ତି ଜାରିକରାଯାଇଛି । ମାଓବାଦୀଙ୍କ କେନ୍ଦ୍ରୀୟ କମିଟି ଏହି ବିବୃତ୍ତିରେ ସ୍ଵୀକାର କରିଛି ଯେ , ଏହା ପୂର୍ବରୁ କେନ୍ଦ୍ରୀୟ କମିଟି ମାଓ ସଦସ୍ୟଙ୍କ ମୃତ୍ୟୁ ଏତେ ଅଧିକ ନଥିଲା । ଗୋଟିଏ ବର୍ଷ ମଧ୍ୟରେ ଏହା ବହୁ ବଡ଼ କ୍ଷତି ହୋଇଛି । ପୁଲିସ ଗୁଳିରେ ମୋଟ ୭୦ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୨୭ ଜଣ ମାଓବାଦୀ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଏହାସହ ବିଭିନ୍ନ ଜେଲରେ ଥିବା ୩ ମାଓବାଦୀ ମୃତ୍ୟୁ ବରଣ କରିଥିବା ବେଳେ ଦୁର୍ଘଟଣାରେ ୪ ଜଣ ଓ ୨୦ ଜଣ ମାଓବାଦୀ ଏନ୍କାଉଣ୍ଟରରେ ମୃତ୍ୟୁବରଣ କରିଥିବା ମାଓ ସଂଗଠନ ପକ୍ଷରୁ ଜାରି ହୋଇଥିବା ବିବରଣୀରେ ଉଲ୍ଲେଖ ରହିଥିବା ଦେଖିବାକୁ ମିଳିଛି । ମୃତ ମାଓବାଦୀଙ୍କ ମଧ୍ୟରେ ପିପୁଲ ଲିବରେସନ୍ ଗରିଲା ସେନାର ୨୧ ଜଣ କୁଖ୍ୟାତ ମାଓନେତା , ୯ ଜଣ ଡିଭିସି କମାଣ୍ଡର,କେନ୍ଦ୍ରୀୟ ଆଞ୍ଚଳିକ କମିଟିର ୪ ଜଣ ମାଓନେତା ଓ ୩୨ ଜଣ ଏରିଆ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଏହି ପ୍ରେସ୍ ବିବୃତିରେ ଉଲ୍ଲେଖ ରହିଛି । ବିଶେଷ କରି ଓଡ଼ିଶା , ଆନ୍ଧ୍ର ,ବିହାର,ଝାଡ଼ଖଣ୍ଡ ସୀମାରେ ବିଗତ ଏକବର୍ଷରେ ମାଓବାଦୀଙ୍କୁ ଶକ୍ତ ଝଟକା ଲାଗିଥିବା ସହ ଏହି ଅଞ୍ଚଳରେ ପୁଲିସ ସହ ଗୁଳି ବିନିମୟରେ ମୋଟ ୨୭ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ମାଓ ସଙ୍ଗଠନ ପ୍ରକାଶ କରିଛି । ତେବେ କେବଳ ଏତିକି ନୁହେଁ ମାଓ ସଂଗଠନରେ ପୁରୁଣା ନେତା ନଥିବାରୁ ସଙ୍ଗଠନ ଏକ ପ୍ରକାର ଦୁର୍ବଳ ହୋଇଥିବା ବେଳେ ନିଜକୁ ପୁଣି ପୂର୍ବସ୍ଥିତିକୁ ଫେରେଇ ନେବାକୁ ସଂଗଠନ ପକ୍ଷରୁ ପ୍ରୟାସ ଜାରି ରହିଛି । ମାଲକାନଗିରି ଭଳି ମାଓ ଉପଦ୍ରବ ଅଞ୍ଚଳରେ ଏହାର ପ୍ରଭାବ ବିଶେଷ ରୂପେ ପଡ଼ୁଥିବାରୁ ଜିଲ୍ଲାର ଅନେକ ଅଞ୍ଚଳ ମାଓ ମୁକ୍ତ ହେବା ସହ ମାଓ ଗଡ ପ୍ରାୟ ଧ୍ଵଂସ ହୋଇଥିବା ବେଳେ ଚଳିତ ବର୍ଷ ମାଓ ସଂଗଠନ ପକ୍ଷରୁ ପାଳନ ହେଉଥିବା ଶହୀଦ ସପ୍ତାହରେ ମଧ୍ୟ ମାଓବାଦୀମାନେ ଜିଲ୍ଲାରେ କୌଣସି ବି ଅଘଟଣ ଘଟାଇ ନଥିଲେ । କୌଣସି ସ୍ଥାନରେ ଗୋଟିଏ ବ୍ୟାନର କିମ୍ବା ପୋଷ୍ଟର ମଧ୍ୟ ଲଗାଇବାରେ ସମର୍ଥ ହୋଇ ନଥିବା ଘଟଣା ମାଓ ସଂଗଠନ ଦୁର୍ବଳ ହେବାର ଜଣାପଡିଛି । ଓଡିଶା ପୁଲିସ ଓ ବିଏସ୍ଏଫ୍ ପକ୍ଷରୁ ଜିଲ୍ଲାରେ ମାଓ ସଂଗଠନକୁ ହଟାଇବା ପାଇଁ ନିଆଯାଉଥିବା ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଖୁବଶୀଘ୍ର ମାଲକାନଗିରି ଜିଲ୍ଲା ସମ୍ପୂର୍ଣ୍ଣ ମାଓ ମୁକ୍ତ ହେବ ବୋଲି ଆଶା କରାଯାଉଛି । ତେବେ ମାଓ ସଙ୍ଗଠନ ନିଜେ ନିଜର ଦୁର୍ବଳତାକୁ ସମସ୍ତଙ୍କ ସାମ୍ନାକୁ ଆଣିବା ପରେ ବର୍ତ୍ତମାନ ମାଓ ସଂଗଠନକୁ ସମୂଳେ ନିପାତ କରିବା ପାଇଁ ସମସ୍ତ ଅଞ୍ଚଳରେ ବ୍ୟାପକ ପଦକ୍ଷେପ ନିଆଯାଉଥିବା ଦେଖୁବାକୁ ମିଳିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)
Next Post