ବରିଷ୍ଠ କଳାକାର ମହାସଂଘର ପ୍ରସ୍ତୁତି ବୈଠକ ।

0 218

ବ୍ରହ୍ମପୁର,୦୭/୧୧(ପିପିଟି) :କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଦକ୍ଷିଣ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ”ର ବାର୍ଷିକୋତ୍ସବ ପରିପ୍ରେକ୍ଷୀରେ ସ୍ଥାନୀୟ ସୁବା ରାଓ ଛକ ସ୍ଥିତ ଶ୍ରୀ ଜଗନ୍ନାଥ ଚିତ୍ରାଳୟ ପରିସରରେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ତାଙ୍କ ସ୍ବାଗତ ଭାଷଣରେ ରାଜନୈତିକ ଧର୍ମଘଟ ହେତୁ ଚଳିତ ମାସ ବାର ପରିବର୍ତ୍ତେ ଚଉଦ ତାରିଖରେ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ଠାରେ ମହାସଂଘ ବାର୍ଷିକୋତ୍ସବ ପାଳିତ କରିବା ସୂଚନା ଦେବା ସହ ଉତ୍ସବ ପାଳନର ଚୁଡାନ୍ତ ରୂପରେଖ ବର୍ଣ୍ଣନା କରିଥିଲେ । ଲୋକପ୍ରିୟତା ଘେନି ମହାସଂଘର ବ୍ୟାପକତା ଦୃଷ୍ଟିରୁ ଆଞ୍ଚଳିକ ପରିବର୍ତ୍ତେ ରାଜ୍ୟସ୍ତରୀୟ ରୂପାନ୍ତର, ଜିଲ୍ଲା ସଂଘର ମହିଳା ଶାଖା ଗଠନ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ମହାବିଦ୍ୟାଳୟ ପ୍ରତିଷ୍ଠା, ପ୍ରତିଭାଧର କଳାକାରଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା, କଳା ଓ କଳାକାର ହୀତୈଷୀ ଦାବି ଉପସ୍ଥାପନ ସହିତ ଲୋକନୃତ୍ୟ ପାଲା ଓ ଭାରତ ଲୀଳା ପରିବେଷଣ ସଂକ୍ରାନ୍ତରେ ବୈଠକରେ ନିଷ୍ପତ୍ତି ନିଆଗଲା । ସର୍ବଶ୍ରୀ ସୁବାସ ଚନ୍ଦ୍ର ସାହୁ ମାମା, ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ଟି. ତାରିଣୀ ରାଓ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, କିଶୋର କାପୂର୍, ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ନୀଳ ମାଧବ ଜେନା, ବନ୍ଦନା ନନ୍ଦ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ଚଳଚ୍ଚିତ୍ର ଅଭିନେତ୍ରୀ ଗୀତା ସ୍ୱାଇଁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.