ଫୁଲବାଣୀ,୦୩/୧୧(ପିପିଟି); କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଆଡାସୀପଡା ପଞ୍ଚାୟତର ପ୍ରଧାନପଡା ଗାଁର ୯୨ ବର୍ଷୀୟ ବୃଦ୍ଧା ମୁକ୍ତା ସାହୁ ସୁରକ୍ଷା ଓ ନ୍ୟାୟ ପାଇଁ ଖଜୁରିପଡା ଥାନାର ଦ୍ୱାରସ୍ଥ ହୋଇ ତିନି ମାସ ମଧ୍ୟରେ କେବଳ ପ୍ରତିଶୃତି ଓ ପ୍ରତାରଣା ପାଇ ଫୁଲବାଣୀ ଏସ.ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନ୍ୟାୟ ପାଇଁ ଦୀର୍ଘ ସମୟ ପଡି ରହିବା ପରେ କିଛି ଗଣ ମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ବୃଦ୍ଧାଙ୍କ ନାତୁଣୀକୁ ଏସ.ପିଙ୍କୁ ସାକ୍ଷାତ ପାଇଁ ସୁଯୋଗ ମିଳିବା ଜିଲ୍ଲାର ବରିଷ୍ଠ ନାଗରିକଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ଛିଡ଼ା କରିଛି । ଏହି ୯୨ ବର୍ଷୀୟ ବୃଦ୍ଧା ମୁକ୍ତା ସାହୁଙ୍କର ରୋଜଗାର କ୍ଷମ ତିନି ପୁଅ ଥିଲେ ମଧ୍ୟ ମାକୁ ପାଖରେ ନ ରଖିବାରୁ ସିଏ ତାଙ୍କର ବିଧବା ଝିଅ ନୁପୁର ସାହୁ ଓ ନାତୁଣୀ ସହ ଏକ ଇନ୍ଦିରା ଆବାସରେ ଦୀର୍ଘ ୨୦ ବର୍ଷ ହେବ ଝିଅ ପାଖେ ରହିଆସୁଛନ୍ତି । ବର୍ତ୍ତମାନ ସାନ ପୁଅ ସେହି ଘରର ରାସ୍ତାକୁ ଅବରୋଧ କରି ଘର ତିଆରି କରିବା ଏବଂ ସ୍ୱଚ୍ଛ ଭାରତ ଅଭିଯାନରୁ ପାଇଥିବା ପାଇଖାନାକୁ ନିଜ ଅକ୍ତିଆରକୁ ନେଇଯିବା ଏବଂ ଭଉଣୀ ଓ ଭାଣିଜୀକୁ ମରିଦେବା ପାଇଁ ଧମକ ଚମକ ଦେଇ ଆସୁଥିବାରୁ ଏସବୁର ସମାଧାନ ଓ ସୁରକ୍ଷା ପାଇଁ ଝିଅ ନୁପୁର ସାହୁ ଏକାଧିକ ବାର ଖଜୁରିପଡା ପୋଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି କିନ୍ତୁ କୌଣସି ନ୍ୟାୟ ନ ପାଇ କେବଳ ପ୍ରତିଶୃତି ପ୍ରତାରଣା ପାଇଥିଲେ । ନିରୁପାୟ ହୋଇ ଏହି ବୃଦ୍ଧା ଜଣକ ନ୍ୟାୟ ପାଇଁ ଏସ.ପିଙ୍କ କାର୍ଯ୍ୟାଳୟକୁ ଆସିଥିଲେ କୋଭିଡର ବାହାନା କରି କାର୍ଯ୍ୟାଳୟ ଭିତରକୁ ବୃଦ୍ଧା ଆସିଥିବା ଅଟୋକୁ ନ ଛାଡିବାରୁ ଦୀର୍ଘ ପାଞ୍ଚ ଘଣ୍ଟା ଧରି କାର୍ଯ୍ୟାଳୟ ସାମ୍ନାରେ ରାସ୍ତା କଡେ ପଡି ରହିଥିଲେ ପରେ ଗଣ ମାଧ୍ୟମ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ବୃଦ୍ଧାଙ୍କ ନାତୁଣୀକୁ ଏସ.ପିଙ୍କୁ ସାକ୍ଷାତର ସୁଯୋଗ ମିଳିଥିଲା ଓ ପରେ ଏସ.ପି ଙ୍କଠୁ ଆଶ୍ୱାସନା ଓ ପ୍ରତିଶୃତି ମିଳିଥିବା ପ୍ରକାଶ କରିଛନ୍ତି ବୃଦ୍ଧାଙ୍କ ନାତୁଣୀ । ବୟସ ଦୃଷ୍ଟିରୁ ବୃଦ୍ଧା ଜଣକ ମାନସିକ ସ୍ଥିତି ଠିକ ନଥିବା ଓ ଭୟ ଆଶଙ୍କାରେ ଥିବା ଅନୁଭବ ହେଉଛି । ସରକାରଙ୍କର ବରିଷ୍ଠ ନଗରିକଙ୍କର ସୁରକ୍ଷା ଘୋଷଣା କନ୍ଧମାଳ ଜିଲ୍ଲାରେ ଠିକ ଭାବେ ପାଳନ ହେଉନଥିବା ନେଇ ବରିଷ୍ଠ ନାଗରିକ କ୍ଷୋଭ ପ୍ରକାଶ କରିଛନ୍ତି ଓ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।
(ରିପୋର୍ଟ- ଶିବାନନ୍ଦ ପଟ୍ଟନାୟକ। )